କଂପାନିଗୁଡ଼ିକର ଆକଳନ: ବ୍ୟକ୍ତିଗତ ସୁରକ୍ଷା ପାଇଁ କାର୍‌ ଚାହିଦା ବଢ଼ିବ

ଗାଡ଼ି କାରଖାନା କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି ସାମାଜିକ ଦୂରତ୍ବ ବଜାୟ ରଖିବା ଜରୁରୀ ହୋଇପଡ଼ିଥିବାରୁ ଲୋକମାନେ ନିଜ କାର୍‌ରେ ଯାତାୟାତ କରିବାକୁ ଅଧିକ ପସନ୍ଦ କରିବେ। ‌‌ଲୋକଙ୍କ ଏହି ଭାବନା କାର୍‌ ବିକ୍ରି ବଢ଼ାଇବାରେ ସହାୟକ ହେବ ବୋଲି ଦେଶର ପ୍ରମୁଖ ଗାଡ଼ି କଂପାନିଗୁଡ଼ିକ ଭାବୁଛନ୍ତି। ମାରୁତି ସୁଜୁକି, ହୋଣ୍ଡା, ଟୟୋଟା ଓ ଟାଟା ମୋଟର୍ସ ଭଳି କଂପାନି ଆକଳନ କରିଛନ୍ତି ଯେ ବ୍ୟକ୍ତିଗତ ବ୍ୟବହାର ଲାଗି କାର୍‌ର ବିକ୍ରି ବଢ଼ିବା ସମ୍ଭାବନା ରହିଛି।

ମାରୁତି ସୁଜୁକି ମତରେ ଲକ୍‌ଡାଉନ୍ ହଟିଯିବା ପରେ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା କାର୍‌ଗୁଡ଼ିକର ଚାହିଦା ବଢ଼ିବ। ନିକଟରେ କରାଯାଇଥିବା କେତେକ ସର୍ଭେରୁ ଜଣାପଡ଼ିଛି ଯେ ଲୋକମାନେ ସାର୍ବଜନୀନ ଗମନାଗମନ ବ୍ୟବସ୍ଥା ବଦଳରେ ବ୍ୟକ୍ତିଗତ ଗାଡ଼ିରେ ଯାତାୟାତ କରିବାକୁ ଅଧିକ ପସନ୍ଦ କରିବେ। କଂପାନିର ବିପଣନ ଓ ବିକ୍ରି ନିର୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ଏହା କହିଛନ୍ତି। ଲକ୍‌ଡାଉନ୍ ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିବାରୁ ଲୋକମାନଙ୍କ କ୍ରୟ ଶକ୍ତି ହ୍ରାସ ପାଇଛି। ତେଣୁ ସେମାନେ କମ୍ ମୂଲ୍ୟରେ ଉପଲବ୍ଧ ହେଉଥିବା କାର୍‌ କିମ୍ବା ଛୋଟ କାର୍‌ କିଣିବାକୁ ଅଧିକ ପସନ୍ଦ କରିବେ। ଏହି ଧାରା ଆମର ପ୍ରାୟ ୧୮୦୦ ଡିଲରସିପ୍‌ରେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ହୋଣ୍ଡା କାରସ୍‌ ଇଣ୍ଡିଆ ଲିମିଟେଡ୍‌ର ବରିଷ୍ଠ ଉପସଭାପତି ରାଜେଶ ଗୋଏଲ୍‌ ମଧ୍ୟ ସମାନ ଆକଳନ କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ୍-୧୯ ବ୍ୟାପିବା ପରଠାରୁ ଲୋକମାନେ ଅଧିକ ସଚେତନ ହୋଇଯାଇଛନ୍ତି। ସାର୍ବଜନୀନ ଗମନାଗମନ ବ୍ୟବସ୍ଥା କିମ୍ବା ସେୟାରଡ୍ ମୋବିଲିଟି ଠାରୁ ସେମାନେ ଦୂରେଇ ରହିବେ।

