ନିରବଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇର ମୁଖ୍ୟ ଅଭିଯୁକ୍ତ ତଥା ହୀରା ଗହଣା ବ୍ୟବସାୟୀ ନିରବ ମୋଦିଙ୍କ ୭ ହଜାର କୋଟି ଟଙ୍କାର ସମ୍ପତ୍ତି ତୁରନ୍ତ ବାଜ୍ୟାପ୍ତି କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଦାଲତରେ ଆବେଦନ କରିବ। ନିକଟରେ ଘୋଷଣା ହୋଇଥିବା ପଳାତକ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ ବଳରେ ନିରବଙ୍କ ସମ୍ପତ୍ତି ଜବତ ପାଇଁ ଇଡି ଆବେଦନ କରିବ। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଏ ନେଇ ଆବେଦନ କରାଯିବ ବୋଲି ଜଣାଯାଇଛି। ଗତ ୨୪ ତାରିଖରେ ଇଡି ନିରବ ମୋଦିଙ୍କ ବିରୋଧରେ ଏହାର ପ୍ରଥମ ଚାର୍ଜସିଟ୍‌ ମୁମ୍ବାଇର ସ୍ୱତନ୍ତ୍ର ଅଦାଲତରେ ଦାଖଲ କରିସାରିଛି। ଏହି ଚାର୍ଜସିଟ୍‌ ଆଧାରରେ ନିରବ ମୋଦିଙ୍କୁ ପଳାତକ ଘୋଷଣା କରିବା ଲାଗି ଇଡି ଆବେଦନ କରିବ। ନିରବ ମୋଦି ଓ ଅନ୍ୟ ଅଭିଯୁକ୍ତମାନଙ୍କ ଦ୍ୱାରା ବିଦେଶକୁ ୬୪୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିଦେଶରେ କଳାକୁ ଧଳା କରାଯାଇଛି। ଚାର୍ଜସିଟ୍‌ରେ ୨୪ ଜଣଙ୍କୁ ଅଭିଯୁକ୍ତଭାବେ ଦର୍ଶାଯାଇଛି। ଦାଖଲ ହୋଇଥିବା ୧୨ ହଜାର ପୃଷ୍ଠାର ଚାର୍ଜସିଟ୍‌କୁ ଆସନ୍ତାକାଲି ଅଦାଲତ ସଂଜ୍ଞାନକୁ ନେଇପାରନ୍ତି ବୋଲି କୁହାଯାଉଛି। ଅଦାଲତ ଏହି ଚାର୍ଜସିଟ୍‌କୁ ସଂଜ୍ଞାନକୁ ନେବା ସମୟରେ ଇଡି ଓକିଲ ପଳାତକ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ ଅନୁଯାୟୀ ନିରବଙ୍କ ସମ୍ପତ୍ତିକୁ ତୁରନ୍ତ ବାଜ୍ୟାପ୍ତ କରିବା ଲାଗି ଅନୁମତି ମାଗିବେ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ନିରବ ମୋଦିଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇ ସାରିଛି। ତାଙ୍କୁ ଗିରଫ କରିବା ଲାଗି ଇଡି ଇଣ୍ଟରପୋଲ୍‌ର ମଧ୍ୟ ସହାୟତା ନେଇସାରିଛି। ସେହିଭଳି ଅନ୍ୟତମ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ମଧ୍ୟ ଇଡି ସମାନ ଧରଣର ପଦକ୍ଷେପ ନେବ ବୋଲି ଆଶା କରାଯାଉଛି। ପିଏମ୍‌ଏଲ୍‌ଏ ଆଇନ ଅନୁଯାୟୀ, ଜଣେ ଅପରାଧୀଙ୍କ ବିଚାର ପ୍ରକ୍ରିୟା ଶେଷ ହେବା ପରେ ହିଁ ଇଡି ସମ୍ପତ୍ତି ଜବତ କରିବାର ବ୍ୟବସ୍ଥା ରହିଛି। ଏହାହେଲେ ନିରବଙ୍କ ସମ୍ପତ୍ତି ଜବତ କରିବା ବହୁବିଳମ୍ବ ହେବ। କିନ୍ତୁ ନ୍ୟାୟ ପ୍ରକ୍ରିୟାରେ ସାମିଲ ହେଉଥିବା ଆର୍ଥିକ ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସରକାର ଗତ ମାସରେ ପଳାତକ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ ଆଣିଛନ୍ତି।

ସମ୍ବନ୍ଧିତ ଖବର