କାର୍‌ କଂପାନିଙ୍କ ଅଭିନବ ଋଣ ଅଫର: ପ୍ରଥମେ କମ୍, ପରେ ଅଧିକ ସୁଧ ଦେବେ ଗ୍ରାହକ

ମୁମ୍ବାଇ: ଦୀର୍ଘବର୍ଷ ଧରି ଭାରତରେ ଯେଉଁ ଋଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପଛଘୁଞ୍ଚା ଦେଉଥିଲେ ଏବେ ତାହାକୁ କାର୍ଯ୍ୟକାରୀ କରିଛନ୍ତି। କରୋନା ପାଇଁ ଅର୍ଥନୀତି ତଳିତଳାନ୍ତ ହୋଇଯାଇଛି। କାର୍‌ ବିକ୍ରି ସାଂଘାତିକ ମାତ୍ରାରେ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି କାର୍ ନିର୍ମାତାମାନେ ବ୍ୟାଙ୍କ ଗୁଡ଼ିକ ସହିତ ନୂଆ ଫର୍ମୁଲାରେ ଋଣ ଦେବା ଯୋଜନା ଆରମ୍ଭ କରିଛନ୍ତି। ଟିଜର ଲୋନ୍ ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି। ରିଜର୍ଭ ବ୍ୟାଙ୍କ ମଧ୍ୟ ଏ ନେଇ ନରମ ମନୋଭାବ ପୋଷଣ କରିଛି। ବର୍ତ୍ତମାନ ସୁଦ୍ଧା ମାରୁତି ସୁଜୁକି, ହୁଣ୍ଡାଇ ଓ ମର୍ସିଡିସ୍‌ ବେଞ୍ଜ୍‌ ଏଭଳି ଯୋଜନା ଆରମ୍ଭ କରିଛନ୍ତି।

ଆମେରିକାରେ ୨୦୦୭-୦୮ରେ ସବ୍‌ପ୍ରାଇମ୍ ଋଣ ସଂକଟ ପଛରେ ଏଭଳି ଯୋଜନାର ବଡ଼ ହାତ ଥିଲା ବୋଲି ଅଭିଯୋଗ ହୋଇଥାଏ। ତେଣୁ ଏଭଳି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ରିଜର୍ଭ ବ୍ୟାଙ୍କ ଆଗ୍ରହ ପ୍ରକାଶ କରୁ ନଥିଲା। ତେବେ ରିଜର୍ଭ ବ୍ୟାଙ୍କ କେବେ ବି ଏହାକୁ ନିଷିଦ୍ଧ ମଧ୍ୟ କରି ନଥିଲା। ବ୍ୟାଙ୍କ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ କାର୍ ବିକ୍ରିକୁ ବଢ଼ାଇବା ପାଇଁ ଟିଜର୍ ଲୋନ୍ ଯୋଜନାର ଆବଶ୍ୟକତା ରହିଛି। ଆର୍ଥିକ ସ୍ଥିତିରେ ସୁଧାର ନଆସିଲେ ଚଳିତବର୍ଷ କାର୍ ବିକ୍ରି ୪୫ ପ୍ରତିଶତ କମିଯାଇପାରେ ବୋଲି ମଧ୍ୟ ନିର୍ମାତାମାନେ ସତର୍କ କରାଇ ଦେଇଛନ୍ତି। ତେବେ କୋଭିଡ୍‌-୧୯ ପାଇଁ ଲୋକମାନଙ୍କୁ ସହଜ ଋଣ ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ। ପ୍ରଥମେ ସେମାନଙ୍କୁ କମ୍ ସୁଧ ଓ ପରେ ଅଧିକ ସୁଧ ଆଦାୟ କରାଯାଇ ପାରିବ। ତେବେ ରିଜର୍ଭ ବ୍ୟାଙ୍କ, ଅଟୋମୋବାଇଲ କମ୍ପାନି ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ କୌଣସି ମତାମତ ଦିଆଯାଇ ନାହିଁ। ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଅର୍ଥ ମନ୍ତ୍ରାଳୟ ବ୍ୟାଙ୍କ ଗୁଡ଼ିକୁ ଲୋକଙ୍କୁ ଅଧିକ ଋଣ ଦେବା ଉପରେ ଚାପ ସୃଷ୍ଟି କରୁଛି। ବ୍ୟାଙ୍କ ଗୁଡ଼ିକ ମୋଟ ଅନାଦାୟ ଋଣ ୧୨୦ ବିଲିଅନ ଡଲାରରେ ରହିଛି। କରୋନା ପାଇଁ ଲକ୍‌ଡାଉନ୍‌ ଲାଗୁ ହେବା କାରଣରୁ ଅର୍ଥନୀତିର ସ୍ଥିତି ଆହୁରି ବିଗିଡ଼ି ଯାଇଛି। ଏକ ଘରୋଇ ବ୍ୟାଙ୍କ ପକ୍ଷରୁ ଏପ୍ରକାର ଋଣ ଯୋଜନା ଆରମ୍ଭ ପାଇଁ ମଧ୍ୟ ଚିନ୍ତା କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ କୌଣସି ଉପାୟ ନାହିଁ ବୋଲି ଉକ୍ତ ବ୍ୟାଙ୍କର ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର