୧୯୯୬ରୁ ଆରମ୍ଭ ହୋଇଥିଲା ସିସିଡି ଯାତ୍ରା, ମାଇଣ୍ଡଟ୍ରି ସେୟାର ବିକି ୨୧୦୦ କୋଟି ପାଇଥିଲେ

ବେଙ୍ଗାଲୁରୁ: ୧୯୯୬ ମସିହା ଅଗଷ୍ଟରୁ ଭି ଜି ସିଦ୍ଧାର୍ଥ କାଫେ କଫି ଡେ’(ସିସିଡି) ବ୍ୟବସାୟ ଆରମ୍ଭ କରିଥିଲେ। ବେଙ୍ଗାଲୁରୁର ବିଗ୍ରେଡ ରୋଡ୍‌ରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଥିବା ସିଦ୍ଧାର୍ଥଙ୍କ ସିସିଡି ବ୍ୟବସାୟ ଆକାର ଆସନ୍ତା ମାର୍ଚ୍ଚ ସୁଦ୍ଧା ୨୨୫୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା ରଖାଯାଇଛି। କଫି ରିଟେଲିଂ ବ୍ୟବସାୟ ସିଦ୍ଧାର୍ଥ ଆରମ୍ଭ କରିଥିଲେ ବି ତାଙ୍କ ପରିବାର ୧୩୦ ବର୍ଷରୁ ଅଧିକ ସମୟ ହେଲା କଫି ଚାଷ ବ୍ୟବସାୟରେ ସାମିଲ ଥିଲେ। ତାଙ୍କ ପରିବାର ଅଧୀନରେ ୧୫ ହଜାର ହେକ୍ଟର କଫି ଚାଷ ଜମି ରହିଛି। ତେଣୁ ‌କଫି ଡେ ଗ୍ରୁପ୍‌ ବିଭିନ୍ନ ପ୍ରକାର ବ୍ୟବସା‌ୟରେ ସଂଶ୍ଳିଷ୍ଟ ଥିଲା। ଦେଶରେ ସିସିଡିର ୧୭୫୦ଟି ଷ୍ଟୋର ରହିଛି। ଏହାବ୍ୟତୀତ ଅଷ୍ଟ୍ରିଆ, ଚେକ୍ ଗଣତନ୍ତ୍ର ଏବଂ ମାଲେସିଆରେ ସିସିଡିର ସୋରୁମ୍ ରହିଛି। ସୋମବାର ରାତିରୁ ସିଦ୍ଦାର୍ଥ ନିଖୋଜ ହେବା ପରେ କମ୍ପାନିର ନିବେଶକମାନେ ମଧ୍ୟ ହତାଶ ହୋଇ ପଡ଼ିଛନ୍ତି। ଦେଶ ବିଦେଶରେ ସିସିଡିରେ କଫି ପିଇବା ପାଇଁ ଲୋକମାନେ ଆଗ୍ରହ ଦେଖାଉଥିବାରୁ ତାଙ୍କର ଏହି ବ୍ୟବସାୟ ଆଗକୁ ବଢ଼ିଚାଲିଥିଲା। ମଙ୍ଗଳବାର କମ୍ପାନିର ସେୟାର ମୂଲ୍ୟରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟି ଏହା ବହୁ ତଳକୁ ଖସିଯାଇଛି।

ଉଦ୍ୟୋଗ ଜଗତ ଚକିତ
ଭି ଜି ସିଦ୍ଧାର୍ଥଙ୍କ ନିଖୋଜ ପରେ ଦେଶର କେତେଜଣ ପ୍ରମୁଖ ଉଦ୍ୟୋଗୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବାୟୋକନ୍ ଏମଡି କିରଣ ମଜୁମଦାର ସ କହିଛନ୍ତି, ସିଦ୍ଧାର୍ଥଙ୍କର ହଠାତ୍ ନିଖୋଜ ଘଟଣା ତାଙ୍କୁ ବିରାଟ ଧକ୍କା ଦେଇଛି। ନିଖୋଜ ଉଦ୍ୟୋଗୀଙ୍କୁ କର୍ଣ୍ଣାଟକ ‌ପୁଲିସ ନେତ୍ରବତୀ ଡ୍ୟାମ୍ ନିକଟରେ ଖୋଜୁଛି। ପ୍ରାଇଭେଟ ଇକ୍ବିଟି ଫଣ୍ଡ ନେଇ ସେ ଯେଉଁ ଚାପରେ ରହିଥିଲେ ବୋଲି କହୁଛନ୍ତି ତାହାର ତଦନ୍ତ ଦାବି କରିଛନ୍ତି କିରଣ। ସ୍ନାପଡିଲର ସହ ପ୍ରତିଷ୍ଠାତା ତଥା ସିଇଓ କୁନାଲ ବାହଲ ମଧ୍ୟ ସିଦ୍ଧାର୍ଥଙ୍କୁ ଜଣେ ଅତ୍ୟନ୍ତ ଭଦ୍ର ଲୋକ ବୋଲି କହିଛନ୍ତି। କ୍ରିକେଟ ଭାଷ୍ୟକାର ହର୍ଷ ଭୋଗଲେ ମଧ୍ୟ ସିଦ୍ଧାର୍ଥଙ୍କ ନିଖୋଜ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ‌ସିଦ୍ଧାର୍ଥ ଏକ ଭଲ ବ୍ରାଣ୍ଡ୍ ସୃଷ୍ଟି କରିଥିଲେ ବୋଲି ଭୋଗଲେ କହିଛନ୍ତି।

ମାଇଣ୍ଡଟ୍ରି ସେୟାର ବିକି ୨୧୦୦ କୋଟି ପାଇଥିଲେ
୫୮ ବର୍ଷୀୟ ସିଦ୍ଧାର୍ଥଙ୍କର ଆଇଟି କମ୍ପାନି ମାଇଣ୍ଡଟ୍ରିରେ ପ୍ରାୟ ୨୧ ପ୍ରତିଶତ ସେୟାର ଥିଲା। ସେହି ସେୟାରକୁ ସମ୍ପୂର୍ଣ୍ଣ ଭାବେ ବିକ୍ରି କରି ଋଣ ବୋଝ ହ୍ରାସ କରିବାକୁ ଚାହିଥିଲେ। ୨୦୧୯ ମାର୍ଚ୍ଚ ସୁଦ୍ଧା ତାଙ୍କ ମୁଣ୍ଡରେ ୬୫୪୭.୩୮ କୋଟି ଟଙ୍କାର ଋଣ ବୋଝ ଥିଲା ବୋଲି ସିଏମଆଇଇ ତଥ୍ୟରୁ ଜଣାଯାଇଛି। ଚଳିତବର୍ଷ ମେ ମାସରେ ସିଦ୍ଧାର୍ଥ ମାଇଣ୍ଡଟ୍ରିର ସମସ୍ତ ଅଂଶଧନ ବିକ୍ରି କରି ୨୧୦୦ କୋଟି ଟଙ୍କା ପାଇଥିଲେ।

ଆୟକର ବିଭାଗର ସ୍ପଷ୍ଟୀକରଣ
ସିସିଡିର ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କୁ ଆୟକର ବିଭାଗ ହଇରାଣ କରୁଥିଲା। ସିସିଡିରେ ଅର୍ଥ ସଙ୍କଟର ଏହା ଅନ୍ୟତମ କାରଣ ବୋଲି ସିଦ୍ଧାର୍ଥ କହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଚିଠିରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ମାଇଣ୍ଡ୍‌ଟ୍ରି ଚୁକ୍ତିକୁ ଅଟକାଇବା ପାଇଁ ଆୟକର ବିଭାଗର ପୂର୍ବତନ ଡିଜି ଅନେକ ହଇରାଣ କରିଥିଲେ। ଦୁଇ ଥର କମ୍ପାନିର ସେୟାରକୁ ଆଟାଚ୍ କରିଦେଇଥିଲେ। ଏହି କାର୍ଯ୍ୟ ଠିକ୍ ନଥିଲା, ଯେଉଁଥିପାଇଁ ନଗଦ ଅର୍ଥର ଗୁରୁତର ସଙ୍କଟ ଦେଖାଦେଇଥିଲା ବୋଲି ସିଦ୍ଧାର୍ଥ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସିଦ୍ଧାର୍ଥ ଚିଠିରେ ଉଲ୍ଲେଖ କରିଥିବା ବିଷୟ ୨୦୧୭ ମସିହାର ମାମଲାକୁ ଇଙ୍ଗିତ କରୁଛି। ସେତେବେଳେ ଟିକସ ଫାଙ୍କିଥିବା ଅଭିଯୋଗରେ ଆୟକର ବିଭାଗ ତାଙ୍କ ଘର ସମେତ ସିସିଡିର ୨୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଥିଲା। ସେ ୬୫୦ କୋଟି ଟଙ୍କାର ଆୟ ଦର୍ଶାଇ ନଥିବା ଅଭିଯୋଗ ଆସିଥିଲା। ଏତଦବ୍ୟତୀତ ଚଳିତବର୍ଷ ଜାନୁଆରିରେ ଆୟକର ବିଭାଗ ତାଙ୍କର ୭୪.୯୦ ଲକ୍ଷ ମାଇଣ୍ଡଟ୍ରି ସେୟାର ଜବତ ବିଷୟକୁ ମଧ୍ୟ ଇଙ୍ଗିତ କରୁଛି। ଏହି ୭୪.୯୦ ଲକ୍ଷ ମାଇଣ୍ଡଟ୍ରି ସେୟାର ମଧ୍ୟରୁ ୨୨.୨୦ ଲକ୍ଷ ସେୟାର ସିସିଡିର ହୋଇଥିବା ବେଳେ ୫୨.୭୦ ଲକ୍ଷ ସେୟାର ସିଦ୍ଧାର୍ଥଙ୍କର ରହିଥିଲା। କଥା ଏତିକିରେ ସୀମିତ ନଥିଲା ଗତ ଫେବ୍ରୁଆରିରେ ମଧ୍ୟ ବିଭାଗ ଠାରୁ ଏକ ନୋଟିସ ପାଇଥିଲେ। ଏହାପରେ ୱେ ୨ ୱେଲଥ୍ ବ୍ରୋକର୍ସରେ ସିସିଡିର ଥିବା ୪୬,୦୧,୮୬୯ଟି ସେୟାରକୁ ଅସ୍ଥାୟୀ ଭାବେ ଜବତ କରାଯାଇଥିଲା। ତେବେ ସୋସିଆଲ ମିଡିଆରେ ପ୍ରସାରିତ ଚିଠି ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି, ବିଭାଗ ନିକଟରେ ଯେଉଁ ଦସ୍ତଖତ ରହିଛି ତାହା ଚିଠିର ଦସ୍ତଖତ ସହ ମେଳ ଖାଉନାର୍ହି। ଏହାବ୍ୟତୀତ ଆୟକର ବିଭାଗ କହିଛି, ଯାହା କିଛି ପଦକ୍ଷେପ ନିଆଯାଇଛି ତାହା ଆଇନ ଅନୁସାରେ ହୋଇଛି।

କାଫେ କଫି ଡେ’(ସିସିଡି)ର ଥିଲେ ୬ ପାର୍ଟନର
କମ୍ପାନିର ନିର୍ଦ୍ଦେଶକ ଏବଂ କର୍ମଚାରୀମାନଙ୍କୁ ଭି ଜି ସିଦ୍ଧାର୍ଥ ଯେଉଁ ଶେଷ ଚିଠି ଲେଖିଛନ୍ତି ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ସେୟାର ବାଏବ୍ୟାକ୍ ପାଇଁ ଜଣେ ପ୍ରାଇଭେଟ ଇକ୍ବିଟି ପାର୍ଟନରଙ୍କ ପ୍ରବଳ ଚାପ ରହିଥିଲା। ସେହି ଚାପକୁ ସେ ସହ୍ୟ କରିପାରୁନାହାନ୍ତି ବୋଲି ‌ଲେଖିଛନ୍ତି। ୬ ମାସ ପୂର୍ବେ ଜଣେ ବନ୍ଧୁଙ୍କ ଠାରୁ ବିପୁଳ ପରିମାଣର ଋଣ ଆଣି ଏହି କାର୍ଯ୍ୟ କିଛିମାତ୍ରାରେ କରିଥିଲି। ଋଣ ଦେଇଥିବା ଅନ୍ୟ ସଂସ୍ଥାଠାରୁ ପ୍ରବଳ ଚାପ ରହିଥିଲା ଯାହାକି ମୋତେ ଆଜି ଏଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ଚିଠିରେ ଲେଖିଛନ୍ତି। ତେବେ ଏହି ଚିଠିରେ ସେ ଯେଉଁ ଦସ୍ତଖତ କରିଛନ୍ତି ସେହି ଦସ୍ତଖତକୁ ନେଇ ସନ୍ଦେହ ଉପୁଜିଛି। ବାର୍ଷିକ ସାଧାରଣ ବୈଠକର ରିପୋର୍ଟରେ ସେ ଯେଭଳି ଦସ୍ତଖତ କରିଥା’ନ୍ତି ତାହା ତୁଳନାରେ ଏହା ଭିନ୍ନ ରହିଛି। ସିସିଡିରେ ୪ଟି ବିଦେଶୀ ସଂସ୍ଥାର ଉଲ୍ଲେଖନୀୟ ଅଂଶଧନ ରହିଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨.୨୪ କୋଟି ସେୟାର ଏନଏଲଏସ ମରିସସ ଏଲଏଲସି ନିକଟରେ ରହିଛି। ଏହା ପଛକୁ ଦ୍ବିତୀୟ ବୃହତ୍ ସେୟାରଧାରୀମାନେ କେକେଆର ମରିସସ ପିଇ ଇନଭେଷ୍ଟମେଣ୍ଟସ ରହିଛି। ଏହି ସଂସ୍ଥା ନିକଟରେ ୧.୨୮ କୋଟି ସେୟାର ରହିଛି। ଏତଦବ୍ୟତୀତ ମରିନା ୱେଷ୍ଟ (ସିଙ୍ଗାପୁର) ଏବଂ ମରିନା ୩(ସିଙ୍ଗାପୁର) ହେଉଛନ୍ତି ଅନ୍ୟ ଦୁଇଟି ବିଦେଶୀ କର୍ପୋରେଟ ନିବେଶକ। ସେମାନଙ୍କ ନିକଟରେ ଯଥାକ୍ରମେ ୯୭.୭୩ ଲକ୍ଷ ଏବଂ ୨୨.୦୧ ଲକ୍ଷ ସେୟାର ରହିଛି। ସିସିଡିରେ ୬ ଜଣ ପ୍ରତିଷ୍ଠାତା ସଦସ୍ୟ ରହିଥିଲେ ସେମାନଙ୍କ ମଧ୍ୟରେ ସିଦ୍ଧାର୍ଥ ଓ ତାଙ୍କ ପତ୍ନୀ ମାଳବିକା ହେଗଡେ ଅନ୍ୟତମ। କମ୍ପାନିରେ ଏମାନଙ୍କର ୫୩.୯୩ ପ୍ରତିଶତ ସେୟାର ରହିଥିଲା। ଅନ୍ୟ ୪ ପ୍ରତିଷ୍ଠାତା ସଦସ୍ୟ ହେଲେ ଦେବର୍ଷିନୀ ଇ‌ନଫୋ ଟେକ୍ନୋଲୋଜିଜ୍, କଫି ଡେ କନସୋଲିଡେସନ୍ସ, କଫି ଡେ ଇଷ୍ଟେଟ୍ସ ଏବଂ ସିବାନ୍ ସିକ୍ୟୁରିଟିଜ୍। ଏମାନଙ୍କ ନିକଟରେ ୧୭.୧୩ ପ୍ରତିଶତ ସେୟାର ରହିଥିଲା। ଅବଶିଷ୍ଟ ସେୟାର ‌ବାହାର ନିବେଶକଙ୍କ ହାତରେ ରହିଥିଲା। ସେମାନଙ୍କ ମଧ୍ୟରେ ଇନଫୋସିସ୍‌ର ସହପ୍ରତି‌ଷ୍ଠାତା ନନ୍ଦନ ନିଲେକାନୀ ରହିଛନ୍ତି।

ସମ୍ବନ୍ଧିତ ଖବର