ନୂଆଦିଲ୍ଲୀ: କଞ୍ଚାମାଲ ଦାମ୍‌ରେ ହୋଇଥିବା ବୃଦ୍ଧି ବିଚାରକୁ ନେଇ ଦେଶର କିଛି ପ୍ରମୁଖ କଂପାନି ଆସନ୍ତା ଜାନୁଆରିରୁ କାର୍‌ ଦାମ୍ ବଢ଼ାଇବା ଉପରେ ବିଚାର କରୁଛନ୍ତି। ବିଳାସପୂର୍ଣ୍ଣ କାର୍ ନିର୍ମାତା ଅଡି ଓ ଦେଶର ଏକ ନମ୍ବର କାର୍ କଂପାନି ମାରୁତି ସୁଜୁକି ପକ୍ଷରୁ ଦରବୃଦ୍ଧି ଘୋଷଣା କରାଯାଇଛି। ଟାଟା ମୋଟର୍ସ ଦାମ୍ ବଢ଼ାଇବା ଉପରେ ବିଚାର କରୁଥିବା କହିଛି।ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ କାର୍ ନିର୍ମାଣରେ ବ୍ୟବହାର ହେଉଥିବା କଞ୍ଚାମାଲ ଦାମ୍ ବୃଦ୍ଧି ପାଇଥିବାରୁ ୨୦୨୪ ଜାନୁଆରିରୁ କଂପାନି ଏହାର କାର୍‌ଗୁଡ଼ିକର ଦାମ୍ ବଢ଼ାଇବ।

Advertisment

ତେବେ ଦରବୃଦ୍ଧିର ପ୍ରଭାବକୁ ଯଥା ସମ୍ଭବ କମ୍ କରିବା ଲାଗି କଂପାନି ଉଦ୍ୟମ କରୁଥିବା ଷ୍ଟକ ବଜାରକୁ କହିଛି। କଂପାନିର ବିଭିନ୍ନ ଗାଡ଼ିର ମୂଲ୍ୟରେ ଅଲଗା ଅଲଗା ପ୍ରକାର ବୃଦ୍ଧି ହେବ। ସେହିପରି, ଜର୍ମାନୀର କାର୍‌ ନିର୍ମାତା ଅଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ବର୍ଷ ଜାନୁଆରିରୁ କଂପାନି ଏହାର କାର୍‌ଗୁଡ଼ିକର ଦାମ୍‌ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। କଞ୍ଚାମାଲ ଦାମ୍‌ରେ ବୃଦ୍ଧି ଓ ପରିଚାଳନା ଖର୍ଚ୍ଚରେ ହୋଇଥିବା ବୃଦ୍ଧିକୁ ବିଚାରକୁ ନେଇ କଂପାନି ଦରବୃଦ୍ଧି କରିବ। ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି ଯେ ଆମେ ୨୦୨୪‌ ଜାନୁଆରିରୁ ଯାତ୍ରୀବାହୀ ଓ ଇଲେକ୍ଟ୍ରିକ୍ କାର୍‌ର ଦାମ୍ ବଢ଼ାଇବୁ। ତେବେ ଦରବୃଦ୍ଧିର ପରିମାଣ କେତେ ରହିବ ତାହା ଆସନ୍ତା କିଛି ସପ୍ତାହ ମଧ୍ୟରେ ଧାର୍ଯ୍ୟ କରାଯିବ ବୋଲି କଂପାନି କହିଛି।