ଅନିଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ଅନିଲ ଅମ୍ବାନି ଓ ସ୍ବିଡେନ୍‌ର କଂପାନି ଏରିକ୍ସନ୍ ମଧ୍ୟରେ ପେମେଣ୍ଟ୍‌କୁ ନେଇ ଚାଲିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏରିକ୍ସନ୍‌ ପକ୍ଷରୁ ଅନିଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏରିକ୍ସନ୍ ଭାବୁଛି ଅନିଲ ଦେଶ ଛାଡ଼ି ଦେଇପାରନ୍ତି। ସେଥିପାଇଁ ତାଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇବାକୁ ଏହା ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି।ଏରିକ୍ସନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଅନିଲ ଅମ୍ବାନି ଜାଣିଶୁଣି ୫୫୦ କୋଟି ଟଙ୍କାର ପେମେଣ୍ଟ୍୍‌ କରିନାହାନ୍ତି। ସେପ୍ଟେମ୍ବର ୩୦ ସୁଦ୍ଧା ସବୁ ପେମେଣ୍ଟ୍‌ କରିବାକୁ ଅନିଲଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ୍‌କୁ କୁହାଯାଇଥିଲା। ସେହି ପେମେଣ୍ଟ୍‌ କରିବାରେ ଅନିଲଙ୍କ କଂପାନି ବିଫଳ ହୋଇଛି। ଆଉ ୬୦ ଦିନର ମହଲତ ଦେବା ପାଇଁ ରିଲାଏନ୍ସ କମ୍ୟୁନିକେସନ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା ଏରିକ୍ସନ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ୨୦୧୪ରେ ଏରିକ୍ସନ୍ ଓ ରିଲାଏନ୍ସ କମ୍ୟୁନିକେସନ୍ ମଧ୍ୟରେ ବୁଝାମଣା ହୋଇଥିଲା। ସାତ ବର୍ଷ ପର୍ଯ୍ୟନ୍ତ ରିଲାଏନ୍ସର ନେଟ୍‌ୱର୍କ ସମ୍ଭାଳିବା ଦାୟିତ୍ବ ଏରିକ୍ସନ ହାସଲ କରିଥିଲା। ଏବାବଦରେ ରିଲାଏନ୍ସ ଯେଉଁ ପେମେଣ୍ଟ୍‌ ଦେବା କଥା ତାହା ଠିକ୍ ସମୟରେ ଦେଇପାରିନାହିଁ।

ସମ୍ବନ୍ଧିତ ଖବର