୮୧୩ ରେଳ ଷ୍ଟେସନରେ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ମଜଭୁତ କରିବା ଲାଗି ରେଳବାଇ ଓ ରେଲ୍‌ଟେଲ୍‌ ପକ୍ଷରୁ ମିଳିତ ଭାବେ ଦେଶର ୮୧୩ଟି ପ୍ରମୁଖ ରେଳ ଷ୍ଟେସନରେ ଇଣ୍ଟରନେଟ୍ ପ୍ରୋଟୋକଲ୍‌ (ଆଇପି) ଭିତ୍ତିକ ଭିଡିଓ ନିରୀକ୍ଷଣ ବ୍ୟବସ୍ଥା ବା ସିସିଟିଭି କ୍ୟାମେରା ସ୍ଥାପନ କରାଯାଉଛି। ବର୍ତ୍ତମାନ ୪୭ରୁ ଅଧିକ ଷ୍ଟେସନରେ ସିସିଟିଭି ସ୍ଥାପନ କାର୍ଯ୍ୟ ଚାଲିଛି ଓ ଏହା ଖୁବଶୀଘ୍ର ଶେଷ ହେବ। ୨୦୨୨ ମାର୍ଚ୍ଚ ସୁଦ୍ଧା ୭୫୬ଟି ଷ୍ଟେସନରେ ସିସିଟିଭି ଲଗାଇବା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଷ୍ଟେସନଗୁଡ଼ିକରେ ଚାରି ପ୍ରକାର କ୍ୟାମେରା ଲଗାଯାଉଛି। ସିସିଟିଭି ଲଗାଇବା ପାଇଁ ରେଳବାଇ ଓ ରେଲ୍‌ଟେଲ୍‌ ମଧ୍ୟରେ ୨୦୨୦ ଜୁନ୍ ୨୫ରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଥିଲା। ଦେଶ ଭିତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଓ ପଡ଼ୋଶୀ ଦେଶର କଂପାନିଗୁଡ଼ିକୁ ଏହି ପ୍ରକଳ୍ପରେ ସାମିଲ ହେବାରୁ ଅଟକାଇବା ଭଳି ପଦକ୍ଷେପ ବିିଚାରକୁ ନେଇ ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଚଳିତ ବର୍ଷ ମେ’ରେ ୪୫୬ଟି ଷ୍ଟେସନ ପାଇଁ ଚାରିଟି ଟେଣ୍ଡର ଆହ୍ବାନ କରାଯାଇଛି। ସିସିଟିଭିର ଫିଡ୍‌ ସ୍ଥାନୀୟ ଆର୍‌ପିଏଏଫ୍ ପୋ‌ଷ୍ଟ ସହିତ ଡିଭିଜନାଲ୍ ଓ ଜୋନ ସ୍ତରୀୟ ନିୟନ୍ତ୍ରଣ କକ୍ଷରେ ଉପଲବ୍ଧ ହେବ। ଭିଡିଓ ଫିଡ୍‌ଗୁଡ଼ିକୁ ତିନିଟି ସ୍ତରରେ ନିରୀକ୍ଷଣ କରାଯିବ। ଓ ତାହାକୁ ୩୦ ଦିନ ପର୍ଯ୍ୟନ୍ତ ସାଇତି ରଖାଯିବ। ୧୪ଟି ଜୋନ୍‌ରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କାର୍ଯ୍ୟ ଶେଷ ହୋଇଛି।

ସମ୍ବନ୍ଧିତ ଖବର