ଏବର୍ଷ ପାର୍ବଣରେ ଗାଡ଼ି ବେପାର ମାନ୍ଦା

ନୂଆଦିଲ୍ଲୀ : ଚଳିତ ପାର୍ବଣ ଋତୁରେ ଅଭିବୃଦ୍ଧି କ୍ଷେତ୍ରରେ ନୈରାଶ୍ୟଜନକ ଅବସ୍ଥା ନେଇ ଫେଡ଼େରେସନ ଅଫ ଅଟୋମୋବାଇଲ ଡ଼ିଲର ଆସୋସିଏସନ (ଏଫଏଡ଼ିଏ) ଉଦ୍‌ବେଗ ପ୍ରକାଶ କରିଛି । ଦୀପାବଳି ଓ ନବରାତ୍ରି ବିକ୍ରି ନେଇ ଏଫଏଡ଼ିଏର ସଭାପତି ଆଶିଷ ହର୍ଷରାଜ କାଲେ କହିଛନ୍ତି ଯେ, ବିଗତ କିଛି ବର୍ଷ ମଧ୍ୟରେ ପାର୍ବଣ ଋତୁରେ ଏପ୍ରକାର ନୈରାଶ୍ୟଜନକ କାରବାର ଆମେ ଦେଖିନଥିଲୁ । ଚଳିତ ପାର୍ବଣ ସମୟରେ ଅନେକ ନକରାତ୍ମକ ଉପାଦାନ ଦେଖିବାକୁ ମିଳିଥିଲା ଯଦ୍ୱାରା ଗ୍ରାହକ ମାନସିକ ଅବସ୍ଥାରେ ଦୁର୍ବଳ ହେବା ସହ ନିଜ ସାମଗ୍ରୀ କ୍ରୟ ସ୍ଥଗିତ ରଖିବାକୁ ଚାହିଁଥିଲେ । ଏହା ଖାଉଟି ସାମଗ୍ରୀ ଡ଼ିଲରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଚଳିତ ଦଶହରା ଓ ନବରାତ୍ରୀ ସମୟରେ ଦୁଇଚିକିଆ ଓ ୪ ଚକିଆ ଘରୋଇ ଯାନ ବିକ୍ରି କ୍ଷେତ୍ରରେ ନକରାତ୍ମକ ଅଭିବୃଦ୍ଧି ଦେଖାଦେଇଛି । ଅକ୍ଟୋବରରେ ତୈଳ ଦର ମୂଲ୍ୟରେ କିଛିଟା ହ୍ରାସ ଯୋଗୁଁ ଦୁଇ ଚକିଆ ଯାନ ବିକ୍ରିରେ ବୃଦ୍ଧି ଘଟିଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ନକରାତ୍ମକ ସ୍ତରରେ ରହିଛି । ଏହି ସମୟରେ ଡ଼ିଲରଙ୍କ ନିକଟରେ ଗାଡ଼ି ଗଚ୍ଛିତ ହୋଇ ରହିଥିବା ଦେଖାଯାଇଥିଲା । ବ୍ୟବସାୟିକ ଯାନ ବିକ୍ରି କ୍ଷେତ୍ରରେ ଅଭିବୃଦ୍ଧି ରହିଥିଲେ ମଧ୍ୟ ଏହି ସମୟରେ କିଛିଟା ମାନ୍ଦାବସ୍ଥା ସୃଷ୍ଟି ହୋଇଥିବା ମଧ୍ୟ ଦେଖାଯାଇଥିଲା । ଏନ୍‌ବିଏଫସି ଲିକ୍ୟୁଡ଼ିଟି ଅବସ୍ଥା ଏବେବି ଉଦ୍‌ବେଗଜନକ ଅବସ୍ଥାରେ ରହିଛି । ଅଟୋ ଏନ୍‌ବିଏଫସି କ୍ଷେତ୍ରରେ ଲିକ୍ୟୁଡ଼ିଟି କୋହଳ କରିବା ପାଇଁ ସଂଘ ପକ୍ଷରୁ ସରକାର ଓ ଆରବିଆଇକୁ ନିବେଦନ କରାଯାଇଛି । ଚଳିତ ବର୍ଷର ୪୨ ଦିନଆ ପାର୍ବଣ ସମୟରେ ଗାଡ଼ି ବିକ୍ରି ଗତବର୍ଷ ତୁଳନାରେ ୧୧% ହ୍ରାସ ପାଇଛି । ଦୁଇଚକିଆ ଯାନ ବିକ୍ରି କ୍ଷେତ୍ରରେ ୧୩% , ଯାତ୍ରୀବାହୀ ଗାଡ଼ି କ୍ଷେତ୍ରରେ ୧୪%, ୩ ଚକିଆ ଗାଡ଼ି କ୍ଷେତ୍ରରେ ୧୦% ଓ ବ୍ୟବସାୟିକ ଯାନ କ୍ଷେତ୍ରରେ ୧୬% ବିକ୍ରି ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର