ଚନ୍ଦାଙ୍କୁ ଘେରିବ ସିବିଆଇ: ବିମାନ ବନ୍ଦରରେ ଆଲର୍ଟ

ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି, ପଚରାଉଚୁରା ପାଇଁ ଡାକିବ

ନୂଆଦିଲ୍ଲୀ: ସିବିଆଇ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର୍‌ ଜାରି କରାଯାଇଛି। କେବଳ ଚନ୍ଦା ନୁହେଁ ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କ ବିରୋଧରେ ମଧ୍ୟ ଏହି ନୋଟିସ୍ ଜାରି କରାଯାଇଛି। ଚନ୍ଦା ଯେଭଳି ଦେଶ ଛାଡ଼ି ଚାଲିଯିବାରେ ସଫଳ ନହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକୁ ସିବିଆଇ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଅଛି ଯେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଭାବେ କାମ କରୁଥିବା ବେଳେ ନିଜ ପଦର ଅପବ୍ୟବହାର କରିବା ସହ ପ୍ରଚଳିତ ଆଇନର ଉଲ୍ଲଂଘନ କରି ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମଞ୍ଜୁର କରିଥିଲେ। ନିଜ ସ୍ବାମୀଙ୍କୁ ଯେଭଳି ଲାଭ ମିଳିବ ‌ସେଥିପାଇଁ ଅପରାଧିକ ଷଡ଼ଯନ୍ତ୍ର ରଚନା କରି ଭିଡିଓକନ୍‌କୁ ଋଣ ଦେଇଥିଲେ। ଏହି ମାମଲାକୁ ନେଇ ସିବିଆଇ ପକ୍ଷରୁ ଚନ୍ଦାଙ୍କ ବିରୋଧରେ ଗତ ଜାନୁଆରି ୨୨ରେ ଏଫ୍‌ଆଇଆର୍‌ ଦାୟର କରାଯାଇଥିଲା। ସେଥିରେ ଚନ୍ଦାଙ୍କ ବ୍ୟତୀତ ତାଙ୍କ ସ୍ବାମୀ ଦୀପକ ଏବଂ ଭିଡିଓକନ୍‌ର ଧୁତ୍‌ଙ୍କ ନାମ ମଧ୍ୟ ରହିଛି। ବ୍ୟାଙ୍କିଙ୍ଗ ନିୟାମକ ନିୟମ, ରିଜର୍ଭ ବ୍ୟାଙ୍କର ଦିଶାନିର୍ଦେଶ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଋଣ ନୀତିକୁ ଉଲ୍ଳଘଂନ କରି କାହିଁକି ଏତେ ମୋଟା ଅଙ୍କର ଋଣ ଭିଡିଓକନ୍‌ ଗ୍ରୁପ୍‌କୁ ପ୍ରଦାନ କରାଯାଇଥିଲା ତାହା ଜାଣିବା ପାଇଁ ଖୁବ୍‌ଶୀଘ୍ର ସିବିଆଇ ପକ୍ଷରୁ ଚନ୍ଦା, ଦୀପକ ଏବଂ ଧୁତ୍‌ଙ୍କ ଡାକି ଜେରା କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଚନ୍ଦାଙ୍କ ବିରୋଧରେ ସିବିଆଇ ଅଭିଯୋଗ କରିଛି ଯେ ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ଦେବା ପାଇଁ ନିଜ ସ୍ବାମୀଙ୍କ ଜରିଆରେ ଚନ୍ଦା ଲାଞ୍ଚ ନେଇଥିଲେ। ୨୦୦୯ରେ ଆଇସିଆଇସିଆଇ ବ୍ୟାଙ୍କର ୩୦୦ କୋଟି ଟଙ୍କାର ଋଣ ପାଇବାର ଗୋଟିଏ ଦିନ ପରେ ଭିଡିଓକନ୍‌ ମୁଖ୍ୟ ଚନ୍ଦାଙ୍କ ସ୍ବାମୀ ଦୀପକଙ୍କ କଂପାନିକୁ ୬୪ କୋଟି ଟଙ୍କା ଦେଇଥିଲେ।

ସମ୍ବନ୍ଧିତ ଖବର