ଭୁବନେଶ୍ବର: ଭୁବନେଶ୍ବରରେ ଗତ ୧୦ବର୍ଷରେ ୧୦ଲକ୍ଷ ୩ହଜାର ୬୪ଟି ଗାଡ଼ି ବିକ୍ରି ହୋଇଛି। ଆଶ୍ଚର୍ଯ୍ୟର ବିଷୟ ରାଜ୍ୟରେ ୨୦୨୦, ମାର୍ଚ୍ଚରେ କୋଭିଡ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ଏହା ପୂର୍ବ ତିନି ବର୍ଷରେ ଭୁବନେଶ୍ବରରେ ବର୍ଷକୁ ଯେତିକି ଗାଡ଼ି ବିକ୍ରି ହେଉଥିଲା ତାହା ଏପର୍ଯ୍ୟନ୍ତ ଛୁଇଁନି। କିନ୍ତୁ କାର୍‌ ବିକ୍ରି ସଂଖ୍ୟା ପ୍ରାୟ ଦୁଇ ଗୁଣା ବଢ଼ିଯାଇଥିବା ନେଇ ବାଣିଜ୍ୟ ଓ ପରିବହନ ବିଭାଗର ରିପୋର୍ଟରୁ ଜଣାପଡ଼ିଛି।

Advertisment

ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଗତ ଦୁଇ ବର୍ଷ ତୁଳନାରେ ଦୁଇଚକିଆ ଯାନ ଅଧିକ ବିକ୍ରି ହୋଇଥିଲେ ବି କୋଭିଡ ପୂର୍ବର ରେକର୍ଡ ଏପର୍ଯ୍ୟନ୍ତ ଛୁଇଁପାରିନି। ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ମୋଟ୍ ୧୦ଲକ୍ଷ ୩ହଜାର ୬୪ଟି ଗାଡ଼ି ବିକ୍ରି ହୋଇଥିବାବେଳେ ଏଥିରେ ସର୍ବାଧିକ ଦୁଇ ଚକିଆ ଯାନ ୭,୧୪,୧୯୦ଟି ବିକ୍ରି ହୋଇଛି। ସେହିପରି ୧,୯୪,୩୫୨ଟି ଘରୋଇ ବ୍ୟବହାର ପାଇଁ କାର୍‌ ବିକ୍ରି ହୋଇଥିବାବେଳେ ୧୦ବର୍ଷରେ ୧୫୧୭୯ଟି କାର୍‌ ଟାକ୍ସି ପାଇଁ ପଞ୍ଜୀକୃତ ହୋଇଛି। ୨୦୧୩-୧୪ରେ ଭୁବନେଶ୍ବରରେ ୧୨୯୧୮ଟି କାର୍‌ ବିକ୍ରି ହୋଇଥିବାବେଳେ ୨୦୧୯-୨୦ରେ ୧୬୩୨୯ଟି କାର୍‌ ବିକ୍ରି ହୋଇଥିଲା। କୋଭିଡ୍ ସମୟରେ କାର୍‌ ବିକ୍ରି ସଂଖ୍ୟା ବଢ଼ିଥିଲେ ହେଁ ୨୦୨୨-୨୩ରେ ରେକର୍ଡ ସଂଖ୍ୟକ ୩୨୮୪୫ଟି କାର୍‌ ବିକ୍ରି ହୋଇଛି। ଟାକ୍ସି ବ୍ୟବହାର ପାଇଁ କାର୍‌ ବିକ୍ରି ମଧ୍ୟ ବଢ଼ିଛି। ୨୦୧୩-୧୪ରେ ୧୧୪୪ଟି କାର୍‌ ଟାକ୍ସି ପାଇଁ ପଞ୍ଜୀକରଣ ହୋଇଥିବାବେଳେ ୨୦୨୨-୨୩ରେ ୧୦ବର୍ଷ ମଧ୍ୟରେ ସର୍ବାଧିକ ୨୭୭୩ଟି କାର୍‌ ଟାକ୍ସି ପାଇଁ ପଞ୍ଜୀକୃତ ହୋଇଛି।

ସେହିପରି ମାଲ୍ ପରିବହନ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ିଛି । ୧୦ବର୍ଷରେ ୨୫୧୩୦ଟି ମାଲ୍‌ ପରିବହନ ଗାଡ଼ି ବିକ୍ରି ହୋଇଥିବାବେଳେ ଏଥିରୁ ସର୍ବାଧିକ ୪୨୨୯ଟି ୨୦୨୨-୨୩ ଆର୍ଥିକ ବର୍ଷରେ ବିକ୍ରି ହୋଇଛି। ଏହି ରିପୋର୍ଟରୁ ଏକ ରୋଚକ ତଥ୍ୟ ମିଳିଛି। ଅଟୋ ବିକ୍ରି ସଂଖ୍ୟା କମିଥିବାବେଳେ କାର୍‌ ଟାକ୍ସି ବିକ୍ରି ସଂଖ୍ୟା ବଢ଼ିଛି। ୨୦୨୦‌-୨୧ରେ ୭୫୫ଟି, ୨୦୨୧-୨୨ରେ ୯୫୨ଟି ଅଟୋ ବିକ୍ରି ହୋଇଥିବାବେଳେ ୨୦୨୨-୨୩ରେ ତୃତୀୟ ସର୍ବନିମ୍ନ (୧୦ବର୍ଷରେ) ୨୩୨୧ଟି ବିକ୍ରି ହୋଇଛି। ୨୦୧୯-୨୦ରେ ୪୪୯୩ଟି ଅଟୋ ବିକ୍ରି ହୋଇଥିବାବେଳେ ହଠାତ୍ ଅଟୋ ବିକ୍ରି କମିଯାଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ୧୦ବର୍ଷରେ ଭୁବନେଶ୍ବରରେ ୩୦୯୯ଟି ବସ୍‌ ପଞ୍ଜୀକୃତ ହୋଇଥିବାବେଳେ ୨୦୨୨-୨୩ରେ ଦ୍ବିତୀୟ ସର୍ବାଧିକ ୪୭୯ଟି ବସ୍‌ ପଞ୍ଜୀକୃତ ହୋଇଛି। ୨୦୧୮-୧୯ରେ ସର୍ବାଧିକ ୬୪୦ଟି ଏବଂ ୨୦୨୦-୨୧ରେ ସବୁଠୁ କମ୍‌ ୪୮ଟି ବସ୍‌ ପଞ୍ଜୀକୃତ ହୋଇଛି। ଏହାବାଦ୍‌ ଅନ୍ୟାନ୍ୟ ଗାଡ଼ି ୨୨୪୫୦ଟି ୧୦ବର୍ଷରେ ପଞ୍ଜୀକୃତ ହୋଇଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ ରାଜ୍ୟ ସରକାର ଓଡ଼ିଶା ରେଲ୍ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଲିମିଟେଡ (ଓଆର୍‌ଆଇଡିଏଲ୍‌)କୁ ଦାୟିତ୍ବ ଦେଇଛନ୍ତି। ଓଆର୍‌ଆଇଡିଏଲ୍‌ ଏବେ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍ (ଡିଏମ୍‌ଆର୍‌ସି)ସହଯୋଗରେ ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରୁଛି। ଡିଏମ୍‌ଆର୍‌ସି ଡିପିଆର୍‌ ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କୁ ମେ ୧୫ରେ ଭୁବନେଶ୍ବରରେ କେତେ ଗାଡ଼ି ଚଳାଚଳ କରୁଛି ଏବଂ ଗତ ୧୦ବର୍ଷରେ କେଉଁ ପ୍ରକାରର କେତେ ଗାଡ଼ି ପଞ୍ଜୀକୃତ ହୋଇଛି ତା’ର ତଥ୍ୟ ମାଗିଥିବାବେଳେ ଜୁନ୍‌ ୨ରେ ପରିବହନ ବିଭାଗ ଏହି ତଥ୍ୟ ଦେଇଛି।