କୃଷିରେ ଘରୋଇ ପୁଞ୍ଜିନିବେଶ ପାଇଁ ଆହ୍ବାନ

ଭୁବନେଶ୍ବର: ରାଜ୍ୟ ସରକାର କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ବ ଦେଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ ବ୍ୟୟବରାଦର ୧୩% କୃଷି କ୍ଷେତ୍ର ଲାଗି ଆବଣ୍ଟନ କରାଯାଇଛି। ସ୍ବତନ୍ତ୍ର କୃଷି ବଜେଟ୍ ମଧ୍ୟ ପ୍ରସ୍ତୁତ କରାଯାଉଛି। କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ ଓ ଶୀତଳଭଣ୍ଡାର କ୍ଷେତ୍ରରେ ନିବେଶ କରିବା ଲାଗି ରାଜ୍ୟ କୃଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଇଣ୍ଡିଆ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜିତ ଜାତୀୟ କୃଷି ଇ-ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ କିଛି ବର୍ଷ ଭିତରେ ରାଜ୍ୟର କୃଷି ଦୃଶ୍ୟପଟ୍ଟ‌ରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଧାନ ଏକ ପ୍ରମୁଖ ଫସଲ ହୋଇଥିଲେ ମଧ୍ୟ ଅଣ-ଖାଦ୍ୟ ସାମଗ୍ରୀର ଭାଗ ମୋଟ କୃଷି ଉତ୍ପାଦନରେ ବଢ଼ିବାରେ ଲାଗିଛି। ମୋଟ କୃଷି ଉତ୍ପାଦନ‌ରେ ଧାନର ଭାଗ ୪୮% ରହିଛି। କିନ୍ତୁ ‌ତୈଳବୀଜ, ଫାଇବର ଓ ଆଖୁର ଉତ୍ପାଦନ ମଧ୍ୟ‌ ଇତି ମଧ୍ୟରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଫୁଲ ଚାଷ ଓ ପଶୁପାଳନ କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସେ କହିଛନ୍ତି।

ଏହି ଅବସରରେ ଗ୍ଲୋବାଲ୍ ଏଗ୍ରି ସିଷ୍ଟମ୍‌ର ଅଧ୍ୟକ୍ଷ ଗୋକୁଳ ପଟ୍ଟନାୟକ କହିଛନ୍ତି ଯେ କରୋନା ମହାମାରୀ କୃଷି କ୍ଷେତ୍ରରେ ଥିବା ଯୋଗାଣ ଶୃଙ୍ଖଳା ଓ ଦୂରଦୂରାନ୍ତ ସ୍ଥାନ ପର୍ଯ୍ୟନ୍ତ ସାମଗ୍ରୀ ପହଞ୍ଚାଇବାରେ ଥିବା ସମସ୍ୟାକୁ ସାମ୍ନାକୁ ଆଣିଛି। ମହାମାରୀ ଯୋଗୁଁ କୃଷି କାର୍ଯ୍ୟରେ ପ୍ରଯୁକ୍ତି ଓ ଜ୍ଞାନକୌଶଳର ବ୍ୟବହାର ବଢ଼ିଛି ବୋଲି ସେ କହିଛନ୍ତି। ନାବାର୍ଡର ସିଜିଏମ୍ ସି ଉଦୟଶଙ୍କର କହିଛନ୍ତି ଯେ କେବଳ ବଡ଼ ସଂସ୍ଥାଗୁଡ଼ିକ ସ୍ଥାପନ କରୁଥିବା ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଉପରେ ନିର୍ଭର କରିହେବ ନାହିଁ। ଦେଶ ପାଇଁ କ୍ଷୁଦ୍ର ଯୋଗାଣ ଶୃଙ୍ଖଳ ମଧ୍ୟ ଦରକାର। ମହାମାରୀ ସମୟରେ ଯେଉଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ନିଜ ଗାଡ଼ି ଥିଲା ସେମାନଙ୍କ ରୋଜଗାର ଅଟକି ନଥିଲା। କିନ୍ତୁ ଯେଉଁମାନେ ଭଡ଼ା ଗାଡ଼ି କିମ୍ବା ଡ୍ରାଇଭର ଖୋଜୁଥିଲେ ସେମାନେ ହଇରାଣ ହୋଇଛନ୍ତି ବୋଲି ସେ କହିଛନ୍ତି। ସେହି ଦୃଷ୍ଟିରୁ କ୍ଷୁଦ୍ର ଯୋଗାଣ ଶୃଙ୍ଖଳର ଆବଶ୍ୟକତା ରହିଥିବା ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ଏସ୍‌ଏନ୍‌ଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ ମହାନ୍ତି କହିଛନ୍ତି ଯେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ମଧ୍ୟରେ ସମନ୍ବୟ ଆବଶ୍ୟକ। ମହାମାରୀ ସମୟ‌ରେ ମାନୁଫାକ୍‌ଚରିଂ ଓ ସେବା କ୍ଷେତ୍ର ତୁଳନାରେ କୃଷି କ୍ଷେତ୍ରର ପ୍ରଦର୍ଶନ ଉନ୍ନତ ରହିଛି। ଓଡ଼ିଶାର କୃଷି କ୍ଷେତ୍ରର ଅଭିବୃଦ୍ଧି ଓ ଜିଭିଏ ଜାତୀୟ ହାର ଠାରୁ ଅଧିକ ରହିଥିବା ସେ କହିଛନ୍ତି। ପିପିଏଲ୍‌ର ସିଓଓ ରଣଜିତ ଚୁଗ୍‌ ନାନୋ ୟୁରିଆର ଉପାଦେୟତା ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି, ସହ ଅଧ୍ୟକ୍ଷ ଏମ୍ କେ ଗୁପ୍ତା, ପ୍ରିମିୟର ଇରିଗେସନ ଏଗ୍ରିଟେକ୍‌ର ଏମ୍‌ଡି ଶ୍ରୀକାନ୍ତ ଗୋଏଙ୍କା, ମିଟ୍‌ସ ମେଗା ଫୁଡ୍‌ ପାର୍କର ଏମ୍‌ଡି ଶ୍ରୀରାମ ପଣ୍ଡା ଓ ଓୟୁଏଟିର କୁଳପତି ଡକ୍ଟର ପୱନ କୁମାର ଅଗ୍ରୱାଲ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର