ଟଙ୍କା ଜମା ଓ ଉଠାଣ ନେଇ ସିବିଡିଟିର ନୂଆ ନିୟମ: ବର୍ଷକୁ ୨୦ ଲକ୍ଷ ଟଙ୍କା ରଖିଲେ ବା ଉଠାଇଲେ ପ୍ୟାନ୍‌ ବାଧ୍ୟତାମୂଳକ

ଆସନ୍ତା ୨୬ରୁ ଲାଗୁ, ବ୍ୟାଙ୍କ, ଡାକଘର, ସମବାୟ ସମିତି ପାଇଁ ଲାଗୁ

ନୂଆଦିଲ୍ଲୀ: ବ୍ୟାଙ୍କ, ଡାକଘର ଏବଂ ସମବାୟ ସଂସ୍ଥା ଆଦିରେ ବର୍ଷକୁ ୨୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ପରିମାଣର ଟଙ୍କା ଜମା କରୁଥିବା କିମ୍ବା ଉଠାଣ କରୁଥିବା ବ୍ୟକ୍ତିମାନଙ୍କ ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇଛି। ପୂର୍ବରୁ ଦିନକୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରୁଥିଲେ ପ୍ୟାନ୍ ନମ୍ବର ଉଲ୍ଲେଖ କରିବାର ନିୟମ ରହିଛି। କିନ୍ତୁ ବାର୍ଷିକ ଜମା କିମ୍ବା ଟଙ୍କା ଉଠାଣ ନେଇ ସେଭଳି କୌଣସି ନିୟମ ନାହିଁ। ତେବେ ନଗଦ କାରବାରକୁ ନିରୁତ୍ସାହିତ କରିବା ସହିତ ଏହି ଟଙ୍କା କେଉଁସୂତ୍ରରୁ ଆସୁଛି ଏବଂ କେଉଁଠିକୁ ଯାଉଛି ତାହା ଉପରେ ନଜର ରଖିବା ପାଇଁ ସରକାର ଏହି ନୂଆ ନିୟମ ଲାଗୁ କରିବେ। ଚଳିତମାସ ୨୬ ତାରିଖରୁ ଉକ୍ତ ନିୟମ କାର୍ଯ୍ୟକାରୀ ହେବ ବୋଲି ସିବିଡିଟି ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି ହୋଇଛି।

ସିବିଡିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି ଯେଉଁ ବ୍ୟକ୍ତି ଟଙ୍କା ଜମା ଏବଂ ଉଠାଣ ସମୟରେ ଆଧାର କିମ୍ବା ପ୍ୟାନ୍ ନମ୍ବର ଉଲ୍ଲେଖ କରିବେ। ସେହିଭଳି ଏହା ମଧ୍ୟ କୁହାଯାଇଛି ଯିଏ ଉକ୍ତ କାଗଜ ଗ୍ରହଣ କରୁଛନ୍ତି ‌ସିଏ ମଧ୍ୟ ଦେଖିବେ ଯେ ସଂପୃକ୍ତ ଗ୍ରାହକଙ୍କ ଆଧାର ନମ୍ବର କିମ୍ବା ପ୍ୟାନ ନମ୍ବର ଠିକ୍‌ଭାବେ ଉଲ୍ଲେଖ କରାଯାଇଛି।
ଏଥିସହିତ ସଂପୃକ୍ତ ବ୍ୟକ୍ତିଙ୍କ ଆଧାର ନମ୍ବର ବା ପ୍ୟାନ ନମ୍ବର ସହିତ ଅନ୍ୟାନ୍ୟ ସୂଚନା ଆୟକର ବିଭାଗର ପ୍ରଧାନ ମହାନିର୍ଦ୍ଦେଶକ (ସିଷ୍ଟମ୍ସ) କିମ୍ବା ଆୟକର ବିଭାଗର ମହାନିର୍ଦ୍ଦେଶକ (ସିଷ୍ଟମ୍ସ) କିମ୍ବା ଏମାନଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ଜମା କରାଯିବ।

