ସରକାରଙ୍କ ନିର୍ଦ୍ଦେଶକୁ ହ୍ଵାଟ୍ସଆପର ବେଖାତିର : ସବୁ ମେସେଜ ଉପରେ ନଜର ରଖିପାରିବୁ ନାହିଁ

ନୂଆଦିଲ୍ଲୀ : ଗୋଟିଏ ମେସଜର ମୂଳ ଅର୍ଥାତ କେଉଁଠାରୁ ପ୍ରଥମେ ତାହା ପଠାହେଲା, ତାହାକୁ ଜାଣିବା ପାଇଁ ଏକ ସଫ୍ଟଓ୍ଵାର ନିର୍ମାଣ କରିପାରିବ ନାହିଁ ବୋଲି ମେସେଜିଂ ଆପ ହ୍ଵାଟ୍ସଆପ କହିଛି । ଏପରି କରିବା ଦ୍ୱାରା ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ମଧ୍ୟରେ ପ୍ରବେଶ କରିବାକୁ ହେବ ବୋଲି କମ୍ପାନି କହିଛନ୍ତି । କମ୍ପାନି ପକ୍ଷରୁ କୁହାଯାଇଛି ଯେ ଲୋକମାନେ ନିଜର ବ୍ୟକ୍ତିଗତ ସୂଚନା ଆଦାନପ୍ରଦାନ ପାଇଁ ହ୍ଵାଟ୍ସଆପର ବହୁଳ ବ୍ୟବହାର କରିଥାନ୍ତି । କିନ୍ତୁ ଏସବୁ ମେସେଜ ଗୁଡ଼ିକ ଉପରେ ନଜର ରଖିଲେ ତାହା ହ୍ଵାଟ୍ସଆପର ମୂଳ ଲକ୍ଷ୍ୟର ବିରୁଦ୍ଧାଚରଣ କରିବ । କାରଣ ମେସେଜର ଗୋପନୀୟତା ରକ୍ଷା ହ୍ଵାଟ୍ସଆପର ମୂଳ ଲକ୍ଷ୍ୟ ।
ଦେଶରେ ହ୍ଵାଟ୍ସଆପ ମାଧ୍ୟମରେ ଗୁଜର ପ୍ରସାର କରାଯାଇ ହିଂସାକାଣ୍ଡ ସୃଷ୍ଟି ହେଉଛି । ଏହା ସରକାରଙ୍କ ଚିନ୍ତା ବଢାଇଦେଇଛି । କିଛିଦିନତଳେ କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ରବିଶଙ୍କର ପ୍ରସାଦ ହ୍ଵାଟ୍ସଆପ ସିଇଓ କ୍ରିସ ଡାନିଏଲ୍ସଙ୍କୁ କହିଥିଲେ ଯେ ହ୍ଵାଟ୍ସଆପ ଭାରତରେ ନିଜର ଅଭିଯୋଗ କେନ୍ଦ୍ର ଖୋଲୁ, ଯଦ୍ୱାରା ଲୋକମାନେ ସହଜରେ କମ୍ପାନି ନିକଟରେ ପହଞ୍ଚିପାରିବେ । ସେହିପରି ହ୍ଵାଟ୍ସଆପ ଭାରତୀୟ ନିୟମକୁ ପାଳନ କରୁ । କାରଣ ହ୍ଵାଟ୍ସଆପକୁ କେନ୍ଦ୍ର କରି ଆମ ଦେଶରେ ଅପରାଧ ଘଟିଲେ ଆଇନଗତ ମାମଲା ପାଇଁ ଆମକୁ ଯୋପରି ଆମେରିକା ଦୌଡିବାକୁ ନପଡେ । ସେହିପରି ଭାରତରେ କମ୍ପାନି ନିଜର ଏକ ସ୍ୱୟଂସଂପୂର୍ଣ୍ଣ ୟୁନିଟ୍‌ ଖୋଲୁ ।

ସମ୍ବନ୍ଧିତ ଖବର