ନୂଆଦିଲ୍ଲୀ: ସଂପ୍ରତି କାନାଡ଼ାବାସୀ ଖାଦ୍ୟ ଓ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ପିଲାଙ୍କ ପେଟ ଭରିବା ପାଇଁ କାନାଡ଼ାର ୨୫ ପ୍ରତିଶତ ମା’ବାପା କମ୍ ଖାଉଛନ୍ତି। କାନାଡ଼ାର ନାଗରିକମାନେ ନିଯୁକ୍ତି ଏବଂ ମୁଦ୍ରାସ୍ଫୀତିକୁ ନେଇ ଚାଲେଞ୍ଜ୍ର ସାମ୍ନା କରୁଛନ୍ତି। କାନାଡ଼ାବାସୀଙ୍କ ଉପରେ ଏହାର ଚାପ କେତେ ରହିଛି ତାହା ନିକଟରେ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି। ରିପୋର୍ଟରେ କୁହାଯାଇଛି ଯେ କାନାଡ଼ାରେ ପ୍ରତି ୪ ମା’ବାପାଙ୍କ ମଧ୍ୟରୁ ଗୋଟିଏ ମା’ବାପା ସେମାନଙ୍କ ପିଲାଙ୍କ ପେଟ ଭଲରେ ଭରିବା ପାଇଁ ନିଜର ପେଟକୁ କମ୍ ଖାଉଛନ୍ତି। ସାଲଭେସନ ଆର୍ମି ପକ୍ଷରୁ ଗତ ୨୧ ତାରିଖରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ସର୍ଭେରେ ଭାଗ ନେଇଥିବା ୯୦ ପ୍ରତିଶତରୁ ଅଧିକ ବ୍ୟକ୍ତି ସେମାନଙ୍କ ଅନ୍ୟ ଆର୍ଥିକ ଆବଶ୍ୟକତାକୁ ପୂରଣ ପାଇଁ ତେଜରାତି ସାମଗ୍ରୀ ଖର୍ଚ୍ଚ କମାଇଛନ୍ତି।
‘ସାଲ୍ଭେସନ୍ ଆର୍ମି’ ରିପୋର୍ଟ
ପିଲାଙ୍କ ପେଟ ଭରିବା ପାଇଁ କମ୍ ଖାଉଛନ୍ତି ୨୫% ମା’ବାପା
ଅନ୍ୟ ଖର୍ଚ୍ଚ ପୂରଣ ପାଇଁ କମ୍ ତେଜରାତି ସାମଗ୍ରୀ କିଣୁଛନ୍ତି
କାନାଡ଼ାରେ ଲୋକମାନେ ଯେଭଳି ସୁଲଭ ମୂଲ୍ୟରେ କେତେକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସମର୍ଥ ହେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟ ଭବିଷ୍ୟତରେ ଜିଏସ୍ଟି ହ୍ରାସ କରିବେ ବୋଲି ଅନୁମାନ କରାଯାଉଛି। କାନାଡ଼ାର ଖାଦ୍ୟ ବ୍ୟାଙ୍କଗୁଡ଼ିକରେ ମଧ୍ୟ ବର୍ତ୍ତମାନ ଖାଦ୍ୟ ଅଭାବ ରହିଛି। କେତେକ ଅତ୍ୟାବଶ୍ୟକ ଖର୍ଚ୍ଚ ନକମାଇ ସବୁ ଆବଶ୍ୟକ ଖର୍ଚ୍ଚ ପୂରଣ କରିବା ବହୁ ଲୋକଙ୍କ ପାଇଁ ସମ୍ଭବ ହେଉନାହିଁ। ଅନେକ ପରିବାର ବଞ୍ଚିବାର ମାନ ସହ ଜଡ଼ିତ ଏକାଧିକ ବିଷୟରେ ମାତ୍ରାଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ କାନାଡ଼ାରେ ଗମ୍ଭୀର ଆର୍ଥିକ ସଂକଟ ଉପୁଜିଥିବା ଏଥିରୁ ସ୍ପଷ୍ଟ ହେଉଛି। ଆସନ୍ତାବର୍ଷ କାନାଡ଼ାରେ ନିର୍ବାଚନ ହେବାକୁ ଥିବା ବେଳେ ଏଭଳି ସ୍ଥିତି ଚିନ୍ତା ବଢ଼ାଇଛି। ତେଜରାତି ସାମଗ୍ରୀରେ ଖର୍ଚ୍ଚ ହ୍ରାସ ଦ୍ବାରା ଅଳ୍ପ ଅର୍ଥ ସଞ୍ଚୟ ହେଉଥିଲେ ମଧ୍ୟ ସର୍ଭେରେ ଭାଗ ନେଇଥିବା ୯୦ ପ୍ରତିଶତରୁ ଅଧିକ ବ୍ୟକ୍ତି ଏହା କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ବ୍ୟକ୍ତି କମ୍ ପୁଷ୍ଟିକର ଖାଦ୍ୟ କିଣୁଛନ୍ତି।
କାରଣ ତାହାର ଦାମ୍ କମ୍ ରହୁଛି। ୮୪ ପ୍ରତିଶତ ଲୋକ ଖାଦ୍ୟ ଖାଇବାକୁ ଏଡ଼ାଇ ଦେଉଛନ୍ତି। କାନାଡ଼ାରେ ଅର୍ଥନୈତିକ ସଂକଟର ଏହା କେବଳ ଏକମାତ୍ର ଲକ୍ଷଣ ନୁହେଁ। କାନାଡ଼ାବାସୀ ଏଭଳି ସଂକଟରେ କିଭଳି ଜୀବନ ଜିଉଁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ଚିନ୍ତାବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ଯେଭଳି ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ପାଇପାରିବେ ସେ ନେଇ କାନାଡ଼ା ସରକାର ଏକ ବଡ଼ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ ଅନ୍ୟତମ ବୋଲି କୁହାଯାଉଛି।