ପହିଲାରୁ କାର୍‌, ବାଇକ୍‌ ମହଙ୍ଗା

ବଦଳିବ ଗାଡ଼ି ବୀମା ନିୟମ  କାର୍‌ ପାଇଁ ୩ ବର୍ଷ, ମୋଟରସାଇକଲ୍‌ ୫ ବର୍ଷ

ମୁମ୍ବାଇ: ଗାଡ଼ି ପାଇଁ ବୀମା ନିୟମ ଆସନ୍ତା ସେପ୍ଟେମ୍ବର ପହିଲାରୁ ବଦଳିଯିବ। ଯେଉଁମାନେ ନୂଆ କାର୍‌ କିଣିବେ ସେମାନଙ୍କୁ ଏକାଥରେ ଅତିକମ୍‌ରେ ୩ ବର୍ଷ ଏବଂ ମୋଟର ସାଇକଲ୍‌ ପାଇଁ ଅତିକମ୍‌ରେ ୫ ବର୍ଷ ପାଇଁ ମୋଟର ବୀମା କିଣିବାକୁ ହେବ। ଗ୍ରାହକମାନଙ୍କୁ ଗାଡ଼ି କିଣିବା ସମୟରେ ବୀମା ବାବଦରେ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ ଗାଡ଼ି କିଣିବା ଲାଗି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ସେମାନଙ୍କୁ ପ୍ରତିବର୍ଷ ବୀମା ନବୀକରଣ ଜନିତ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ୧୫୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଇଞ୍ଜିନ ଲାଗିଥିବା ପ୍ରାଇଭେଟ୍‌ କାର୍‌ ପାଇଁ ଏବେ ବାର୍ଷିକ ବୀମା ପ୍ରିମିୟମ ୭୮୯୦ ଟଙ୍କା ପଡ଼ୁଥିବାବେଳେ ନୂଆ ବ୍ୟବସ୍ଥାରେ ଏଥିପାଇଁ ଅତିକମ୍‌ରେ ୨୪୩୦୫ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ୩୫୦ ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ଲାଗିଥିବା ବାଇକ୍‌ ପାଇଁ ଏବେ ବୀମା ବାବଦରେ ୨୩୨୩ ଟଙ୍କା ପ୍ରିମିୟମ ଦେବାକୁ ପଡ଼ୁଥିବା ବେଳେ ସେପ୍ଟେମ୍ବରରୁ ଏଥିପାଇଁ ୧୩୦୨୪ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଭିନ୍ନ ଭିନ୍ନ ମଡେଲର ଗାଡ଼ି ପାଇଁ ଭିନ୍ନ ଭିନ୍ନ ରାଶିର ବୀମା ପ୍ରିମିୟମ ଦେବାକୁ ହେବ।

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜୁଲାଇ ୨୦ ତାରିଖରେ ସୁପ୍ରିମକୋର୍ଟ ଗାଡ଼ିର ତୃତୀୟ ପକ୍ଷ ବୀମା ଅବଧିରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନୂଆ କାର୍‌ ପାଇଁ ୩ ବର୍ଷ ଏବଂ ନୂଆ ବାଇକ୍‌ ପାଇଁ ୫ ବର୍ଷର ବୀମା ବିକ୍ରି ପାଇଁ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୧ ସୁଦ୍ଧା ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦିଓ ସଡ଼କରେ ଚାଲୁଥିବା ଗାଡ଼ି ପାଇଁ ବୀମା ବାଧ୍ୟତାମୂଳକ ରହିଛି ତଥାପି ଏହାକୁ ଅନେକ ଲୋକ ଏଡ଼ାଇ ଯାଉଛନ୍ତି। ନୂଆ ପଦକ୍ଷେପ ଯୋଗୁଁ ଦେଶରେ ଗାଡ଼ିର ବୀମା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର