ନୂଆଦିଲ୍ଲୀ: ଲୋକପ୍ରିୟ ଏସିଡିଟି ନିବାରକ ଔଷଧ ରାନିଟିଡିନ୍ରେ କ୍ୟାନସର୍ ସୃଷ୍ଟିକାରୀ ଉପାଦାନ ଚିହ୍ନଟ ହୋଇଛି। ଏହାର ଏନ୍ଡିଏମ୍ଏ ସ୍ତରକୁ ନିୟନ୍ତ୍ରଣରେ ରଖିବା ନିଶ୍ଚିତ କରିବାକୁ କେନ୍ଦ୍ରୀୟ ସଂସ୍ଥା ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍ସିଓ) ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଉତ୍ପାଦିତ ରାନିଟିଡିନ୍ଗୁଡ଼ିକୁ ଅଧିକ ଦିନ ଦୋକାନରେ ନ ରଖିବାକୁ ପରାମର୍ଶ ଦିଆଯାଇଛି।
ରାନିଟିଡିନ୍ ପ୍ରସ୍ତୁତିରେ ଅପମିଶ୍ରଣର ସର୍ବେକ୍ଷଣ କରିବା ଲାଗି ଗତବର୍ଷ ଡିସେମ୍ବରରେ ଗଠନ କରାଯାଇଥିବା ଏକ ବିଶେଷଜ୍ଞ କମିଟିକୁ ‘ଔଷଧ ବୈଷୟିକ ଉପଦେଷ୍ଟା ବୋର୍ଡ’ ଅନୁଶୀଳନ କରିଥିଲା। କେଉଁ ପରିସ୍ଥିତିରେ ସେଥିରେ ଏନ୍ଡିଏମ୍ଏ ସୃଷ୍ଟି ହେଉଛି ତାହାର ଅନୁଧ୍ୟାନ କରିବା ଲାଗି ଏକ ବୃହତ୍ତର କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଥିଲା। ଦୀର୍ଘକାଳୀନ ଭିତ୍ତିରେ ରାନିଟିଡିନ୍ କେତେ ସୁରକ୍ଷିତ ତାହାର ଅନୁଶୀଳନ କରିବା ଲାଗି ଏକ ସର୍ବେକ୍ଷଣ କରିବାକୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)କୁ ସୁପାରିସ୍ କରାଯାଇଥିଲା।
ରାନିଟିଡିନ୍କୁ ଦୋକାନରେ ଅଧିକ ଦିନ ନ ରଖିବା, ତାହାର ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏବଂ ଏନ୍ଡିଏମ୍ଏ ପରୀକ୍ଷଣ ପ୍ରୋଟୋକଲ୍କୁ ବଢ଼ାଇବା ଲାଗି ଔଷଧ ନିର୍ମାତାମାନଙ୍କୁ କୁହାଯାଇଛି। ଫାମୋଟିଡିନ୍ ଓ ପେଣ୍ଟାପ୍ରାଜୋଲ୍ ଭଳି ସୁରକ୍ଷିତ ବିକଳ୍ପ ଥିବା ବେଳେ ରାନିଟିଡିନ୍ ଔଷଧ ଲେଖିବା ବନ୍ଦ ହୋଇଯିବା ଉଚିତ ବୋଲି ଜଣେ ଡାକ୍ତର କହିଛନ୍ତି। ଏନ୍ଡିଏମ୍ଏ ହେଉଛି ଏକ କ୍ୟାନସର୍ ରୋଗ ସୃଷ୍ଟିକାରୀ ଉପାଦାନ। ଔଷଧରେ ଏହାର ଉପସ୍ଥିତିକୁ ନେଇ ବିଶ୍ବବ୍ୟାପୀ ଯାଞ୍ଚ ଆରମ୍ଭ ହୋଇଛି। ଆମେରିକାରେ ରାନିଟିଡିନ୍ ବିକ୍ରି ବନ୍ଦ କରାଯାଇଛି। ଭାରତରେ ଅଧିକାଂଶ ବଡ଼ ସହରରେ ଏହାର ବ୍ୟବହାର ବନ୍ଦ ହୋଇଗଲାଣି। କିନ୍ତୁ ଏବେବି ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହର ଏବଂ ପ୍ରାଥିମକ କେନ୍ଦ୍ରଗୁଡ଼ିକରେ ତାହା ଦିଆଯାଉଛି।