ନୂଆଦିଲ୍ଲୀ : ସାଧାରଣ ଟିକସଦାତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି ।
କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନ୍ତର୍ଗତ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳକ ବୋର୍ଡ (ସିବିଆଇସି) ପକ୍ଷରୁ ଆଜି ଏ ସମ୍ପର୍କରେ ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ୨୦୧୯-୨୦ର ବାର୍ଷିକ ଜିଏସଟି (ଜିଏସଟିଆର-୯ ଓ ଜିଏସଟିଆର ୯ସି) ଫାଇଲ କରିବାର ଶେଷ ତାରିଖ ୨୮ ଫେବ୍ରୁଆରି ଥିଲା ।
ଏହାକୁ ମିଶାଇ ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ଦୁଇଥର ବଢିଲାଣି । ଗତ ଡିସେମ୍ବର ମାସରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳକ ବୋର୍ଡ (ସିବିଆଇସି) ପକ୍ଷରୁ ଶେଷ ତାରିଖକୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
୪ଟି ରାଜ୍ୟ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଏବେ ନିର୍ବାଚନ ଆଚରଣବିଧି ଲାଗୁ ରହିଛି । ଏଣୁ ଶେଷତାରିଖ ବଢାଇବା ପୂର୍ବରୁ ସିବିଆଇସି ପକ୍ଷରୁ ଭାରତର ନିର୍ବାଚନ ଆୟୋଗଙ୍କ ଅନୁମତି ନିଆଯାଇଥିଲା ।
ଗତ ଜାନୁଆରି ମାସରେ ଦେଶର ମୋଟ ଜିଏସଟି ରାଜସ୍ବ ଆଦାୟ ୧ ଲକ୍ଷ ୨୦ ହଜାର କୋଟି ଛୁଇଁଥିଲା ।