ନୂଆଦିଲ୍ଲୀ: ଏକ ଋଣ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ଗିରଫ କରାଯାଇଛି। ଜଣେ ମହାପ୍ରବନ୍ଧକ ଓ ଅନ୍ୟ ଜଣେ ଉପମହାପ୍ରବନ୍ଧକ ଭାବେ କାମ କରୁଥିଲେ। ଗୁଜୁରାଟର ଏକ ସଂସ୍ଥା ‘ଡାଇମଣ୍ଡ୍ ପାଓ୍ଵାର ଇନଫ୍ରାଷ୍ଟ୍ରକ୍ଚର୍’ ପକ୍ଷରୁ ୨୬୫୪ କୋଟି ଟଙ୍କାର ଋଣ ଠକେଇ କରାଯାଇଥିଲା। ଏହି ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି। ଋଣ ଠକେଇ କରିବାରେ କଂପାନିଙ୍କୁ ଏହି ଦୁଇ ଅଧିକାରୀ ସହାୟତା କରିଥିବା ଅଭିଯୋଗ ହୋଇଛି। କଂପାନିର ମାଲିକ ସୁରେଶ ଭଟ୍ଟନାଗର ଓ ତାଙ୍କ ଦୁଇ ପୁଅ ଅମିତ ଓ ସୁମିତ୍ ମିଳିତ ଭାବେ ୧୧ଟି ବ୍ୟାଙ୍କରୁ ୨୬୫୪ କୋଟି ଟଙ୍କାର ଋଣ ନେଇଥିଲେ। କିନ୍ତୁ ତାହାକୁ ଆଉ ପରିଶୋଧ କରିନଥିଲେ। ୨୦୧୬-୧୭ରେ ଏହି ଋଣକୁ ଏନ୍ପିଏ (ଅସୁଲ ସମ୍ଭାବନା କମ୍) ଘୋଷଣା କରାଯାଇଥିଲା। ଏହାକୁ ନେଇ ସିବିଆଇ ପକ୍ଷରୁ ଚଳିତ ବର୍ଷ ଏପ୍ରିଲ୍ ମାସରେ ଏକ ମାମଲା ଦାୟର କରାଯାଇଥିଲା। କଂପାନି ଏକ୍ସିସ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ଆଇସିଆଇସିଆଇ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଦେନା ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କଠାରୁ ଋଣ ନେଇଥିଲା। ରିଜର୍ଭ ବ୍ୟାଙ୍କର ଋଣ ଖିଲାପୀ ତାଲିକାରେ କଂପାନିର ନାମ ଥିବା ସତ୍ତ୍ୱେ ଏହା ଋର ହାସଲ କରିବାରେ ସଫଳ ହୋଇଥିଲା। କିଛି ଅଧିକାରୀଙ୍କୁ ହାତ କରି କଂପାନି ଏହି ସୁବିଧା ପାଇଥିଲା ବୋଲି ମାମଲାର ତଦନ୍ତ କରିବା ପରେ ସିବିଆଇ ଜାଣିପାରିଛି।
ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଛି କଂପାନି ଭୁଲ କାଗଜପତ୍ର ଦେଇ ଋଣ ହାସଲ କରିଛି। ଏହା ଷ୍ଟକ୍ ଷ୍ଟେଟ୍୍ମେଣ୍ଟ୍ରେ ମିଥ୍ୟା ସୂଚନା ଦେଇଥିଲା। ବ୍ୟାଙ୍କଠାରୁ ଋଣ ଅର୍ଥ ହାସଲ କରିବା ପରେ ତାହାକୁ ନେଇ ଅନ୍ୟ କିଛି ବ୍ୟାଙ୍କରେ ଖାତା ଖୋଲି ରଖାଯାଇଥିଲା। ଯେଉଁ କାମ ପାଇଁ ଋଣ ନିଆଯାଇଥିଲା ତାହାକୁ ସେହି କାମରେ ବ୍ୟବହାର କରାଯାଇନଥିଲା। ଉଲ୍ଲେଖଯୋଗ୍ୟ, ଗୁଜୁରାଟର ଏହି କଂପାନି ଇଲେକ୍ଟ୍ରିକ୍ କେବୁଲ୍ ଓ ଅନ୍ୟାନ୍ୟ ଉପକରଣ ସବୁ ଉତ୍ପାଦନ କରୁଥିଲା।