ଜୁନ ୧ରୁ ମହଙ୍ଗା ହେବ କାର, ବାଇକ ବୀମା ପ୍ରିମିୟମ

ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଚିନ୍ତାଗ୍ରସ୍ତ କରିଥିବାବେଳେ ଆଉ ଏକ କ୍ଷେତ୍ରରେ ଦରବୃଦ୍ଧି ହେବାକୁ ଯାଉଛି । ତାହା ହେଉଛି ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ । ଆସନ୍ତା ଜୁନ ୧ରୁ ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ ବଢିବାର ସମ୍ଭାବନା ରହିଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ଜୁନ ୧ରୁ ଥାର୍ଡ ପାର୍ଟି ମୋଟର ଯାନ ଇନସୁରାନ୍ସ ପ୍ରିମିୟମ ବୃଦ୍ଧି ପାଇବ ।

ବୀମା ମୂଲ୍ୟ ବଢିବା ଦ୍ବାରା ନୂଆ କାର ଓ ବାଇକର ଦର ମଧ୍ୟ ବୃଦ୍ଧି ପାଇବ । ପୂର୍ବରୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ ଯୋଗୁଁ ଗ୍ରାହକମାନେ ଚାପରେ ଥିବାବେଳେ ବୀମା ପ୍ରିମିୟମ ଦରବୃଦ୍ଧି ସେମାନଙ୍କ ଉପରେ ଆଉ ଏକ ବୋଝ ହେବ ବୋଲି କୁହାଯାଉଛି ।

ବୁଧବାର ପ୍ରକାଶିତ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ୧୦୦୦ ସିସି ଇଂଜିନ ବିଶିଷ୍ଟ ଘରୋଇ କାର ପାଇଁ ବୀମା ପ୍ରିମିୟମ ୨୦୯୪ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ୨୦୧୯-୨୦ରେ ୨୦୭୨ ଟଙ୍କା ଥିଲା । ସେହିପରି ୧୦୦୦ସିସିରୁ ୧୫୦୦ ସିସି କାର ପାଇଁ ପ୍ରିମିୟମ ଦେୟ ୩୪୧୬ ଟଙ୍କାକୁ ବୃଦ୍ଧି ପାଇୂବ ଯାହାକି ଏବେ ୩୨୨୧ ଟଙ୍କା ରହିଛି । ୧୫୦୦ ସିସିରୁ ଅଧିକ ହେଲେ ପ୍ରିମିୟମ ମୂଲ୍ୟ ୭୮୯୭ଟଙ୍କାକୁ ବୃଦ୍ଧି କରାଯାଇଛି ।

୧୫୦ ସିସି ରୁ ୩୫୦ ସିସି ପର୍ଯ୍ୟନ୍ତ ଦୁଇ ଚକିଆ ଯାନ କ୍ଷେତ୍ରରେ ପ୍ରିମିୟମକୁ ୧୩୬୬ ଟଙ୍କା ଓ ୩୫୦ ସିସିରୁ ଅଧିକ ହେଲେ ପ୍ରିମିୟମକୁ ୨୮୦୪ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର