ଲୋକଙ୍କ ଘରେ ବିପୁଳ ନଗଦ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବିତୀୟ ଲହର ବେଶ ଭୟଙ୍କର ‌ହୋଇଥିବା ବେଳେ ସଂକ୍ରମଣ ମାମଲାକୁ ନେଇ ଲୋକମାନେ ବେଶ ଚିନ୍ତିତ ଅଛନ୍ତି। ଆଗକୁ ସମୟ କ’ଣ ରହିବ ତାହାର ପୂର୍ବାନୁମାନ ଲଗାଇପାରୁନାହାନ୍ତି। ତେଣୁ ସମ୍ଭାବ୍ୟ ଜରୁରୀ ସ୍ଥିତିକୁ ନଜରରେ ରଖି ସେମାନେ ଘରେ ବିପୁଳ ପରିମାଣର ନଗଦ ଟଙ୍କା ରଖିଥିବା ଅନୁମାନ କରାଯାଉଛି। ଯଦିଓ ଏହାର କୌଣସି ନିର୍ଦିଷ୍ଟ ପ୍ରମାଣ ନାହିଁ, କିନ୍ତୁ ବଜାରରେ ପ୍ରଚଳନରେ ଥିବା ନଗଦ ରାଶି ପରିମାଣକୁ ଦେଖିଲେ ତାହା ହିଁ ହୋଇଥିବ ବୋଲି ଜଣାପଡ଼ୁଛି।

କାରଣ ଦେଶରେ ଡିଜିଟାଲ୍ କାରବାର ଦ୍ରୁତ ଗତିିରେ ବୃଦ୍ଧି ପାଇଛି। ଲୋକମାନେ ପନିପରିବା ଠାରୁ ଆରମ୍ଭ କରି ଛୋଟ ବଡ଼ ଦୋକାନରେ ପେମେଣ୍ଟ୍‌ କରିବା ଲାଗି ବହୁତ ମାତ୍ରାରେ ଡିଜିଟାଲ୍ ମାଧ୍ୟମକୁ ବ୍ୟବହାର କରୁଛନ୍ତି। ଏହା ସତ୍ତ୍ବେ ବଜାରରେ ୨୯ ଲକ୍ଷ କୋଟି ଟଙ୍କାରୁ ଅଧିକ ନଗଦ ରାଶି ରହିଛି। ବିଗତ ଏକ ଦଶନ୍ଧୀ ମଧ୍ୟରେ ଏହା ହେଉଛି ସର୍ବାଧିକ। ପୂର୍ବରୁ ଏତେ ପରିମାଣର ନଗଦ ରାଶି ବଜାରରେ କେବେବି ଦେଖିବାକୁ ମିଳିନଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ୨୦୨୦-୨୧ରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ନଗତ ରାଶି ଅନୁପାତ ୧୪.୬ ପ୍ରତିଶତ ରହିଛି। ଅର୍ଥାତ ଜିଡିପିର ଛଅ ଭାଗରୁ ଏକ ଭାଗ ନଗଦ ରାଶି ଆକାରରେ ରହିଛି। ନଗଦ ପରିମାଣ ବଢ଼ିବାରେ ଲାଗିଛି। ୨୦୧୭-୧୮ରେ ଜିଡିପିକୁ ନଗଦ ରାଶିର ଅନୁପାତ ୧୦.୫%, ୨୦୧୮-୧୯ରେ ୧୧.୩୧ ପ୍ରତିଶତ ଓ ୨୦୧୯-୨୦ରେ ୧୨.୦୩ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର