ନୂଆଦିଲ୍ଲୀ: ଚଳିତବର୍ଷ ଜୁନରେ ଦେଶରେ ଗାଡ଼ି ବିକ୍ରି ଗତବର୍ଷ ଜୁନ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ଦୁଇ ଚକିଆ ଯାନ ବିକ୍ରି ଉକ୍ତ ମାସରେ ୭ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଯାତ୍ରୀବାହୀ ଯାନ ବିକ୍ରି ୫ ପ୍ରତିଶତ ବୃଦ୍ଧି ଘଟିଛି। ତିନି ଚକିଆ ଯାନ ବିକ୍ରି କିନ୍ତୁ ଉଲ୍ଲେଖନୀୟ ଭାବେ ୭୫ ପ୍ରତିଶତ ବଢ଼ିଛି। ଟ୍ରାକ୍ଟର ଓ ବାଣିଜ୍ୟିକ ଯାନ ବିକ୍ରି ଯଥାକ୍ରମେ ୪୧ ପ୍ରତିଶତ ଓ ୦.୫ ପ୍ରତିଶତ ବୃଦ୍ଧି ପାଇଛି। ବାଣିଜ୍ୟିକ ଯାନ ବିକ୍ରି ୨୦୧୯ ଜୁନ ତୁଳନାରେ ଚଳିତବର୍ଷ ଜୁନରେ ୧.୫ ପ୍ରତିଶତ ଅଧିକ ରହିଛି। ଅର୍ଥାତ୍ ପ୍ରଥମ ଥର ପାଇଁ କରୋନା ପୂର୍ବ ବିକ୍ରିକୁ ଏହା ଅତିକ୍ରମ କରିଛି। କିନ୍ତୁ କରୋନା ପୂର୍ବ ସ୍ଥିତି ତୁଳନାରେ ଚଳିତବର୍ଷ ଜୁନରେ ମୋଟ ଗାଡ଼ି ବିକ୍ରି ୩ ପ୍ରତିଶତ କମ୍ ରହିଛି ବୋଲି ଅଟୋମୋବାଇଲ ଡିଲର ମହାସଂଘ (ଫାଡା) ରିପୋର୍ଟରୁ ଏହା ଜଣାଯାଇଛି।

Advertisment

ରିପୋର୍ଟରୁ ଏହା ଜଣାଯାଇଛି ଯେ ‌ଚଳିତବର୍ଷ ମେ’ ମାସ ତୁଳନାରେ ଜୁନରେ କେତେକ କାରଣରୁ ଦୁଇ ଚକିଆ ଯାନ ବିକ୍ରିରେ ୧୨ ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ଫେମ୍‌-୨ ଅଧୀନରେ ସବ୍‌ସିଡି ହ୍ରାସ ପାଇଁ ବ୍ୟାଟେରି ଗାଡ଼ି ବିକ୍ରି ଚଳିତବର୍ଷ ମେ’ ତୁଳନାରେ ଜୁନ୍‌ରେ ୫୬ ପ୍ରତିଶତ କମିଛି। ଫାଡ଼ା ସଭାପତି ମନିଷ ରାଜ୍‌ ସିଂଘାଣିଆ କହିଛନ୍ତି, ୨୦୨୩ ଜୁନରେ ୩ ଚକିଆ ଯାନ ବିକ୍ରି ଅତି ଭଲ ରହିଛି। ବଜାରରେ ସକାରାତ୍ମକ ମନୋଭାବ ଏବଂ ଗତବର୍ଷର ନିମ୍ନ ବିକ୍ରି ପ୍ରଭାବରେ ଚଳିତବର୍ଷ ଜୁନ ବିକ୍ରି ସଂଖ୍ୟା ଭଲ ରହିଥିବା ସେ କହିଛନ୍ତି।