ନୂଆଦିଲ୍ଲୀ: ଚଳିତ ବର୍ଷର ଅକ୍ଟୋବର ମାସ ଗାଡ଼ି କଂପାନିଗୁଡ଼ିକ ଲାଗି ସବୁଠୁ ଭଲ ମାସ ସାବ୍ୟସ୍ତ ହୋଇଛି। ଗତ ଚାରି ବର୍ଷ ଭିତରେ ଏହି ମାସରେ ସର୍ବାଧିକ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି। ଅଟୋମୋବାଇଲ୍ ଡିଲର ସଂଘ ଫାଡା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ‌ଅକ୍ଟୋବରରେ ୨୦,୯୪,୩୭୮ ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୧ର ଅକ୍ଟୋବରରେ ହୋଇଥିବା ୧୪ ଲକ୍ଷ ୧୮ ହଜାର ୭୨୬ଟି ଗାଡ଼ି ତୁଳନାରେ ପ୍ରାୟ ୪୮ ପ୍ରତିଶତ ଅଧିକ। କାର୍, ଦୁଇ ଚକିଆ ବାଇକ୍ ଓ ସ୍କୁଟର ଏବଂ ତିନି ଚକିଆ ଗାଡ଼ି ବିକ୍ରିରେ ବଡ଼ ଧରଣର ବୃଦ୍ଧି ହୋଇଛି।

Advertisment

କାର୍‌ ବିକ୍ରି ୪୧% ବଢ଼ିଥିବା ବେଳେ ଦୁଇଚକିଆ ବିକ୍ରି ୫୧.୧୦ ପ୍ରତିଶତ ଓ ତିନି ଚକିଆ ବିକ୍ରି ୬୫.୮୭ ପ୍ରତିଶତ ବଢ଼ିଛି। ୪୨ ଦିନର ଉତ୍ସବ ଋତୁରେ ଦେଶରେ ୨୮ ଲକ୍ଷ ୮୮ ହଜାର ୧୩୧ଟି ଗାଡ଼ି ବିକ୍ରି ହୋଇଛି। ସବୁ ପ୍ରକାର ଗାଡ଼ିର ବିକ୍ରି ବୃଦ୍ଧି ପାଇବା ଏକ ଉତ୍ସାହପ୍ରଦ ବିଷୟ। କାର୍‌ ବର୍ଗରେ ଏସ୍‌ୟୁଭି ଓ କମ୍ପାକ୍ଟ ଏସ୍‌ୟୁ ଅଧିକ ବିକ୍ରି ହୋଇଛି। ଖଣି ଏବଂ ଭିତ୍ତିଭୂମି ପ୍ରକଳ୍ପରେ କାର୍ଯ୍ୟ ତ୍ବରାନ୍ବିତ ହୋଇଥିବାରୁ ବାଣିଜ୍ୟିକ ଯାନ ବିକ୍ରି ବୃଦ୍ଧି ପାଇଛି। ତିନିଚକିଆ ଯାନ ବିକ୍ରି ୬୬% ବଢ଼ିଛି। ଏହି ବର୍ଗରେ ଇ-ଯାନର ଗ୍ରହଣୀୟତା ସର୍ବାଧିକ ବଢ଼ିଛି। କାରଣ ଇ-ରିକ୍ସା ବିକ୍ରିରେ ୯୦.୮୫ ପ୍ରତିଶତ ବୃଦ୍ଧି ହୋଇଛି।