ନୂଆଦିଲ୍ଲୀ: କ୍ୟାସ୍‌ଲେସ୍‌ ସ୍ବାସ୍ଥ୍ୟ ବୀମା ପଲିସି ଜରିଆରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଦାବିକୁ ବୀମା କମ୍ପାନି ୩ ଘଣ୍ଟା ଭିତରେ ଫଇସଲା କରିବ। ‌‌ଏଥିରେ ବିଳମ୍ବ ହେଲେ ରୋଗୀଙ୍କୁ ଡିସ୍‌ଚାର୍ଜ କରିବା ପର୍ଯ୍ୟନ୍ତ ହସ୍ପିଟାଲ୍‌ ଯେତେ ଅଧିକ ଟଙ୍କା ଦାବି କରିବ ତାହା ବୀମା କମ୍ପାନି ଗଣିବ। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ପକ୍ଷରୁ କ୍ୟାସଲେସ୍‌ ବୀମା ଦାବି ସମାଧାନ ଲାଗି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି। ରୋଗୀଙ୍କ ଡିସ୍‌ଚାର୍ଜ ସମ୍ପର୍କିତ ରସିଦ୍‌ ପାଇବାର ତିନି ଘଣ୍ଟା ଭିତରେ ବୀମା କମ୍ପାନି ଦାବିର ଫଇସଲା କରିବ। କୌଣସି ପରିସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲ୍‌ରେ ଅଧିକ ସମୟ ଅପେକ୍ଷା କରାଇହେବ ନାହିଁ ବୋଲି ଆଇଆର୍‌ଡିଏଆଇ ଜାରି କରିଥିବା ଏକ ମାଷ୍ଟର ସର୍କୁଲାରରେ ଅବଗତ କରିଛି।

Advertisment

ଆଇଆର୍‌ଡିଏଆଇ ସ୍ପଷ୍ଟ କରିଛି ଯେ କ୍ୟାସ୍‌ଲେସ୍‌ ଦାବି ସମାଧାନ ନିର୍ଧାରିତ ସମୟଠାରୁ ବିଳମ୍ବ ହେଲେ ରୋଗୀଙ୍କ ଉପରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଯଦି ଅଧିକ ଟଙ୍କା ଲଦିବେ ତେବେ ସେହି ଟଙ୍କାକୁ ବୀମା କମ୍ପାନି ଗଣିବ। ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଯେଉଁ ଦାବିଗୁଡ଼ିକ ଆସିବ ତାହାକୁ ଘଣ୍ଟାକ ଭିତରେ ଫଇସଲା କରିବାକୁ ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଚିକିତ୍ସା ଭିତରେ ରୋଗୀଙ୍କ ମୃତ୍ୟୁ ଘଟିଲେ ବୀମା କମ୍ପାନି ସେହି ଦାବିକୁ ତୁରନ୍ତ ଫଇସଲା କରିବ। ହସ୍ପିଟାଲ୍‌ରୁ ମୃତଦେହକୁ ତୁରନ୍ତ ଛଡ଼ାଯିବ। କ୍ୟାସ୍‌ଲେସ୍‌ ଦାବିଗୁଡ଼ିକ ଯେଭଳି ଯଥାଶୀଘ୍ର ଫଇସଲା ହୋଇପାରିବ ତାହାକୁ ସୁନିଶ୍ଚିତ କରିବା ଲାଗି ହସ୍ପିଟାଲ୍‌ଗୁଡ଼ିକରେ ନିଜର ଡେସ୍କ ସ୍ଥାପନ କରିବାକୁ ବୀମା କମ୍ପାନିଗୁଡ଼ିକୁ କୁହାଯାଇଛି।