କାର୍‌ ବଜାରରେ ଉତ୍ସାହ : ମାରୁତି ସୁଜୁକି, କିଆ, ଫକ୍ସୱାଗନ୍‌ ଆଣିଲେ ନୂଆ କାର୍‌

ନୂଆଦିଲ୍ଲୀ : କରୋନା ସଙ୍କଟର ପ୍ରଭାବ ଅର୍ଥନୀତିରୁ ଧୀରେ ଧୀରେ ଦୂର ହେଉଥିବା ବେଳେ ଗାଡ଼ି କଂପାନିଗୁଡ଼ିକ ବଜାରରେ ରହିଥିବା ସୁଯୋଗକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ଦେଶର ତିନି ପ୍ରମୁଖ କାର୍‌ କଂପାନି ମାରୁତି ସୁଜୁକି, କିଆ ମୋଟର୍ସ ଓ ଫକ୍ସୱାଗନ୍‌ ପକ୍ଷରୁ ନୂଆ କାର୍‌ର ବଜାର ପ୍ରବେଶ କରାଯାଇଛି। ମାରୁତି ସୁଜୁକି ନୂଆ ଏସ୍‌-କ୍ରସ୍‌ ପେଟ୍ରୋଲ୍‌କୁ ଉନ୍ମୋଚନ କରିଥି‌ବା ବେଳେ କିଆ ମୋଟର୍ସ ଏହାର ସୋନେଟ୍‌ ଏସ୍‌ୟୁଭିର ବଜାର ପ୍ରବେଶ କରିଛି। ଫକ୍ସୱାଗନ୍ ମଧ୍ୟ ଏହାର ଦୁଇ ନୂଆ ଏସ୍‌ୟୁଭି ଟିଗୁଆନ୍ ଅଲ୍‌ସ୍ପେସ୍ ଓ ଟି-ରକ୍‌କୁ ଉନ୍ମୋଚନ କରିଛି। ମାରୁତି ସୁଜୁକି ପକ୍ଷରୁ ଏସ୍‌-କ୍ରସ୍‌ ପେଟ୍ରୋଲ୍‌କୁ ନେକ୍ସା ଡିଲର୍‌ସିପ୍‌ଗୁଡ଼ିକରେ ଉପଲବ୍ଧ କରାଯାଇଛି। ଏଥିରେ ୧.୫ ଲିଟରର କେ-ସିରିଜ୍ ବିଏସ୍‌-୬ ଇଞ୍ଜିନ ରହିଛି। ମନୋରଞ୍ଜନ ପାଇଁ ସ୍ମାର୍ଟ ପ୍ଳେ ‌ଷ୍ଟୁଡିଓ ଥିବା ବେଳେ ଆଧୁନିକ ସ୍ମାର୍ଟ ହାଇବ୍ରିଡ୍ ପ୍ରଯୁକ୍ତିକୁ ସେଥିରେ ବ୍ୟବହାର କରାଯାଇଛି। ଏହା ଲିଟର ପିଛା ୧୮.୫୫ ଲିଟରର ମାଇଲେଜ୍ ପ୍ରଦାନ କରୁଛି। ନୂଆ ଏସ୍‌-କ୍ରସ୍‌ ପେଟ୍ରୋଲ୍‌ ମାନୁଆଲ୍‌ରେ ଚାରିଟି ଓ ଅଟୋମେଟିକ୍‌ରେ ତିନିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହୋଇଛି। ଏହାର ମୂଲ୍ୟ ୮,୩୯,୩୯୯ ଟଙ୍କାରୁ ଆରମ୍ଭ ‌ହୋଇଛି। ନିରାପତ୍ତା ଦୃଷ୍ଟିରୁ ଏଥିରେ ଡୁଆଲ୍ ଫ୍ରଣ୍ଟ୍‌ ଏୟାରବ୍ୟାଗ୍‌, ଏବିଏସ୍‌ ସହିତ ଇବିଡି, ଅତି ବେଗ ବିଷୟରେ ସତର୍କ କରାଇବାର ବ୍ୟବସ୍ଥା ଓ ରିଭର୍ସ ପାର୍କିଂ ସେନ୍‌ସର୍‌ ରହିଛି।

କିଆ ‌ମୋଟର୍ସ ପକ୍ଷରୁ ଏହାର ନୂଆ ଏସ୍‌ୟୁଭି ‌ସୋନେଟ୍‌କୁ ଉନ୍ମୋଚନ କରାଯାଇଛି। ଆନ୍ଧ୍ରପ୍ରଦେଶ କାରଖାନାରେ କଂପାନି ଏହାକୁ ତିଆରି କରିଛି। ଭାରତରେ ଏହା ବିକ୍ରି ଖୁବ୍‌ଶୀଘ୍ର ଆରମ୍ଭ ହେବ। କଂପାନିର ଅଧ୍ୟକ୍ଷ ଓ ସିଇଓ, ହୋ ସୁଙ୍ଗ୍ ସଙ୍ଗ୍ ଓ କିଆଲହାକୁ ଉନ୍ମୋଚନ କରିଛନ୍ତି। ପ୍ରଥମ ଥର ପାଇଁ ଏହି ବର୍ଗରେ ସୋନେଟ୍ ୬–ସ୍ପିଡ୍ ଅଟୋମାଟିକ୍ ଟ୍ରାନ୍ସମିସନ ସହିତ ଏହାର ୧.୫ ଲିଟର ଡିଜେଲ୍ ଇଞ୍ଜିନକୁ ପ୍ରଦାନ କରୁଛି। ଗ୍ରାହକଙ୍କ ସୁାରକ୍ଷା ପାଇଁ ଏଥିରେ ୬ଟି ଏୟାରବ୍ୟାଗ୍, ହାଇଲାଇନ୍ ଟାୟାର ପ୍ରେସର ମନିଟରିଙ୍ଗ ସିଷ୍ଟମ, ଆଇସୋଫିକ୍ସ ଚାଇଲ୍ଡ ସିଟ୍ ଭଳି ସୁବିଧା ରହିଛି। ଫକ୍ସୱାନ୍ ପାସେଞ୍ଜର କାରସ୍‌ ଇଣ୍ଡିଆ ପକ୍ଷରୁ ଦୁଇଟି ନୂଆ ଏସ୍‌ୟୁଭି ଟି-ରକ୍ ଓ ସାତ ସିଟ୍‌ ବିଶିଷ୍ଟ ଟିଗୁଆନ୍ ଅଲ୍‌ସ୍ପେସ୍‌କୁ ଭୁବନେଶ୍ବର ବଜାରରେ ଉନ୍ମୋଚନ କରାଯାଇଛି। ଟି-ରକ୍‌ର ଏକ୍ସ ସୋ’ରୁମ ଦାମ୍ ୧୯.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ‌ହୋଇଥିବା ବେଳେ ଟିଗୁଆନ୍ ଅଲ୍‌ସ୍ପେସ୍‌ର ଦାମ୍ ୩୩.୧୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ‌ଯେଭଳି ସୁରକ୍ଷିତ ଭାବେ ଏହି ଦୁଇ ଗାଡ଼ି କିଣିପାର‌ିବେ ସେଥିପାଇଁ ଭୁବନେଶ୍ବରର ଡିଲରସିପ୍‌ରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର