ନୂଆଦିଲ୍ଲୀ: କ୍ରାସ୍‌ ‌ଟେଷ୍ଟ୍‌ କରିବା ଲାଗି କାର୍‌କୁ ଆଉ ବିଦେଶ ପଠାଇବାକୁ ପଡ଼ିବନି। ଦେଶ ଭିତରେ ସେହି ସୁବିଧା ମିଳିବ। ‌ବିଶ୍ବ ନୂଆ କାର୍‌ ଅନୁଧ୍ୟାନ କାର୍ଯ୍ୟକ୍ରମ (ଜିଏନ୍‌ସିଏପି) ଆଧାରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ନିଜସ୍ବ ‘ଭାରତ ନୂଆ କାର୍‌ ଅନୁଧ୍ୟାନ କାର୍ଯ୍ୟକ୍ରମ (ବିଏନ୍‌ସିଏପି) ପ୍ରସ୍ତୁତ କରିଛି। ଚଳିତ ବର୍ଷ ଅକ୍ଟୋବରରୁ ତାହା ଲାଗୁ କରାଯିବ। ଏହି ବ୍ୟବସ୍ଥାରେ କାର୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ପରଖିବା ପରେ ଏକରୁ ପାଞ୍ଚ ପର୍ଯ୍ୟନ୍ତ ଷ୍ଟାର୍ ରେଟିଂ ପ୍ରଦାନ କରାଯିବ। ରେଟିଂରୁ କେଉଁ କାର୍ କେତେ ସୁରକ୍ଷିତ ଜଣାପଡ଼ିବ। କାର୍‌ର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିବେ। କମିଟି ଜରିଆରେ କାର୍‌ଗୁଡ଼ିକର ପରୀକ୍ଷା କରାଯିବ ଓ ରେଟିଂ ପ୍ରଦାନ କରାଯିବ। ପରୀକ୍ଷାର ଫଳାଫଳକୁ ‌କାର୍ଯ୍ୟକ୍ରମର ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ରେଟିଂକୁ ସ୍ବେଚ୍ଛାଧୀନ ରଖାଯାଇଛି। ଅନୁଧ୍ୟାନ ଲାଗି କଂପାନି ନିଜ ଆଡ଼ୁ କାର୍‌ ପଠାଇପାରିବେ କିମ୍ବା ବିଏନ୍‌ସିଏପି କର୍ତ୍ତୃପକ୍ଷ ଡିଲର୍‌ମାନଙ୍କଠାରୁ କାର୍‌ ନେଇପାରିବେ। ଯେଉଁ କାର୍‌ର ସୁରକ୍ଷାକୁ ନେଇ ଅଧିକ ଅଭିଯୋଗ ହେବ ସେହି ମଡେଲ୍‌କୁ ବିଏନ୍‌ସିଏପି କର୍ତ୍ତୃପକ୍ଷ ନିଜେ ମଗାଇ ତାହାର ପରୀକ୍ଷା କରିପାରିବେ।

Advertisment

ଭାରତ ଏଭଳି ଏକ ସମୟରେ କାର୍‌ ରେଟିଂ ଆରମ୍ଭ କରିବାକୁ ଯାଉଛି ଯେତେବେଳେ ଷ୍ଟକ୍‌ହୋମ୍‌ରେ ଅଟୋମୋବାଇଲ୍ ଶିଳ୍ପର ଅଂଶୀଦାରମାନେ କାର୍‌କୁ ଯାତ୍ରୀମାନଙ୍କ ଲାଗି ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ଉପରେ ମାନସମନ୍ଥନ କରୁଛନ୍ତି। ବିଶ୍ବସ୍ତରରେ ପ୍ରଚଳିତ ବିଶ୍ବ ନୂଆ କାର୍‌ ଅନୁଧ୍ୟାନ କାର୍ଯ୍ୟକ୍ରମ (ଜିଏନ୍‌ସିଏପି) ଆଧାରରେ ବିଏନ୍‌ସିଏପିକୁ ପ୍ରସ୍ତୁତ କରାଯାଇଛି।