ନିରବଙ୍କ ୩ କମ୍ପାନିର ପତ୍ତା ପାଉନି ସିବିଆଇ

ମୁମ୍ବାଇ: ଋଣ ନେବା ସମୟରେ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)କୁ ତାଙ୍କ ୩ଟି କମ୍ପାନିର ଯେଉଁ ଠିକଣା ପ୍ରଦାନ କରିଥିଲେ ତାହାର ପତ୍ତା ସିବିଆଇ ଏବେ ପାଉନାହିଁ। ଋଣ ନେବା ସମୟରେ ସେ ବଦଳାଇଥିବା ଠିକଣା ସମ୍ପର୍କରେ ବ୍ୟାଙ୍କକୁ କୌଣସି ସୂଚନା ଦେଇନାହାନ୍ତି। ମାମଲା ରୁଜୁ କରି ସାରିବା ପରେ ସିବିଆଇ ଅଧିକାରୀମାନେ ପ୍ରଥମେ ଯେଉଁ ୩ଟି କମ୍ପାନିର କାର୍ଯ୍ୟାଳୟକୁ ଯାଇଥିଲେ ସେଗୁଡ଼ିକ ସେଠାରେ ନଥିବାରୁ ଅଧିକାରୀମାନେ ନିରାଶ ହୋଇ ସେଠାରୁ ଫେରିଛନ୍ତି। ମୋଦିଙ୍କ ଦୁଇଟି କମ୍ପାନି ସୋଲାର ଏକ୍ସପୋର୍ଟସ ଏବଂ ଷ୍ଟେଲାର ଡାଇମଣ୍ଡ୍‌ସର ପଞ୍ଜୀକୃତ କାର୍ଯ୍ୟାଳୟ ଅପେରା ହାଉସ୍‌ ସ୍ଥିତ ନାଗିନଦାସ ମାନ୍‌ସନ୍‌ରେ ରହିଥିବା ଉଲ୍ଲେଖ ରହିଛି। ତେବେ ଏଠାକୁ ଯାଇ ସେହି କାର୍ଯ୍ୟାଳୟକୁ ଖୋଜିବାରୁ ନିରବ ମୋଦିଙ୍କ କମ୍ପାନିର ଜଣେ କର୍ମଚାରୀ କହିଥିଲେ ଦୀର୍ଘଦିନ ହେଲା ଲୋୟର ପ୍ୟାରେଲ୍‌ରେ ଥିବା କମଳା ମିଲ୍‌ସକୁ କମ୍ପାନି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଯାଇଛି। ନାଗିନଦାସ ମାନ୍‌ସନ୍‌ରେ କେବଳ ଦୁଇଜଣ କର୍ମଚାରୀ ରହିଛନ୍ତି। ସେମାନେ ସେଠାକୁ ଆସୁଥିବା ଚିଠି ଗ୍ରହଣ କରୁଛନ୍ତି ଏବଂ ମ୍ୟାନେଜମେଣ୍ଟ ଯାହା ନିର୍ଦେଶ ଦେଉଛି ସେହି ଅନୁସାରେ କାର୍ଯ୍ୟ କରୁଛନ୍ତି। ଡାଇମଣ୍ଡ ଆର୍‌ ୟୁଏସ୍‌ ନାମକ ତୃତୀୟ କମ୍ପାନିର ପଞ୍ଜୀକୃତ କାର୍ଯ୍ୟାଳୟ ଅପେରା ହାଉସ୍‌ ନିକଟରେ ରହିଛି। ଏହି କାର୍ଯ୍ୟାଳୟ ସାମ୍ନାରେ ନିରବଙ୍କର ଦାତବ୍ୟ ସଂସ୍ଥାର ବୋର୍ଡ ଲାଗିଛି। ଏଠାରେ କି ପ୍ରକାର ଦାତବ୍ୟ କାର୍ଯ୍ୟ ହେଉଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର