ଜେଟ୍‌, ସ୍ପାଇଶଜେଟ୍‌ ଓ ଇଣ୍ଡିଗୋ ଉପରେ ୫୪ କୋଟିର ଜରିମାନା ବସାଇଲା ସିସିଆଇ

ନୂଆଦିଲ୍ଲୀ: ବ୍ୟବସାୟରେ ଅସାଧୁ ଉପାୟ ଅବଲମ୍ବନ କରିବା ଅଭିଯୋଗରେ ଭାରତୀୟ କମ୍ପିଟିସନ କମିଶନ (ସିସିଆଇ) ଦେଶର ଘରୋଇ ୩ଟି ବିମାନସେବା କମ୍ପାନି ଜେଟ୍‌ ଏୟାରେଓ୍ଵଜ୍‌, ସ୍ପାଇଶ ଜେଟ୍‌ ଓ ଇଣ୍ଟରଗ୍ଲୋବ ଆଭିଏସନ ( ଇଣ୍ଡିଗୋ) ଉପରେ ମୋଟ ୫୪ କୋଟି ଟଙ୍କାର ଜରିମାନା ବସାଇଛନ୍ତି । ଏହି ବିମାନକମ୍ପାନିମାନେ ଫୁଏଲ ସରଚାର୍ଜକୁ ଇଚ୍ଛାଅନୁସାରେ ନିର୍ଦ୍ଧାରଣ କରିବା ସହ ତାହାକୁ ଭିତ୍ତିକରି ମାଲଭଡ଼ା ବଢାଉଥିଲେ ।

ସିସିଆଇ ଜେଟ ଏୟାରେଓ୍ଵଜ ଉପରେ ୩୯.୮୧ କୋଟି, ଇଣ୍ଟରଗ୍ଲୋବ ଉପରେ ୯.୪୫ କୋଟି ଓ ସ୍ପାଇସ ଜେଟ ଉପରେ ୫.୧୦ କୋଟି ଟଙ୍କାର ଜରିମାନା ବସାଇଛନ୍ତି । ଏସବୁ ଏୟାରଲାଇନ୍ସମାନେ ମାଲ ପରିବହନ ଭଡ଼ା ଉପରେ ଫୁଏଲ ସରଚାର୍ଜ ଲାଗୁ କରିଥାନ୍ତି । ସାଧାରଣତଃ ଏହି ସରଚାର୍ଜ ମାଲଭଡାର ୩୦ ପ୍ରତିଶତ ରହିଥୋ । କିନ୍ତୁ ଏହି ସରଚାର୍ଜକୁ ମନଇଚ୍ଛା ନିର୍ଦ୍ଧାରଣ କରି ବା ବଢାଇବା ଫଳରେ ମାଲଭଡ଼ା ବଢିଯାଉଥିଲା । ଏହି ବାବଦରୁ ୨୦୧୦ରୁ ୨୦୧୩ ମଧ୍ୟରେ ଏସବୁ କମ୍ପାନି କରିଥିବା କାରବାରର ୩ ପ୍ରତିଶତ ହିସାବରେ ଏହି ଜରିମାନା ବସାଯାଇଛି ।

ଏସବୁ କମ୍ପାନିମାନେ ଅସାଧୁ ମେଣ୍ଟ କରି ମାଲ ଭଡ଼ା ବଢାଉଥିବା ଅଭିଯୋଗ କରି ଏକ୍ସପ୍ରେସ ଇଣ୍ଡଷ୍ଟ୍ରି କାଉନସିଲ ପକ୍ଷରୁ ସିସିଆଇରେ ଅଭିଯୋଗ କରାଯାଇଥିଲା ।

ସମ୍ବନ୍ଧିତ ଖବର