କାନାରା ବ୍ୟାଙ୍କରେ ୫୦୦ କୋଟି ଠକେଇ

ସିବିଆଇ ଜାଲରେ କମ୍ପ୍ୟୁଟର କଂପାନି

କୋଲକାତା: ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କ ସମେତ ୧୦ଟି ବ୍ୟାଙ୍କରୁ ୫୧୫ କୋଟି ଟଙ୍କାର ଋଣ ଠକେଇ କରିଥିବା ଏକ କମ୍ପ୍ୟୁଟର କଂପାନି ବିରୋଧରେ ସିବିଆଇ ମାମଲା ଦାୟର କରିଛି। କଂପାନିର ନାମ ହେଉଛି ଆର୍‌ପି ଇନ୍‌ଫୋସିଷ୍ଟମ୍‌। ସିବିଆଇ ଏତଲାରେ କଂପାନିର ଜଣେ ନିର୍ଦେଶକ ଶିବାଜୀ ପାଞ୍ଜାଙ୍କ ନାମ ରହିଛି। ସେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସେ ଅତି ଘନିଷ୍ଠ ବୋଲି ଚର୍ଚା ହେଉଛି। ଏହି ମାମଲାରେ କାନାରା ବ୍ୟାଙ୍କର କିଛି କର୍ମଚାରୀଙ୍କୁ ମଧ୍ୟ ସିବିଆଇ ଘେରିଥିବା ଜଣାପଡ଼ିଛି। କାନାରା ବ୍ୟାଙ୍କ ପକ୍ଷରୁ ସିବିଆଇରେ ଦାୟର କରଯାଇଥିବା ଅଭିଯୋଗପତ୍ରରେ କୁହାଯାଇଛି ଯେ, ଆର୍‌ପି ଇନ୍‌ଫୋସିଷ୍ଟମ୍‌ ଆମ ନେତୃତ୍ୱରେ ଗଠନ ହୋଇଥିବା ୧୦ଟି ବ୍ୟାଙ୍କଠାରୁ ୫୧୫.୧୫ କୋଟି ଟଙ୍କା ଠକେଇ କରିଛି। ଜାଲ ଏବଂ ନକଲି କାଗଜପତ୍ର ଦେଇ କଂପାନି ଏହି ଋଣ ହାସଲ କରିଥିଲା ବୋଲି କାନାରା ବ୍ୟାଙ୍କ ଅଭିଯୋଗ କରିଛି। ଲେଟର ଅଫ୍‌ କ୍ରେଡିଟ୍‌କୁ ବ୍ୟବହାର କରି କଂପାନି ଏହି ଋଣ ଠକେଇ କରିଛି। ବାର ହଜାର କୋଟି ଟଙ୍କାର ଋଣ ଠକେଇ ସାମ୍ନା କରିଥିବା ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ମଧ୍ୟ ଏହି କଂପାନିକୁ ଋଣ ଦେଇଛି। ଆର୍‌ପି ଇନ୍‌ଫୋସିଷ୍ଟମ୍ସକୁ ଋଣ ଦେଇଥିବା ଅନ୍ୟ ବ୍ୟାଙ୍କଗୁଡ଼ିକ ହେଉଛି ଏସ୍‌ବିଆଇ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ବିକାନେର୍‌ ଆଣ୍ଡ ଜୟପୁର, ୟୁନିଅନ୍‌ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ, ସେଣ୍ଟ୍ରାଲ୍‌ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ପଟିଆଲା ଏବଂ ଫେଡେରାଲ୍‌ ବ୍ୟାଙ୍କ। ଆଇଡିବିଆଇ ବ୍ୟାଙ୍କଠାରୁ ୧୮୦ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗରେ ୨୦୧୫ ଫେବ୍ରୁଆରିରେ ଶିବାଜୀ ପାଞ୍ଜାଙ୍କୁ ଅଟକ ରଖାଯାଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବାଲାଂଦେଶ ଗସ୍ତ ସାରି ଫେରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା। ଆଇଡିବିଆଇ ବ୍ୟାଙ୍କଠାରୁ ମଧ୍ୟ ଏହି କଂପାନି ଜାଲ୍‌ କାଗଜପତ୍ର ଦେଇ ଋଣ ନେଇଥିଲା।

ସମ୍ବନ୍ଧିତ ଖବର