ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୃଷ୍ଟିରେ ରଖି ସହଯୋଗ ଜାରି ରଖିବାକୁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)କୁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆହ୍ବାନ ଦେଇଛନ୍ତି। ନାବାର୍ଡର ୪୨ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ଜଳସେଚନ କ୍ଷମତା ବୃଦ୍ଧି, ଫସଲ ବିବିଧୀକରଣ, ଫସଲ ଅମଳ ଓ ପରବର୍ତ୍ତୀ ସଂରକ୍ଷଣ ପ୍ରତି ସହଯୋଗ ଜାରି ରଖିବାକୁ ସେ ନାବାର୍ଡକୁ କହିଛନ୍ତି।
ଅନ୍ୟତମ ଅତିଥିଭ ଭାବେ ଯୋଗ ଦେଇ ଉନ୍ନୟନ କମିସନର ଅନୁ ଗର୍ଗ କହିଛନ୍ତି ଯେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମି ସୁଦୃଢ଼ କରିବାରେ ନାବାର୍ଡର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ କହିଛନ୍ତି ଯେ ନାବାର୍ଡର ବିଭିନ୍ନ କାର୍ଯ୍ୟକ୍ରମ ୩ ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ପର୍ଶ କରିପାରିଛି। ଗତ ୧୦ ବର୍ଷରେ ନାବାର୍ଡ ଜରିଆରେ ୪୦୦୦ ଏସ୍ଏଚ୍ଜି ମହିଳା ସଂସ୍ଥା ସ୍ଥାପନ କରିପାରିଛନ୍ତି।
ନାବାର୍ଡ ଓଡ଼ିଶାର ସିଜିଏମ୍ ସୁଧାଂଶୁ କେ କେ ମିଶ୍ର କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ନାବାର୍ଡ ରାଜ୍ୟ ସରକାରଙ୍କୁ ୩୧,୦୯୫ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ନାବାର୍ଡ ପକ୍ଷରୁ ରାଜ୍ୟରେ ପ୍ରାଥମିକ କୃଷି ଋଣ ସୋସାଇଟି, କୋଅପରେଟିଭ୍ ସଂସ୍ଥାଗୁଡ଼ିକର ଆଧୁନିକୀକରଣ, ଚାଷୀ ଉତ୍ପାଦକ ସଂଗଠନ, ଏସ୍ଏଚ୍ଜି ଓ ଏସ୍ଏମ୍ଇମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି ବୋଲି ସେ କହିଛନ୍ତି।
ଏହି ଅବସରରେ ଶ୍ରେଷ୍ଠ ଆଦିବାସୀ ଚାଷୀ, ଚାଷୀ ଉତ୍ପାଦକ ସଂଗଠନ (ଏଫ୍ପିଓ), ଜଳବାୟୁ ପରିବର୍ତ୍ତନ ଅଭିଯାନରେ ସଂପୃକ୍ତ ବ୍ୟକ୍ତିବିଶେଷ ଓ ସଂସ୍ଥା ଏବଂ ଏସ୍ଏଚ୍ଜି ଆଦିଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଛି। ଏହି ଅବସରରେ ‘ରିଫ୍ଲେକ୍ସନ ୨୦୨୨-୨୩’ ଓ ‘ଓଡ଼ିଶାରେ ନାବାର୍ଡ ଆରଆଇଡିଏଫ୍ ପ୍ରକଳ୍ପର ପ୍ରଭାବ ଅନୁଶୀଳନ’ ରିପୋର୍ଟକୁ ଉନ୍କୋଚନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଏସ୍ ପି ମହାନ୍ତି, ଷ୍ଟେଟ୍ ବ୍ୟାଙ୍କ ସିଜିଏମ୍ ଚନ୍ଦ୍ର ଶେଖର ଶର୍ମା, ଏସ୍ଏଲ୍ବିସି ସଂଯୋଜକ ଗୌତମ ପାତ୍ର, ନାବାର୍ଡର ମହାପ୍ରବନ୍ଧକ ଡକ୍ଟର ବି ବି ସାହୁ ଉପସ୍ଥିତ ଥିଲେ।