ନୂଆଦିଲ୍ଲୀ: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ୨.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆସନ୍ତାମାସ ୫ ତାରିଖରେ ଆଗତ କରିବେ। ଏଥିପାଇଁ ବଜେଟ୍ ଦସ୍ତାବିଜ୍ ପ୍ରକାଶନ ଆଜିଠାରୁ ଆରମ୍ଭ ହୋଇଯାଇଛି। ବଜେଟ୍ ଦସ୍ତାବିଜ ପ୍ରକାଶନ ହେବା ପୂର୍ବରୁ ପ୍ରତିବର୍ଷ ନର୍ଥ ବ୍ଲକ୍ ବା ଅର୍ଥ ମନ୍ତ୍ରାଳୟର ମୁଖ୍ୟାଳୟରେ ହାଲୁଆ ଉତ୍ସବ ଆରମ୍ଭ ହୁଏ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆଜି ହାଲୁଆ ଉତ୍ସବ ପାଳନ ହୋଇଛି। ହାଲୁଆ ଉତ୍ସବ ପରେ ଅର୍ଥମନ୍ତ୍ରୀ ବଜେଟ୍ ଦସ୍ତାବିଜ ଛପା ଯାଉଥିବା ସ୍ଥାନ ବୁଲି ଦେଖିଛନ୍ତି। ଅର୍ଥ ମନ୍ତ୍ରାଳୟର ବେସ୍‌ମେଣ୍ଟରେ ରହିଛି ଏହି ଛପାଖାନା।

Advertisment

ହାଲୁଆ ଉତ୍ସବ ପାଳନର କାରଣ ହେଲା ହାଲୁଆକୁ ଶୁଭ ବିବେଚନା କରାଯାଇଥାଏ ଏବଂ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ହାଲୁଆ ପ୍ରସ୍ତୁତ କରାଯାଇ ବଣ୍ଟା ଯାଇଥାଏ। ବଜେଟ୍ ସଂକ୍ରାନ୍ତ ସମସ୍ତ ଦସ୍ତାବିଜ ମନ୍ତ୍ରାଳୟ ପକ୍ଷରୁ ଚୟନ ହୋଇଥିବା ଅଧିକାରୀମାନେ ପ୍ରସ୍ତୁତ କରିଥାନ୍ତି। ବଜେଟ୍ ପ୍ରସ୍ତୁତି ସହିତ ଜଡ଼ିତ ସବୁ କମ୍ପ୍ୟୁଟରକୁ ମଧ୍ୟ ଅନ୍ୟ କମ୍ପ୍ୟୁଟର ଠାରୁ ପୃଥକ୍ ରଖାଯାଇଥାଏ। ବଜେଟ୍ ପ୍ରସ୍ତୁତି ସହିତ ଜଡ଼ିତ ପାଖାପାଖି ୧୦୦ ଅଧିକାରୀଙ୍କୁ ପ୍ରାୟ ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ ନର୍ଥ ବ୍ଲକସ୍ଥିତ ଅର୍ଥ ମନ୍ତ୍ରାଳୟର କାର୍ଯ୍ୟାଳୟ ପରିସରରେ ଅଲଗା ରହିବାକୁ ପଡ଼ିଥାଏ। କିଛିଦିନ ପାଇଁ ଏମାନଙ୍କୁ ବାହାରକୁ ଆସିବା ଲାଗି ଅନୁମତି ଦିଆଯାଇ ନଥାଏ। ଏପରିକି ଅଧିକାରୀମାନଙ୍କୁ ସେମାନଙ୍କ ପରିବାରର ସଦସ୍ୟ ଏବଂ ସଂପର୍କୀୟଙ୍କ ସହା କଥାବାର୍ତା କିମ୍ବା ମିଶିବାର ସୁଯୋଗ ମଧ୍ୟ ଦିଆଯାଇ ନଥାଏ। ବଜେଟ୍ ସଂକ୍ରାନ୍ତ ତଥ୍ୟ ଲିକ୍ ହେବା ଆଶଙ୍କାରେ ଏଭଳି ସତର୍କତା ଅବଲମ୍ବନ କରାଯାଇଥାଏ। ବଜେଟ୍ ସଂସଦରେ ଉପସ୍ଥାପିତ ହେବା ପରେ ଯାଇ ବଜେଟ୍ ଛପା ସହିତ ଜଡ଼ିତ ଅଧିକାରୀମାନଙ୍କୁ ବାହାରକୁ ଆସିବା ଲାଗି ଅନୁମତି ମିଳିଥାଏ। ବଜେଟ୍ ପ୍ରସ୍ତୁତି ବେଳେ କେବଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିଥାଏ। ହାଲୁଆ ଉତ୍ସବରେ ଆଜି ଅର୍ଥମନ୍ତ୍ରୀ ନିର୍ମତା ସୀତାରମଣଙ୍କ ସମେତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ଆର୍ଥିକ ସେବା ସଚିବ ରାଜୀବ କୁମାର ଏବଂ ନିବେଶ ଏବଂ ସରକାରୀ ପରିସମ୍ପତ୍ତି ପରିଚାଳନା ବିଭାଗ ସଚିବ ଅତନୁ ଚର୍କବର୍ତୀ, ସିବିଡିଟି ଅଧ୍ୟକ୍ଷ ପି ସି ମୋଦୀ, ସିବିଆଇସି ଅଧ୍ୟକ୍ଷ ‌ପି କେ ଦାସ, ସିବିଡିଟି ଓ ସିବିଆଇସିର ସଦସ୍ୟବୃନ୍ଦଙ୍କ ସମେତ ବଜେଟ୍ ପ୍ରସ୍ତୁତି ଓ ଛପା ସହ ଜଡ଼ିତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।