ନୂଆଦିଲ୍ଲୀ: ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ କାର୍‌ ବଜାରରେ ଉତ୍ସବର ଉତ୍ସାହ ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବରରେ କାର୍‌ କଂପାନିଗୁଡ଼ିକ ଡିଲର୍‌ସିପ୍‌କୁ ରେକର୍ଡ ୩,୬୩,୭୩୩ କାର୍‌ ପଠାଇଛନ୍ତି। ