ଫେରିଲା ନଗଦ ଟଙ୍କା ପ୍ରେମ

କ୍ୟାସ୍‌ଲେସ୍‌ ସ୍ୱପ୍ନକୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ: କ୍ୟାସ୍‌ଲେସ୍‌ ଅର୍ଥନୀତିର ସ୍ୱପ୍ନକୁ ଶକ୍ତ ଝଟ୍‌କା ଲାଗିଛି। ଲୋକମାନେ ପୁଣି ଥରେ ନଗଦ ଟଙ୍କା ପ୍ରେମରେ ପଡ଼ିଯାଇଛନ୍ତି। ନଗଦ ପ୍ରେମ ଏତେ ବଢ଼ିଯାଇଛି ଯେ ସେମାନେ ନିଜ ପାଖରେ ଆବଶ୍ୟକତାରୁ ଅଧିକ ନଗଦ ଟଙ୍କା ମହଜୁଦ ରଖୁଛନ୍ତି। ଏବେ ଲୋକଙ୍କ ପାଖରେ ୧୮.୫ ଲକ୍ଷ କୋଟି ଟଙ୍କା ଥିବା ଜଣାପଡ଼ିଛି। ଏହା ହେଉଛି ଚଳିତ ବର୍ଷ ମେ’ ୨୫ ତାରିଖର ତଥ୍ୟ। ବିମୁଦ୍ରାକରଣ ପରେ ସେମାନଙ୍କ ପାଖରେ ମାତ୍ର ୭.୮ ଲକ୍ଷ କୋଟି ନଗଦ ଟଙ୍କା ଥିଲା। ଏବେ ଦୁଇ ଗୁଣାରୁ ଅଧିକ ନଗଦ ଟଙ୍କା ଲୋକମାନେ ନିଜ ପାଖରେ ରଖିଛନ୍ତି। ଚଳିତ ବର୍ଷ ଜୁନ୍‌ ୧ରେ ବଜାରରେ ମୋଟ ୧୯.୩ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା। ସେଥି ମଧ୍ୟରୁ ୧୮.୫ ଲକ୍ଷ କୋଟି ଟଙ୍କା ଲୋକମାନଙ୍କ ପାଖରେ ଥିବା ବେଳେ ବଳକା ୮୦ ହଜାର କୋଟି ଟଙ୍କା ବ୍ୟାଙ୍କଗୁଡ଼ିକ ପାଖରେ ରହିଛି। ବିମୁଦ୍ରାକରଣ ଘୋଷଣା ହେବା ପରେ ପ୍ରଚଳନରେ ଥିବା ନୋଟ୍‌ ପରିମାଣ ୮.୯ ଲକ୍ଷ କୋଟି ଟଙ୍କାକୁ ଖସିଯାଇଥିଲା। ଦେଶରେ ପ୍ରଚଳନରେ ଥିବା ନୋଟ୍‌ ଓ ଲୋକଙ୍କ ପାଖରେ ଥିବା ନୋଟ୍‌ ପରିମାଣ ଦୁଇ ଗୁଣାରୁ ଅଧିକ ବଢ଼ିଯାଇଛି। କିଛି ମାସ ତଳେ ଦେଶର ବିଭିନ୍ନ ସ୍ଥାନରେ ହଠାତ୍‌ ନୋଟ୍‌ ଅଭାବ ଦେଖାଦେଇଥିଲା। ଏଟିଏମ୍‌ଗୁଡ଼ିକ ଫାଙ୍କା ହୋଇଯାଇଥିଲା। ବଜାରରେ ନୋଟ୍‌ର ଅଭାବ ଦେଖାଦେବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୫୦୦ ଟଙ୍କିଆ ଛପାଇବା ପରିମାଣ ବଢ଼ାଇ ଦେଇଥିଲା। କିଛି ଦିନ ଭିତରେ ସ୍ଥିତି ବଦଳିଯାଇଥିଲା। ୨୦୧୬ ନଭେମ୍ବର ୮ରେ ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ। ସେତେବେଳକୁ ବଜାରରେ ୧୭.୯ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା। ବିମୁଦ୍ରାକରଣ ଯୋଗୁଁ ୮୬% ନୋଟ୍‌ ଅଚଳ ହୋଇଗଲା। ଅଚଳ ହୋଇଥିବା ନୋଟ୍‌ଗୁଡ଼ିକ ମଧ୍ୟରୁ ୯୯% ନୋଟ୍‌କୁ ଲୋକମାନେ ବ୍ୟାଙ୍କ ଜରିଆରେ ଫେରାଇ ଦେଇଥିଲେ। ଲୋକମାନେ ମୋଟ ୧୫.୨୮ ଲକ୍ଷ କୋଟି ଟଙ୍କାର ଅଚଳ ନୋଟ୍‌ ବଦଳାଇଛନ୍ତି। ପ୍ରାୟ ସବୁ ଅଚଳ ନୋଟ୍‌ ବ୍ୟାଙ୍କ ପାଖକୁ ଫେରିଆସିବାରୁ ବିମୁଦ୍ରାକରଣ ବିଫଳ ହୋଇଛି ବୋଲି କୁହାଯାଉଛି।

ରିଜର୍ଭ ବ୍ୟାଙ୍କ ଦ୍ୱାରା ବଜାରରେ ପ୍ରଚଳନରେ ଥିବା ଟଙ୍କା ତଥ୍ୟକୁ ପ୍ରତି ସପ୍ତାହରେ ଓ ଲୋକମାନଙ୍କ ପାଖରେ ଥିବା ଟଙ୍କା ତଥ୍ୟକୁ ପ୍ରତି ୧୫ ଦିନରେ ଜାରି କରାଯାଏ। ମୋଦି ସରକାର ୨୦୧୪ ମେ’ରେ ଶାସନ ଭାର ଗ୍ରହଣ କରିବା ସମୟରେ ଲୋକମାନଙ୍କ ପାଖରେ ୧୩ ଲକ୍ଷ କୋଟି ଟଙ୍କା ଥିଲା। ୨୦୧୬ ଅକ୍ଟୋବର ବେଳକୁ ସେହି ପରିମାଣ ୧୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ସେହି ବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା ହେବାରୁ ଲୋକଙ୍କ ପାଖରେ ଥିବା ଟଙ୍କା ପରିମାଣ ୭.୮ ଲକ୍ଷ କୋଟି ଟଙ୍କା ସ୍ତରକୁ ଖସିଗଲା। ୨୦୧୭ ଫେବ୍ରୁଆରି ବେଳକୁ ଲୋକଙ୍କ ପାଖରେ ୧୦ ଲକ୍ଷ କୋଟି ଟଙ୍କା ପହଞ୍ଚିଯାଇଥିଲା। ସେପ୍ଟେମ୍ବରରେ ସେହି ରାଶି ୧୫ ଲକ୍ଷ କୋଟି ଟଙ୍କା ଟପିବା ପରେ ୨୦୧୮ ମେ’ ବେଳକୁ ୧୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି।

ସମ୍ବନ୍ଧିତ ଖବର