ଇକୋନୋମିକ ଲ’ ପ୍ରାକ୍ଟିସର ପାର୍ଟନର ରାହୁଲ ଚରଖା କୁହନ୍ତି, ଏହି ବିଜ୍ଞପ୍ତି ପୂର୍ବରୁ ଏପ୍ରକାର ଆର୍ଥିକ କାରବାର କରୁଥିବା ଗ୍ରାହକଙ୍କର ପ୍ୟାନ୍ ନମ୍ବର ରହିଛି ବୋଲି ବ୍ୟାଙ୍କ ଅଧିକାରୀ ନିଶ୍ଚିତ କରୁଥିଲେ। କିନ୍ତୁ ନୂଆ ନିୟମ ଫଳରେ ଆଗକୁ ବ୍ୟାଙ୍କ ଅଧିକାରୀମାନେ ବ୍ୟାଙ୍କ ରେକର୍ଡରେ ପ୍ୟାନ ନମ୍ବରକୁ ରଖିବେ ଏବଂ ସେ ସଂପର୍କରେ ଆୟକର ବିଭାଗକୁ ଆର୍ଥିକ କାରବାର ସଂପର୍କରେ ସୂଚନା ଦେବେ। ତେବେ ଏହି ନିୟମ ବ୍ୟାଙ୍କ ସହିତ ଡାକଘର ଏବଂ ସମବାୟ ସମିତି ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଗୋଟିଏ କିମ୍ବା ଏକାଧିକ ଆକାଉଣ୍ଟରେ ଟଙ୍କା ଜମା କିମ୍ବା ଉଠାଣ ରାଶି ୨୦ ଲକ୍ଷ ଟଙ୍କାରୁ ଅଧିକ ହେଲେ ପ୍ୟାନ ଓ ଆଧାର ନମ୍ବର ଉଲ୍ଲେଖ କରିବାକୁ ହେବ। ଏଥିସହିତ ବ୍ୟାଙ୍କରେ ଚଳନ୍ତି ଖାତା କିମ୍ବା କ୍ୟାସ କ୍ରେଡିଟ୍ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ ଏହା ଆବଶ୍ୟକ।

ଦିନକୁ ୫୦ ହଜାର ଟଙ୍କାରୁ ଅଧିକ ଜମା କରୁଥିଲେ ପ୍ୟାନ୍‌ ଦରକାର ଥିଲା
ଟିଆର୍‌ ଚଢ଼ା ଆଣ୍ଡ୍ କମ୍ପାନିର ଡାଇରେକ୍ଟ ଟ୍ୟାକ୍ସ ପାର୍ଟନର ଆକାଂକ୍ଷା ଗୋୟଲଙ୍କ କହିବାନୁଯାୟୀ, ପୂର୍ବରୁ ଦିନକୁ ଯଦି ୫୦ ହଜାର ଟଙ୍କାରୁ ଅଧିକ ଜମା କରୁଥିଲେ ସେଥିପାଇଁ ପ୍ୟାନ୍ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ ଥିଲା। କିନ୍ତୁ ବାର୍ଷିକ ସୀମା କିଛି ନଥିଲା। ସେହି ଟଙ୍କା ଉଠାଣ ପାଇଁ ବର୍ତ୍ତମାନ ଯେଉଁ ନିୟମ କରାଯାଇଛି ପୂର୍ବରୁ ତାହା ନଥିଲା ବୋଲି ସେ କହିଛନ୍ତି। ନୂଆ ନିୟମ ଚଳିତମାସ ୨୬ ତାରିଖରୁ କାର୍ଯ୍ୟକାରୀ ହେବ। ତେଣୁ ଯେଉଁମାନଙ୍କର ଏଭଳି କାରବାର କରିବେ ସେମାନେ ପ୍ୟାନ୍ ନମ୍ବର ସଂଗ୍ରହ କରିନେବା ଆବଶ୍ୟକ। ନଚେତ ଏଭଳି କାରବାର ସେମାନେ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର