ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ କମ୍ପାନି ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନ୍ବର୍ଗ ଆଣିଥିବା ଯେଉଁ ଅଭିଯୋଗଗୁଡ଼ିକର ତଦନ୍ତ ସୁପ୍ରିମ୍କୋର୍ଟ କରୁଛି, ତାହାକୁ ଶୀଘ୍ର ସାରିବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଜନସ୍ବାର୍ଥ ଓ ନିବେଶକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ କରିଥିବା ଆଇନଜୀବୀ ବିଶାଲ ତିୱାରୀ କହିଛନ୍ତି ଯେ ସେବି କରୁଥିବା ତଦନ୍ତ ଓ ତାହାର ଫଳାଫଳ ଜାଣିବାର ଅଧିକାର ନିବେଶକମାନଙ୍କର ରହିଛି। ହିଣ୍ଡେନବର୍ଗ ପୁଣି ନୂଆ ଅଭିଯୋଗ କରିଥିବାରୁ ଏହି ମାମଲାର ରାୟ ଜାଣିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।
୨୦୨୩ରେ ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ଷ୍ଟକ୍ ମୂଲ୍ୟ ହେରଫେର, ଆକାଉଣ୍ଟିଂ ଜାଲିଆତି, ଜାଲ୍ କମ୍ପାନି ଗଠନ ଭଳି ସଙ୍ଗିନ ଅଭିଯୋଗ ଆଣିଥିଲା। ସେହି ରିପୋର୍ଟ ପ୍ରଭାବରେ ସାରା ଦେଶ ଦୋହଲିଯାଇଥିଲା ଓ ଆଦାନି ଗ୍ରୁପ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଥିଲା। ସେହି କ୍ଷତିକୁ କମ୍ପାନି ଭରଣା କରିଆସୁଥିବା ବେଳେ ହିଣ୍ଡେନ୍ବର୍ଗ ଆଉ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି। ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଓ ତାଙ୍କ ସ୍ବାମୀ ଧବଲ୍ ବୁଚ୍ କରିଥିବା ନିବେଶର ସମ୍ପର୍କ ଆଦାନି ଗ୍ରୁପ୍ ସହ ରହିଛି। ସେଥିପାଇଁ ଏହି ତଦନ୍ତରୁ ଆଦାନି ଗ୍ରୁପ୍ ବିରୋଧରେ କିଛି ଠୋସ୍ ବାହାରୁ ନାହିଁ ବୋଲି ହିଣ୍ଡେନବର୍ଗ ଅଭିଯୋଗ କରିଛି। ସମସ୍ତ ଅଭିଯୋଗକୁ ବୁଚ୍ ଖଣ୍ଡନ କରିଥିବା ବେଳେ ସରକାର ମଧ୍ୟ ଏଥର ବିଶେଷ ପ୍ରତିକ୍ରିୟାଶୀଳ ହୋଇନାହାନ୍ତି। ବିରୋଧୀ ଦଳଗୁଡ଼ିକ ଜେପିସି ତଦନ୍ତ ଦାବି କରୁଛନ୍ତି। ଷ୍ଟକ୍ ବଜାରରେ ଅସ୍ଥିରତା ଦେଖିବାକୁ ମିଳିନାହିଁ।
୨୨ରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ଙ୍କ ନାମରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଆସିଥିବା ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ କଂଗ୍ରେସ ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବିକ୍ଷୋଭ କରିବ। କଂଗ୍ରେସ କର୍ମୀମୀନେ ଇଡି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିବେ। ଦଳ ପକ୍ଷରୁ ଏହାକୁ ବଡ଼ ଆଦାନି ସ୍କାମ୍ ଆଖ୍ୟା ଦିଆଯିବା ସହିତ ସେବି ଅଧ୍ୟକ୍ଷଙ୍କୁ ବିଦା କରିବା ପାଇଁ ଦାବି କରାଯାଇଛି। କଂଗ୍ରେସ ସାଧାରଣ ସଂପାଦକ, ରାଜ୍ୟ ଶାଖା ମୁଖ୍ୟ, ରାଜ୍ୟ ପ୍ରଭାରୀମାନଙ୍କର ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାଜୁର୍ନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାହୁଲ ଗାନ୍ଧିଙ୍କ ସମେତ ୫୬ ଜଣ ନେତା ଯୋଗଦେଇଥିଲେ। ଏଥିସହିତ ରାହୁଲ ଶୀଘ୍ର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ରିପୋର୍ଟ ମାମଲାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।