ଏପ୍ରିଲରୁ ମହଙ୍ଗା ହେବ ଗାଡ଼ି ବୀମା!

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦୁଇବର୍ଷ ହେଲା ଗାଡ଼ିଗୁଡ଼ିକର ତୃତୀୟ ପକ୍ଷ ବୀମା ପ୍ରିମିୟମରେ ସଂଶୋଧନ ହୋଇ ନଥିବାବେଳେ ଆସନ୍ତାମାସ ଏପ୍ରିଲ ପହିଲାରୁ ଏହା ବଢ଼ିବା ସମ୍ଭାବନା ରହିଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ତୃତୀୟ ପକ୍ଷ ଗାଡ଼ି ବୀମା ପ୍ରିମିୟମର ଏକ ଚିଠା ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ୧୦୦୦ ସିସି ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ ୨୦୯୪ ଟଙ୍କାକୁ ବୃଦ୍ଧି କରାଯିବ। ୨୦୧୯-୨୦ରୁ ଏହା ୨୦୭୨ ଟଙ୍କା ରହିଛି। ୧୦୦୦ ସିସିରୁ ୧୫୦୦ ସିସି କ୍ଷମତା ବିଶିଷ୍ଟ ଘରୋଇ କାରର ତୃତୀୟ ପକ୍ଷ ବୀମା ପ୍ରିମିୟମ ୩୪୧୬ ‌ଟଙ୍କା, ୧୫୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଗାଡ଼ିର ବୀମା ପ୍ରିମିୟମ ୭୮୯୦ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ରହିଛି। ବର୍ତ୍ତମାନ ଏହି ବର୍ଗର ଗାଡ଼ି ଗୁଡ଼ିକର ପ୍ରିମିୟମ ଯଥାକ୍ରମେ ୩୨୨୧ ଟଙ୍କା ଏବଂ ୭୮୯୦ ଟଙ୍କା ରହିଛି। ୧୫୦ ସିସିରୁ ଅଧିକ ଏବଂ ୩୫୦ ସିସିରୁ କମ୍‌ କ୍ଷମତା ବିଶିଷ୍ଟ ଦୁଇ ଚକିଆ ଗାଡ଼ି ପାଇଁ ୧୩୬୬ ଟଙ୍କା ଏବଂ ୩୫୦ ସିସିରୁ ଅଧିକ ଗାଡ଼ି ପାଇଁ ୨୮୦୪ ଟଙ୍କା ପ୍ରିମିୟମ ଆଦାୟ ପ୍ରସ୍ତାବ ରହିଛି। ଘରୋଇ ବିଦ୍ୟୁତ କାର, ଦୁଇ ଚକିଆ ବିଦ୍ୟୁତ୍ ଗାଡ଼ି, ବିଦ୍ୟୁତ ଚାଳିତ ବାଣିଜ୍ୟିକ ଯାନ ଏବଂ ଯାତ୍ରୀବାହୀ ଯାନର ପ୍ରିମିୟମରେ ୧୫ ପ୍ରତିଶତ ରିହାତି ଦିଆଯିବା ପ୍ରସ୍ତବା ରହିଛି। ହାଇବ୍ରିଡ ମୋଟର ଯାନର ତୃତୀୟ ପକ୍ଷ ବୀମାରେ ମଧ୍ୟ ୭.୫ ପ୍ରତିଶତ ରିହାତି ଦିଆଯିବ।

ସମ୍ବନ୍ଧିତ ଖବର