ନୂଆଦିଲ୍ଲୀ: ନିବେଶ ପାଇଁ ଭାରତ ସବୁଠୁ ଭଲ ସ୍ଥାନ। ଏଠାରେ ନିବେଶ କରିଲେ ଅଧିକ ରିଟର୍ଣ୍ଣ ମିଳିଥାଏ। ୟୁରୋପୀୟ ନିବେଶକମାନଙ୍କୁ ଏହା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡ଼କରୀ। ଏଥିସହିତ ଭାରତରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ରାଜପଥରେ ନିବେଶ କରିବା ପାଇଁ ମଧ୍ୟ ଗଡ଼କରୀ ଏହି ଅବସରରେ ୟୁରୋପୀୟ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଭାରତରେ ସବୁଜ ଇନ୍ଧନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଦୂରଗାମୀ ବସ୍ ଓ ଟ୍ରକ୍ ଗୁଡ଼ିକୁ ଏଲ୍ଏନ୍ଜିରେ ଚଳାଇବା ପାଇଁ ଯୋଜନା କରିଛନ୍ତି। ଏଲ୍ଏନ୍ଜି ବ୍ୟତୀତ ସରକାର ଦେଶରେ ଇଥାନଲ ବ୍ୟବହାର ବଢ଼ାଇବାକୁ ଯୋଜନା ରଖିଛନ୍ତି। ବର୍ତ୍ତମାନ ଇଥାନଲ୍ର ବଜାର ଆକାର ୨୦ ହଜାର କୋଟି ଟଙ୍କା ଥିବାବେଳେ ଏହାକୁ ୧ ଲକ୍ଷ କୋଟି ଟଙ୍କାକୁ ବଢ଼ାଇବା ଯୋଜନା ରହିଛି। ୟୁରୋପୀୟ ଅର୍ଥନୈତିକ ଗୋଷ୍ଠୀର ସଦସ୍ୟମାନଙ୍କୁ ନିରନ୍ତର ପରିବହନ ଏବଂ ଏମ୍ଏସ୍ଏମ୍ଇ ଉପରେ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ୭୦୦ ବା ୮୦୦ କିମିରୁ ଅଧିକ ଦୂରକୁ ଯାତ୍ରା କରୁଥିବା ଟ୍ରକ୍ ଓ ବସ୍କୁ ଏଲଏନଜିରେ ଚଳାଯିବାର ଯୋଜନା ରହିଛି। ଦେଶ ବର୍ଷକୁ ଆମଦାନି କରୁଥିବା ୭ ଲକ୍ଷ କୋଟି ଟଙ୍କାର ଅଶୋଧିତ ତେଲ ପରିମାଣକୁ କମାଇବା ପାଇଁ ଇଥାନଲ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଛି। ଭାରତରେ ଅନେକ ଶିଳ୍ପପୁଞ୍ଜ ସ୍ଥାପନ ଯୋଜନା ରହିଛି। ଚୀନ ଢାଞ୍ଚାରେ ଏସବୁ ଶିଳ୍ପପୁଞ୍ଜ ନିର୍ମାଣ ହେବ। ତେଣୁ କୋଭିଡ ମହାମାରୀ ସମୟରେ ଭାରତରେ ପୁଞ୍ଜି ନିବେଶ ବିଦେଶୀ ନିବେଶକଙ୍କ ପାଇଁ ବଡ଼ ସୁଯୋଗ ବୋଲି ସେ ମତ ଦେଇଛନ୍ତି। ଭାରତ ସରକାର ବିଭିନ୍ନ ଉତ୍ସରୁ ନିବେଶ ପାଇଁ ସମ୍ବଳ ଯୋଗାଡ଼ କରୁଛନ୍ତି ବୋଲି ସେ କହିଛନ୍ତି।
ଇଲେକ୍ଟ୍ରିକ୍ ରାଜପଥ କ’ଣ
ଇଲେକଟ୍ରିକ୍ ରାଜପଥ ଗୁଡ଼ିକରେ ଟ୍ରେନ୍ ଭଳି ବିଜୁଳି ଶକ୍ତିରେ ବସ୍ ଓ ଟ୍ରକ୍ ଆଦି ଚାଲିଥାଏ। ଏଥିସହିତ ଏଭଳି ରାଜପଥର ଗୋଟିଏ ଲେନ୍ ସ୍ବତନ୍ତ୍ର ଭାବେ ବ୍ୟାଟେରି ଚାଳିତ ଗାଡ଼ି ପାଇଁ ମଧ୍ୟ ରହିଥାଏ। ଉକ୍ତ ରାସ୍ତା ନିର୍ମାଣ ଦ୍ବାରା ପେଟ୍ରୋଲ ଏବଂ ଡିଜେଲ ବଦଳରେ ବିଜୁଳି କିମ୍ବା ଏଲଏନଜି ଭଳି କମ୍ ପ୍ରଦୂଷଣଯୁକ୍ତ ଇନ୍ଧନରେ ଗାଡ଼ି ଚାଲିପାରିଥାଏ। ଫଳରେ ଭାରତ ଭଳି ଦେଶକୁ କମ୍ ଅଶୋଧିତ ତେଲ ଆମଦାନି କରିବାକୁ ପଡ଼ିଥାଏ। ଆଜି ୟୁରୋପୀୟ ନିବେଶକମାନଙ୍କୁ ଉଦବୋଧନ ଦେବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଦେଶରେ ୨୨ଟି ସବୁଜ ରାଜପଥର ଯୋଜନା ରହିଛି। ଏଥିରୁ ୭ଟି ରାଜପଥ ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଦିଲ୍ଲୀ-ମୁମ୍ବାଇ ଇଲେକଟ୍ରିକ୍ ରାଜପଥ ପାଇଁ ସ୍ବିଡେନର ଏକ କମ୍ପାନି ସହଯୋଗରେ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ। ୨୦୨୪ ପୂର୍ବରୁ ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।