ନୂଆଦିଲ୍ଲୀ: ଚଳିତବର୍ଷ କାର୍ କିଣିବା କ୍ଷେତ୍ରରେ ଭାରତ ଢେର୍ ଆଗରେ। ଓନମ୍ରୁ ଆରମ୍ଭ ହୋଇ ଭାଇ ଦୁଜ୍ରେ ଶେଷ ହୋଇଥିବା ଏ ବର୍ଷର ପାର୍ବଣ ୩ ମାସରେ ଲୋକେ ସର୍ବାଧିକ କାର୍ କିଣିଛନ୍ତି। ଅଟୋମୋବାଇଲ ଶିଳ୍ପ ଅନୁଯାୟୀ, ଏହି ପାର୍ବଣରେ ଗୋଟାଏ ମିନିଟ୍ରେ ପ୍ରାୟ ୯ଟି କାର୍ ବିକ୍ରି ହୋଇଥିବା ସୂଚନା ରହିଛି। ତେବେ ଏହି ୯୦ ଦିନ ମଧ୍ୟରେ ଦେଶରେ ସମୁଦାୟ ୧୧.୪ ଲକ୍ଷ କାର୍ ବିକ୍ରି ହୋଇଥିବା ସୂଚନା ରହିଛି।
ତେବେ ଅଟୋମୋବାଇଲ୍ ଶିଳ୍ପ ୧୧.୪ ଲକ୍ଷ କାର ବିକ୍ରୟରୁ ୧.୩ ଲକ୍ଷ କୋଟି ଟଙ୍କା ଆୟ କରିଛି। ଚଳିତବର୍ଷର ଉତ୍ସବରେ ପ୍ରିମିୟମ ଏବଂ ହାଇଏଣ୍ଡ କାରର ବିକ୍ରି ବୃଦ୍ଧି ପାଇଛି, ତେଣୁ ଅଟୋମୋବାଇଲ ଶିଳ୍ପର ରାଜସ୍ୱ ଶକ୍ତିଶାଳୀ ହୋଇଛି। ଏହି ୯୦ ଦିନ ମଧ୍ୟରେ ସ୍ପୋର୍ଟସ ସେଗମେଣ୍ଟର ଯାନଗୁଡିକ ପାଇଁ ଏକ ବଡ଼ କ୍ରେଜ୍ ରହିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଦୈନିକ ପ୍ରାୟ ୧୩ ହଜାର ୟୁନିଟ୍ କାର ବିକ୍ରି ହୋଇଛି।
କରୋନା ସଙ୍କଟ ସମୟରେ କାର ଉତ୍ପାଦନ ଉପରେ ଢେର୍ ପ୍ରଭାବ ପଡ଼ିଥିବା ବେଳେ ଏବେ ଗ୍ରାହକଙ୍କ ଚାହିଦା ହେତୁ ଚଳିତବର୍ଷ ପାର୍ବଣ ସମୟରେ କାର୍ ବିକ୍ରି ସଂଖ୍ୟା ଖୁବ୍ ଅଧିକ ବୃଦ୍ଧି ପାଇଛି।
ଗତବର୍ଷର ପାର୍ବଣ ସମୟରେ ଅଟୋମୋବାଇଲ୍ କମ୍ପାନି ପ୍ରାୟ ୮୫,୭୦୦ କୋଟି ଟଙ୍କା ମୂଲ୍ୟର କାର ବିକ୍ରି କରିଥିଲା। ପୂର୍ବରୁ ଏହି ସମୟରେ ବେଶି କାର୍ ବିକ୍ରି ହେଉ ନଥିବା ବେଳେ ଗତ ଦୁଇ ବର୍ଷ ହେବ ଟିକେ ଆଖି ଦୃଶିଆ ବିକ୍ରୟ ହେଉଛି।
ଭାରତର ଯୁବ ବର୍ଗଙ୍କ ମଧ୍ୟରେ ନୂତନ ବୈଶିଷ୍ଟ୍ୟ ଏବଂ ଆଧୁନିକ ସୁବିଧା ଥିବା କାରଗୁଡିକର ଚାହିଦା ବୃଦ୍ଧି ପାଉଛି। ଯଦି ଆମେ ଦେଶରେ ଏହି ୩ ମାସ ମଧ୍ୟରେ ବିକ୍ରି ହୋଇଥିବା କାରଗୁଡିକର ହାରାହାରି ମୂଲ୍ୟ ବିଷୟରେ କହିବା, ତେବେ ଚଳିତବର୍ଷ ଏହା କାର ପିଛା ୧୧.୫ ଲକ୍ଷ ଟଙ୍କା ରହିିଛି।