ଜୁଲାଇ ୨୦ରୁ ସିବିଡିଟି ପକ୍ଷରୁ ସ୍ୱେଚ୍ଛାକୃତ ଆୟକର ପ୍ରଦାନ ସଂକ୍ରାନ୍ତ ଇ-ଅଭିଯାନ ଆରମ୍ଭ ହେବ

ନୂଆଦିଲ୍ଲୀ : ସ୍ୱେଚ୍ଛାକୃତଭାବେ ଆୟକର ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଚଳିତମାସ ୨୦ ତାରିଖ ସୋମବାରଠାରୁ ଇ-ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ୧୧ ଦିନଧରି ଚାଲି ଜୁଲାଇ ୩୧ ତାରିଖରେ ଶେଷ ହେବ । ଏଥିରେ ମୁଖ୍ୟତଃ କରଦାତା/ଆସେସି ଯେଉଁମାନେ ରିଟର୍ଣ୍ଣ ଫାଇଲ କରୁନାହାନ୍ତି କିମ୍ବା ୨୦୧୮-୧୯ ଆର୍ଥିକ ବର୍ଷରେ ସେମାନଙ୍କ ରିଟର୍ଣ୍ଣ ଫାଇଲରେ ତ୍ରୁଟି ଅଥବା ତଥ୍ୟଗତ ଅଭାବ ରହିଛି, ସେମାନଙ୍କୁ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବ । ଏହି ଅଭିଯାନ କେବଳ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଉଦ୍ଦିଷ୍ଟ ।

ଏହି ଅଭିଯାନ କାଳରେ ଟିକସଦାତାଙ୍କୁ ଅନ୍‌ଲାଇନ ବ୍ୟବସ୍ଥାରେ ନିଜର ଟିକସ/ଆର୍ଥିକ କାରବାର ସଂପର୍କରେ ତଥ୍ୟ ପ୍ରଦାନ କରିବାକୁ ସଚେତନ କରାଯିବ । ସ୍ୱେଚ୍ଛାକୃତ ଭାବରେ ନିଜର ଆୟ ଏବଂ ଟିକସ ଆଦି ସଂପର୍କରେ ଆୟକର ବିଭାଗକୁ ସୂଚନା ଦେବାକୁ ଲୋକଙ୍କୁ କୁହାଯିବ । ଏହାଫଳରେ ସଂପୃକ୍ତ ବ୍ୟକ୍ତିବିଶେଷ ବା ଆୟକାରୀ ଅଯଥା ଆୟକର ବିଭାଗର ସନ୍ଦେହରେ ରହିବେ ନାହିଁ କିମ୍ବା ତାଙ୍କ ପାଖକୁ ନୋଟିସ ପଠାଯିବ ନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ବର୍ଷ (୨୦୧୮-୧୯ ଆର୍ଥିକ ବର୍ଷ ପାଇଁ) ନିମନ୍ତେ ଆୟକର ରିଟର୍ଣ୍ଣ ଦାଖଲ ଓ ସଂଶୋଧନ କରିବାର ଶେଷ ତାରିଖ ୨୦୨୦ ଜୁଲାଇ ୩୧ ଧାର୍ୟ୍ୟ କରାଯାଇଛି । ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଯେଉଁ ଇ-କ୍ୟାମ୍ପେନ ଆରମ୍ଭ ହୋଇଛି ନିଜର ସୁବିଧା ପାଇଁ ଆୟକରଦାତାମାନେ ତାହାର ସୁଯୋଗ ନେବାକୁ ଆୟକର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର