ସନ୍ଧ୍ୟା ପରେ ଏଟିଏମ୍‌ରେ ଟଙ୍କା ଭର୍ତି ହେବନି

ନୂଆଦିଲ୍ଲୀ: ରାତିରେ କୌଣସି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯିବ ନାହିଁ। ଟଙ୍କା ପରିବହନ କରୁଥିବା ଭ୍ୟାନ୍‌ଗୁଡ଼ିକ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତିତ ଥିବା ସରକାର ଏ ନେଇ ନୂତନ ନିୟମ ପ୍ରଣୟନ କରିବା ଉପରେ ବିଚାର କରୁଛନ୍ତି। ଯଦି ଏହି ନିୟମ କାର୍ଯ୍ୟକାରୀ ହେବ ତେବେ ସନ୍ଧ୍ୟା ପରେ ଏଟିଏମ୍‌ଗୁଡ଼ିକରେ ଟଙ୍କା ଭର୍ତ୍ତି କରାଯିବ ନାହିଁ।ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରସ୍ତାବରେ କୁହାଯାଇଛି ଯେ, ସହରାଞ୍ଚଳରେ ଥିବା ଏଟିଏମ୍‌ଗୁଡ଼ିକରେ ରାତି ୯ଟା ପରେ ଟଙ୍କା ଭର୍ତ୍ତି କରାଯିବ ନାହିଁ। ଗ୍ରାମାଞ୍ଚଳରେ ଥିବା ଏଟିଏମ୍‌ରେ ସନ୍ଧ୍ୟା ୬ଟା ପରେ ଏବଂ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଥିବା ଏଟିଏମ୍‌ଗୁଡ଼ିକରେ ଅପରାହ୍ନ ୪ଟା ପରେ ଟଙ୍କା ଭର୍ତ୍ତି କରାଯିବ ନାହିଁ। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କାମରେ ନିୟୋଜିତ ହୋଇଥିବା ଘରୋଇ ସଂସ୍ଥାଗୁଡ଼ିକ ଦିନର ପ୍ରଥମାର୍ଧରେ ବ୍ୟାଙ୍କରୁ ଟଙ୍କା ସଂଗ୍ରହ କରିବେ। ଯେଉଁ ଭ୍ୟାନ୍‌ରେ ଟଙ୍କା ପରିବହନ ହେଉଛି ସେଥିରେ ସିସିଟିଭି କ୍ୟାମେରା ଏବଂ ଜିପିଏସ୍‌ ଲାଗିଥିବା ଦରକାର। ଥରକେ ଗୋଟିଏ ଭ୍ୟାନ୍‌ ୫ କୋଟିରୁ ଅଧିକ ଟଙ୍କା ନେଇପାରିବେ ନାହିଁ। ପ୍ରତି ଭ୍ୟାନ୍‌ରେ ଦୁଇ ଜଣ ଅସ୍ତ୍ରଧାରୀ ଗାର୍ଡ, ଦୁଇ ଜଣ ଏଟିଏମ୍‌ ଅଧିକାରୀ ଏବଂ ଜଣେ ଡ୍ରାଇଭର୍‌ ରହିବେ। ଆକ୍ରମଣ ଭଳି ପରିସ୍ଥିତି ଉପୁଜିଲେ ତାହାର କିଭଳି ମୁକାବିଲା କରାଯିବ ସେ ନେଇ ଭ୍ୟାନ୍‌ରେ ନିୟୋଜିତ ହେଉଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯିବ। ଗୃହ ମନ୍ତ୍ରଣାଳୟ ପ୍ରସ୍ତୁତ କରିଥିବା ଏହି ଚିଠା ପ୍ରସ୍ତାବକୁ ଆଇନ ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି। ଯଦି ଆଇନ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିବ ତେବେ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରାଯିବ।

ଏ ନେଇ ସବୁ ରାଜ୍ୟ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯିବ। ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ପରିବହନ କରିବା ଭଳି ପରିସ୍ଥିତି ଉପୁଜିଲେ ସ୍ୱତନ୍ତ୍ର ଭ୍ୟାନ୍‌୍‌କୁ ବ୍ୟବହାର କରିବା ବାଧ୍ୟତାମୂଳକ କରାଯିବ। ଟଙ୍କା ପରିବହନ ପାଇଁ ବ୍ୟବହାର ହେଉଥିବା ଭ୍ୟାନ୍‌ରେ ଦୁଇଟି କମ୍ପାର୍ଟମେଣ୍ଟ୍‌ ରହିବ। ଗୋଟିଏ କମ୍ପାର୍ଟମେଣ୍ଟ୍‌ କେବଳ ଟଙ୍କା ପାଇଁ ବ୍ୟବହାର ହେବ ଯାହାକୁ ସ୍ୱତନ୍ତ୍ର ଧରଣର ଇସ୍ପାତରେ ପ୍ରସ୍ତୁତ କରାଯାଇଥିବ। ତାହାକୁ ଯାତ୍ରୀ କମ୍ପାର୍ଟମେଣ୍ଟ୍‌ଠାରୁ ସମ୍ପୂର୍ଣ୍ଣ ଅଲଗା ରଖାଯିବ। ଟଙ୍କା ଥିବା କମ୍ପାର୍ଟମେଣ୍ଟ୍‌ର ଭିତର ପାର୍ଶ୍ୱରେ ମାନୁଆଲ୍‌ କିମ୍ବା ଇଲେକ୍‌ଟ୍ରୋନିକ୍ସ ଲକ୍‌ ବ୍ୟବହାର କରାଯିବ ଯାହାକୁ ଭିତରୁ ଖୋଲିହେବ। ରାସ୍ତାରେ ଟଙ୍କା ଭ୍ୟାନ୍‌କୁ ଦୁଇ ଜଣ ତାଲିମପ୍ରାପ୍ତ ନିରାପତ୍ତାରକ୍ଷୀ ସୁରକ୍ଷା ପ୍ରଦାନ କରିବେ। ଟଙ୍କା ପରିବହନରେ ନିୟୋଜିତ ହେଉଥିବା ପ୍ରତ୍ୟକ ବ୍ୟକ୍ତିଙ୍କର ଆଗୁଆ ଯାଞ୍ଚ କରାଯିବ।

ପ୍ରସ୍ତାବଗୁଡ଼ିକ କ’ଣ?

ସହରାଞ୍ଚଳରେ ରାତି ୯ଟା ପରେ ଟଙ୍କା ଭର୍ତି ହେବନି
ଗ୍ରାମାଞ୍ଚଳରେ ସନ୍ଧ୍ୟା ୬ଟା ପରେ ଟଙ୍କା ଭର୍ତି ହେବନି
ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଅପରାହ୍ନ ୪ଟା ପରେ ଟଙ୍କା ଭର୍ତି ହେବନି
ଟଙ୍କା ଭର୍ତି କରୁଥିବା ସଂସ୍ଥା ଦିନର ପ୍ରଥମାର୍ଧରେ ବ୍ୟାଙ୍କଠାରୁ ଟଙ୍କା ସଂଗ୍ରହ କରିବେ
ସିସିଟିଭି, ଜିପିଏସ୍‌ ଥିବା ସ୍ୱତନ୍ତ୍ର ଭ୍ୟାନ୍‌ରେ ଟଙ୍କା ଯିବ
ଥରକେ ୫ କୋଟିରୁ ଅଧିକ ଟଙ୍କା ପରିବହନ ହେବନି
ପ୍ରତି ଭ୍ୟାନ୍‌ରେ ଦୁଇ ସଶସ୍ତ୍ର ନିରାପତ୍ତାରକ୍ଷୀ, ଜଣେ ଡ୍ରାଇଭର୍‌ ଏବଂ ଦୁଇ ଏଟିଏମ୍‌ ଅଧିକାରୀ ରହିବେ
ଭ୍ୟାନ୍‌ରେ ଟଙ୍କା ପାଇଁ ଅଲଗା କମ୍ପାର୍ଟମେଣ୍ଟ୍‌ ରହିବ

ସମ୍ବନ୍ଧିତ ଖବର