ଏବିଜି ସିପ୍‌ୟାର୍ଡ ମୁଖ୍ୟଙ୍କୁ ଗିରଫ କଲା ସିବିଆଇ: ୨୨,୮୪୨ କୋଟିର ଋଣ ଠକେଇ ମାମଲା

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଳି ଦେଶର ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କାର ଋଣ ଠକେଇ କରିଥିବା ଜାହାଜ ନିର୍ମାଣକାରୀ ସଂସ୍ଥା ଏବିଜି ସିପ୍‌ୟାର୍ଡର ମୁଖ୍ୟ ରିଶି କମ୍‌ଲେଶ ଅଗ୍ରୱାଲ୍‌ଙ୍କୁ ସିବିଆଇ ଆଜି ଗିରଫ କରିଛି। ଏହି ମାମଲାରେ ଶ୍ରୀ ଅଗ୍ରୱାଲ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଷଡ଼୍‌ଯନ୍ତ୍ର, ଠକେଇ, ବିଶ୍ବାସ ଭଙ୍ଗ କରିବା ଏବଂ ନିଜ ପଦବୀର ଅପବ୍ୟବହାର କରିବା ଭଳି ଅଭିଯୋଗ ରହିଛି। ଏବିଜି ସିପ୍‌ୟାର୍ଡକୁ ‌କେବଳ ଷ୍ଟେଟ୍‌ ବ୍ୟାଙ୍କ ୨,୪୬୮.୫୧ କୋଟି ଟଙ୍କାର ଋଣ ଦେଇଥିଲା। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ କଂପାନିର ହିସାବ ଖାତାକୁ ୟର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌ ଅଡିଟ୍‌ କରିବା ପରେ ଷଡ଼୍‌ଯନ୍ତ୍ର ବିଷୟରେ ଜଣାପଡ଼ିଥିଲା। ବେଆଇନ ଉପାୟରେ କଂପାନି ଋଣ ନେଇଥିବା ବେଳେ ସେହି ରାଶିକୁ ଆତ୍ମସାତ କରିବା ସହ ଅନ୍ୟତ୍ର ପଠାଇଥିବାର ପ୍ରମାଣ ମଧ୍ୟ ମିଳିଥିଲା। କଂପାନି ନେଇଥିବା ଋଣକୁ ୨୦୧୬ରେ ଏନ୍‌ପିଏ ଓ ୨୦୧୯ରେ ଠକେଇ ଘୋଷଣା କରାଯାଇଥିଲା। ଏହାକୁ ଦେଶର ସବୁଠୁ ବଡ଼ ଋଣ ଠକେଇ ମାମଲା ଭାବେ ବିଚାର କରାଯାଉଛି।

ସମ୍ବନ୍ଧିତ ଖବର