ଏହା ହେଲେ କାର୍‌ର ଚାହିଦା ବଢ଼ିବ। ନୂଆ କାର୍ ବ୍ୟତୀତ ଗ୍ରାହକମାନେ ସାର୍ଟିଫାଏଡ୍‌ ୟୁଜଡ୍‌ କାର୍‌ ପ୍ରତି ମଧ୍ୟ ଢଳିପାରନ୍ତି ବୋଲି ସେ କହିଛନ୍ତି। ଟୟୋଟା କିର୍ଲୋସ୍କରର ପ୍ରବକ୍ତା କହିଛନ୍ତି ଯେ, ରୋଗର ଭୟ, ସାମାଜିକ ଦୂରତ୍ବ ଏବଂ ସ୍ବଚ୍ଛତା ବଜାୟ ରଖିବା ଲାଗି ଲକ୍‌ଡାଉନ୍ ପରେ ଗ୍ରାହକମାନଙ୍କ ମଧ୍ୟରେ ବଡ଼ ଧରଣର ପରିବର୍ତନ ଦେଖିବାକୁ ମିଳିବ। ଫଳରେ କିଛି ଗ୍ରାହକ ସାର୍ବଜନୀନ ଗମନାଗମନ ବ୍ୟବସ୍ଥାରେ ଯାତ୍ରା ନକରି ନିଜ ଗାଡ଼ିର ବ୍ୟବସ୍ଥା କରିବା ପାଇଁ ଆଗେଇ ଆସିପାରନ୍ତି ବୋଲି ସେ କହିଛନ୍ତି। ଟାଟା ମୋଟର୍ସର ପ୍ରବକ୍ତା କହିଛନ୍ତି ଯେ କରୋନା ଭୂତାଣୁ ବ୍ୟାପିବା ପରେ ସାର୍ବଜନୀନ ଗମନାଗମନ ବ୍ୟବସ୍ଥା ବ୍ୟବହାର କରିବା ନେଇ ଲୋକଙ୍କ ମନରେ ଯେଉଁ ଭାବନା ରହିଥିଲା ସେଥିରେ ବଡ଼ ଧରଣର ପରବର୍ତ୍ତନ ହୋଇଛି। ଲୋକମାନେ ନିଜର ବ୍ୟକ୍ତିଗତ ସୁରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଚାହିବେ। ଏହାର ପ୍ରଭାବରେ ଗାଡ଼ି ବିକ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଯଦିଓ କାର୍‌ ଚାହିଦାରେ ବୃଦ୍ଧି ହେବ ବୋଲି କଂପାନିଗୁଡ଼ିକ ଆକଳନ କରିଛନ୍ତି, କିନ୍ତୁ ସରକାରଙ୍କ ତରଫରୁ ଚାହିଦା ବଢ଼ାଇବା ଲାଗି ପଦକ୍ଷେପ ଘୋଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।

ଗାଡ଼ି କାରଖାନା କର୍ମଚାରୀଙ୍କୁ କରୋନା
ଚେନ୍ନାଇ/ନୂଆଦିଲ୍ଲୀ: ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରାଯାଇଥିବା ବେଳେ ଆରମ୍ଭରୁ ଏହାକୁ ଝଟ୍‌କା ଲାଗିଛି। ଦେଶର ଦୁଇ ପ୍ରମୁଖ କାର୍‌ ନିର୍ମାତା ହୁଣ୍ଡାଇ ଓ ମାରୁତି ସୁଜୁକିର କର୍ମଚାରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ହୁଣ୍ଡାଇର ଚେନ୍ନାଇ କାରଖାନାରେ କାର୍ଯ୍ୟ କରୁଥିବା ତିନି ଜଣ କର୍ମଚାରୀ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିବା ବେଳେ ମାରୁତିର ମାନେସର କାରଖାନାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ହୁଣ୍ଡାଇ ପକ୍ଷରୁ କୁହାଯାଇଛି ଯେ, ଚଳିତ ମାସ ୮ରୁ ଆମେ କାରଖାନାକୁ ଖୋଲିଥିଲୁ। ପ୍ରଥମ ସପ୍ତାହରେ ତିନି ଜଣ କର୍ମଚାରୀଙ୍କ ଠ‌ାରେ ଥଣ୍ଡା ଓ କଫର ଲକ୍ଷଣ ଦେଖିବାକୁ ମିଳିଥିଲା।

ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା, ସଙ୍ଗରୋଧରେ ରହିବା ଏବଂ ସମ୍ପୂର୍ଣ୍ଣ ସ୍ବଚ୍ଛତା ବଜାୟ ରଖିବା ଭଳି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ତିନି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୬ ଜଣ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ଦୁଇ ଦିନ ଭିତରେ ଆସିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। କରୋନା ଭୂତାଣୁ ସଂକ୍ରମିତ କର୍ମଚାରୀମାନେ କାରଖାନାର ଯେଉଁ ସବୁ ସ୍ଥାନକୁ ଯାଇଥିଲେ ତାହାକୁ ଏବେ ସାନିଟାଇଜ୍ କରାଯାଉଛି। ଏହି କାମ ପାଇଁ ୩-୪ ଦିନ ସମୟ ଲାଗିବ। ଏହି ସମୟ ଭିତରେ ଅନ୍ୟ କୌଣସି କର୍ମଚାରୀ ଉକ୍ତ ଅଞ୍ଚଳକୁ ପ୍ରବେଶ କରିପାରିବେ ନାହିଁ। ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟିଂ କରିବା ଲାଗି ହୁଣ୍ଡାଇ କର୍ମଚାରୀ ସଂଘ ତରଫରୁ କଂପାନି କର୍ତ୍ତୃପକ୍ଷ ଓ ତାମିଲନାଡୁ ସରକାରଙ୍କ ନିକଟରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର