ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଯେଉଁ ମାଗଣା ସ୍କିମ୍ ଘୋଷଣା କରୁଛନ୍ତି ତାହାର ଅର୍ଥନୈତିକ ପ୍ରଭାବ ଆକଳନ କରିବା ଅତ୍ୟନ୍ତ ଜରୁରୀ। ସେଥିପାଇଁ ବିଶେଷଜ୍ଞମାନଙ୍କ ଏକ କମିଟି ଗଠନ କରିବା ଦାବି କରି ସୁପ୍ରିମ୍କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆବଶ୍ୟକ ବଜେଟ୍ ବ୍ୟବସ୍ଥା ନକରି ଏଭଳି ସ୍କିମ୍ ଘୋଷଣା କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାମଲା ରୁଜୁ କରିଥିବା ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ କୋର୍ଟଙ୍କୁ ନିବେଦନ କରିଛନ୍ତି।
ରାଜ୍ୟଗୁଡ଼ିକ ଘୋଷଣା କରୁଥିବା ମାଗଣା ସ୍କିମ୍କୁ ନେଇ ଦେଶର ଦୁଇଟି ପ୍ରମୁଖ ଅର୍ଥନୈତିକ ସଂସ୍ଥା ଚିନ୍ତା ପ୍ରକଟ କରିଛନ୍ତି। ଉପଯୁକ୍ତ ଅର୍ଥରାଶିର ବ୍ୟବସ୍ଥା ନକରି ମାଗଣାରେ ବହୁତ କିଛି ବଣ୍ଟାଯାଉଥିବାରୁ ତାହାର ଦୀଘମିଆଦୀ ଲାଭକୁ ନେଇ ସେମାନେ ସନ୍ଦେହ ପ୍ରକଟ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ନିଆଯାଇଥିବା ଋଣ ବକେୟା ଥିବା ସତ୍ତ୍ବେ ରାଜ୍ୟଗୁଡ଼ିକ ଆହୁରି ଋଣ କରୁଛନ୍ତି। ସେମାନେ ସମ୍ବିଧାନର ଧାରା ୨୯୩ (୩) ଓ (୪)ରେ ଥିବା ବ୍ୟବସ୍ଥାକୁ ମାନୁନାହାନ୍ତି। ସେମାନଙ୍କ ପାଇଁ ‘କ୍ରେଡିଟ୍ ରେଟିଂ’ ଭଳି ବ୍ୟବସ୍ଥା ଆଣିବାକୁ ଆବେଦନକାରୀ ଦାବି କରିଛନ୍ତି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଋଣ ଅନୁପାତ ହ୍ରାସ କରିବା ଲାଗି ଏକ ବ୍ୟାପକ ନୀତି ପ୍ରସ୍ତୁତ କରିବା ପାଇଁ ସରକାରଙ୍କୁ କହିବାକୁ ସେ କୋର୍ଟଙ୍କୁ ଅନୁରୋଧ କରାଯାଇଛି।
ନିର୍ବାଚନ ସମୟରେ ଘୋଷଣା କରାଯାଉଥିବା ମାଗଣା ସ୍କିମ୍ ଉପରେ ମାନସମନ୍ଥନ କରି ଗଠନମୂଳକ ମତାମତ ଦେବା ଲାଗି ଅଗଷ୍ଟ ୩ରେ ନିତି ଆୟୋଗ, ଅର୍ଥ ଆୟୋଗ ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୁପ୍ରିମ୍କୋର୍ଟ କହିଥିଲେ। ଏହି ସମସ୍ୟାର ମୁକାବିଲା କରିବା ଲାଗି ଏକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ। ବହୁ ସମୟରେ ନିୟମତି ବଜେଟ୍ଠାରୁ ଅଧିକ ଟଙ୍କାର ଅଟକଳ ମାଗଣା ସ୍କିମ୍ ପାଇଁ ପ୍ରସ୍ତୁତ କରାଯାଉଛି। ତାହା ଏକ ବହୁତ ବଡ଼ ସମସ୍ୟା ବୋଲି କହି ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରି ଗତ ଜାନୁଆରି ୨୫ରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରି ଉତ୍ତର ଲୋଡ଼ିଥିଲେ। ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବା ପୂର୍ବରୁ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଭୋଟରମାନଙ୍କ ଅନୁଗ୍ରହ ହାସଲ କରିବା ଲାଗି ଏଭଳି ଶସ୍ତା ଲୋକପ୍ରିୟତା ହାସଲକାରୀ ମାଗଣା ସ୍କିମ୍ ଘୋଷଣା ଉପରେ ରୋକ ଲଗାଇବା ଲାଗି ଆବେଦନକାରୀ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।