ନୂଆଦିଲ୍ଲୀ: ମାରୁତି ଉଦ୍ୟୋଗର ପୂର୍ବତନ ପରିଚାଳନା ନିର୍ଦେଶକ ଜଗଦୀଶ ଖଟ୍ଟରଙ୍କ ନାମରେ ୧୧୦ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ ଆସିଛି। ସିବିଆଇ ତରଫରୁ ତାଙ୍କ ନାଁରେ ମାମଲା ଦାୟର କରାଯାଇଛି। ମୋଟ ପାଞ୍ଚ ଜଣଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି।
ଜଗଦୀଶ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରୁ ନିଜ କଂପାନି ‘କାର୍ନେସନ ଅଟୋ ଇଣ୍ଡିଆ ଲିମିଟେଡ୍’ ଲାଗି ଏହି ଋଣ ନେଇଥିଲେ। କିନ୍ତୁ ତାହାକୁ ଆଉ ପରିଶୋଧ କରିନଥିଲେ ବୋଲି ପିଏନ୍ବି ଅଭିଯୋଗ କରିଛି। ଏହି ମାମଲାରେ ସିବିଆଇ ତରଫରୁ ଜଗଦୀଶଙ୍କ ବାସଭବନ ଏବଂ କାର୍ନେସନ ଅଟୋ ପରିସରରେ ଚଢ଼ଉ କରାଯାଇଥିଲା। ସେ ୧୯୯୩ରୁ ୨୦୦୭ ପର୍ଯ୍ୟନ୍ତ ମାରୁତି ଉଦ୍ୟୋଗ ଲିମିଟେଡ୍ ସହ ଜଡ଼ିତ ଥିଲେ। ସେ ମାରୁତିର ପରିଚାଳନା ନିର୍ଦେଶକ ପଦରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ। ଅବସର ନେବା ପରେ ସେ ନିଜର କଂପାନି କାର୍ନେସନ ଅଟୋ ଆରମ୍ଭ କରିଥିଲେ। ସେଥିପାଇଁ ୨୦୦୯ରେ ୧୭୦ କୋଟି ଟଙ୍କାର ଋଣ କରିଥିଲେ। ୨୦୧୨ରୁ ସେହି ଋଣ ଏନ୍ପିଏ ହୋଇଯାଇଥିଲା। କିନ୍ତୁ ବ୍ୟାଙ୍କ ତରଫରୁ ୨୦୧୫ରେ ସେହି ଘୋଷଣା କରାଯାଇଥିଲା ବୋଲି ଏଫ୍ଆଇଆର୍ରେ ଉଲ୍ଲେଖ ରହିଛି। ପିଏନ୍ବି ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ସିବିଆଇ ପକ୍ଷରୁ ଜଗଦୀଶଙ୍କ ନାମରେ ମାମଲା ଦାୟର କରାଯାଇଛି। ତାଙ୍କ ନାମରେ ଆପରାଧିକ ଷଡ଼୍ଯନ୍ତ୍ର ଭଳି ଅଭିଯୋଗ ରହିଛି। ଏହି ମାମଲା ସଂକ୍ରାନ୍ତରେ ଜଗଦୀଶ କହିଛନ୍ତି ଯେ, କାର୍ନେସନ ଏକ ପ୍ରକୃତ ବ୍ୟବସାୟ ବିଫଳତା ଥିଲା। କୌଣସି ହେରଫେର କରାଯାଇନାହିଁ। ଅଡିଟ୍ରୁ ମଧ୍ୟ ତାହା ସ୍ପଷ୍ଟ ହୋଇଛି। ବ୍ୟାଙ୍କ ତରଫରୁ ଏଭଳି ମାମଲା ସିବିଆଇ ପାଖକୁ ପଠାଇବା ସେମାନଙ୍କ ପାଇଁ ସାଧାରଣ ପ୍ରକ୍ରିୟା। ସିବିଆଇ ତରଫରୁ ଚଢ଼ଉ କରାଯାଇଛି, କିନ୍ତୁ ସେମାନଙ୍କୁ ବିଶେଷ କିଛି ମିଳିନାହିଁ। ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜଗଦୀଶ ଓ ତାଙ୍କ କଂପାନି ତରଫରୁ ବନ୍ଧକ ରଖାଯାଇଥିବା ସମ୍ପତ୍ତିଗୁଡ଼ିକୁ ବ୍ୟାଙ୍କର ବିନା ଅନୁମତିରେ ବିକ୍ରି କରାଯାଇଥିଲା ଓ ସେହି ଟଙ୍କା ଅନ୍ୟତ୍ର ପଠାଇ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Untitled_571_855.jpg)