ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବଢ଼ିବା ସହ ବହୁ ଧନୀ ରାଷ୍ଟ୍ରକୁ ପଛରେ ପକାଇଛି। କିନ୍ତୁ ବିକାଶର ସେହି ଲାଭ ସମାଜର ସବୁ ବର୍ଗ ପାଖରେ ସମାନ ଭାବେ ପହଞ୍ଚିପାରିନାହିଁ। ତାହାର ଏକ ବଳିଷ୍ଠ ଉଦାହରଣ ହେଉଛି କାର୍ କିଣା। କାର୍ କିଣିବା ଦେଶର ମାତ୍ର ୧୨ ପ୍ରତିଶତ ଧନୀ ପରିବାର ଭିତରେ ସୀମିତ ରହିଯାଇଛି। ଯେଉଁମାନଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ, କେବଳ ସେମାନେ ହିଁ କାର୍ କିଣିପାରୁଛନ୍ତି। ଅବଶିଷ୍ଟ ୮୮ ପ୍ରତିଶତ ପରିବାର ଛୋଟ କାର୍ କିଣିବାକୁ ମଧ୍ୟ ସକ୍ଷମ ନୁହନ୍ତି ବୋଲି ମାରୁତି ସୁଜୁକିର ଅଧ୍ୟକ୍ଷ ଆର୍ ସି ଭାର୍ଗବ କହିଛନ୍ତି।
ବିଭିନ୍ନ ସମୟରେ ଘୋଷଣା ହେଉଥିବା ନିୟାମକ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ପରେ ଛୋଟ କାର୍ ଦାମ୍ ଏତେ ବଢ଼ିଯାଇଛି ଯେ ତାହାକୁ ସାଧାରଣ ଲୋକ କିଣିବା ସମ୍ଭବ ହେଉନାହିଁ। ଭାରତରେ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୩୪ ଜଣଙ୍କ ପାଖରେ କାର୍ ରହିଛି। ଭାରତ ପାଖାପାଖି କୌଣସି ଦେଶରେ କାର୍ ସାନ୍ଦ୍ରତା ଏତେ କମ୍ ନାହିଁ। ଯେଉଁ ଦେଶରେ ୮୮ ପ୍ରତିଶତ ପରିବାର କାର୍ କିଣିପାରୁନାହାନ୍ତି, ସେଠାରେ ଅଟୋମୋବାଇଲ୍ ଶିଳ୍ପର ଅଭିବୃଦ୍ଧି ଦ୍ରୁତ ଗତିରେ ବଢ଼ିବା ଆଶା କରାଯାଇନପାରେ ବୋଲି ଭାର୍ଗବ କହିଛନ୍ତି।
ବଜେଟ୍ରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ଘୋଷଣା ଦ୍ବାରା କାର୍ ବିକ୍ରି ବଢ଼ିବା ଆଶା କରାଯାଇନପାରେ ବୋଲି ସେ କହିଛନ୍ତି। ଏକ ପରିବାରର ଅନେକ ଆବଶ୍ୟକତା ରହିଛି। କୌଣସି ପରିବାର ନିଜର ସମସ୍ତ ସଞ୍ଚିତ ଅର୍ଥକୁ କାର୍ କିଣିବା ଲାଗି ରଖନ୍ତି ନାହିଁ ବୋଲି ସେ କହିଛନ୍ତି। ଲୋକମାନଙ୍କ ଅଭିଳାଷ ବଢ଼ିଥିବାରୁ ବଡ଼ କାର୍ ଓ ଏସ୍ୟୁଭି ବିକ୍ରି ବଢ଼ୁଥିବା ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ଲୋକମାନେ ଛୋଟ କାର୍ କିଣିପାରୁନାହାନ୍ତି। ତାହା ବାସ୍ତବ ସତ ବୋଲି ସେ କହିଛନ୍ତି। ଜାପାନରେ ମୋଟରସାଇକଲ୍ ଚଢ଼ୁଥିବା ଲୋକମାନଙ୍କ କାର୍ ସ୍ବପ୍ନ ପୂରଣ କରିବା ଲାଗି ୬୬୦ ସିସି ଇଞ୍ଜିନ ଥିବା ଛୋଟ କାର୍ ପ୍ରଚଳନ କରାଯାଇଥିଲା। ତାହା ବେଶ୍ ସଫଳ ହୋଇଥିଲା। ଭାରତରେ ସେହି ଧରଣର ବିକଳ୍ପ ଆବଶ୍ୟକ ରହିଛି ବୋଲି ଭାର୍ଗବ କହିଛନ୍ତି।