ଇସଲାମାବାଦ: ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଭୟଙ୍କର ରୂପ ଧାରଣ କଲାଣି। କଞ୍ଚାମାଲ ଅଭାବ ଯୋଗୁ ବହୁ ବଡ଼ ବଡ଼ କଂପାନି ସେମାନଙ୍କ କାରଖାନାରେ ଉତ୍ପାଦନ ବନ୍ଦ କରିବା ଆରମ୍ଭ କରିଛନ୍ତି। କାର୍‌, ଟାୟାର ଓ ପୋଷାକ ଉତ୍ପାଦନ କରାଯାଉଥିବା ଅନେକ କାରଖାନା ବନ୍ଦ ରହିଛି। ପାର୍ଟସ୍‌ ଅଭାବ ଯୋଗୁ ସୁଜୁକି ମୋଟର କର୍ପୋରେସନ ଏହାର କାରଖାନା ବନ୍ଦ ଅବଧିକୁ ଆଉ କିଛି ଦିନ ବଢ଼ାଇ ଦେଇଛି। ଚଳିତ ମାସ ୧୩ରୁ ଗାନ୍ଧାର ଟାୟାରା ଆଣ୍ଡ୍‌ ରବର କଂପାନିରେ ଉତ୍ପାଦନ ବନ୍ଦ ରହିଛି। କଞ୍ଚାମାଲ ଆମଦାନି କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିବା ବେଳେ ବ୍ୟାଙ୍କରୁ ମଧ୍ୟ ଋଣ ମିଳୁନଥିବା କଂପାନି କହିଛି।

Advertisment

ପାକିସ୍ତାନରେ ସାର, ଇସ୍ପାତ ଓ ପୋଷାକ ଉତ୍ପାଦନ କରୁଥିବା ଅନେକ କାରଖାନାରେ ଉତ୍ପାଦନ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ପାକିସ୍ତାନରେ କାରବାର କରୁଥିବା କଂପାନିଗୁଡ଼ିକ ବିଭିନ୍ନ ଦିଗରୁ ସମସ୍ୟା ସାମ୍ନା କରୁଛନ୍ତି। ଗୋଟିଏ ପଟେ ସେମାନଙ୍କ ପାଖରେ ମାଲର ଅଭାବ ଦେଖାଦେଇଥିବା ବେଳେ ଅନ୍ୟପଟେ ନଗଦ ରାଶି ନାହିଁ। ତୃତୀୟ ଗ୍ରାହକଙ୍କ ଚାହିଦା ମଧ୍ୟ ହ୍ରାସ ପାଇଛି। ପାକିସ୍ତାନ ପାଖରେ ଆଉ ମାତ୍ର ୩୧୯ କୋଟି ଡଲାର ବିଦେଶୀ ମୁଦ୍ରା ରହିଛି। ତେଣୁ ଏହା ଆମଦାନି କରିବାକୁ ଆଉ ସକ୍ଷମ ନୁହେଁ। ସେଥିପାଇଁ ବିଭିନ୍ନ ବନ୍ଦରରେ ହଜାର ହଜାର କଣ୍ଟେନର ଫସିରହିଛନ୍ତି। କଞ୍ଚାମାଲ ପହଞ୍ଚିପାରୁନଥିବାରୁ କଂପାନିଗୁଡ଼ିକ କାରଖାନାରେ ଉତ୍ପାଦନ ବନ୍ଦ କରିଥିବା ବେଳେ ସେଥିରେ କାମ କରୁଥିବା ଲୋକମାନଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି। ଦରଦାମ୍ ସ୍ଥିତି ସମ୍ପୂର୍ଣ୍ଣ ବେଲଗାମ ହୋଇପଡ଼ିଛି। ମୁଦ୍ରାସ୍ଫୀତି ହାର ୩୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। କିଛି ସାମଗ୍ରୀର ଦାମ୍ ଏତେ ବଢ଼ିଯାଇଛି ଯେ ସାଧାରଣ ଲୋକ ତାହାକୁ କିଣିବା ଲାଗି ଭାବିପାରୁନାହାନ୍ତି।

ଆରିଫ୍ ହବିବ ଲିମିଟେଡ୍‌ ନାମକ ସଂସ୍ଥାର ଗବେଷଣା ଓ ନିବେଶ ମୁଖ୍ୟ ତାହିର ଆବାସ କହିଛନ୍ତି ଯେ ବିଭିନ୍ନ କାରଖାନାରେ ଉତ୍ପାଦନ ବନ୍ଦ ରହିବା ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିବ ଏବଂ ତାହା ଦେଶରେ ବେକାରି ବୃଦ୍ଧିର କାରଣ ହେବ। ପୂର୍ବରୁ ଏଭଳି ବଡ଼ ଧରଣର କାରଖାନା ବନ୍ଦ କେବେ ଦେଖିନଥିବା ସେ କହିଛନ୍ତି। ପାକିସ୍ତାନରେ ସୁଜୁକି, ହୋଣ୍ଡା ଓ ଟୟୋଟାର କାରଖାନା ସପ୍ତାହେ ଧରି ବନ୍ଦ ରହିଛି। ଜିଏସ୍‌କେ, ଫଉଜି ଫର୍ଟିଲାଇଜର ବିନ୍ କାସିମ୍ ଲିମିଟେଡ୍‌, ଆମ୍‌ରେଲି ଷ୍ଟିଲ୍‌ସ ଲିମିଟେଡ୍‌, ମିଲତ୍ ଟ୍ରାକ୍ଟର୍ସ ଲିମିଟେଡ୍ ଏବଂ ଡାଇମଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କାରଖାନା ମଧ୍ୟ ବନ୍ଦ ରହିଛି। ଚଳିତ ବର୍ଷ ଜାନୁଆରିରେ ସେଠାରେ କାର୍ ବିକ୍ରି ୬୫ ପ୍ରତିଶତ ହ୍ରାସ ପାଇଛି ବୋଲି ପାକିସ୍ତାନ ଅଟୋମୋବାଇଲ୍ ନିର୍ମାତା ସଂଘ ପକ୍ଷରୁ କୁହାଯାଇଛି।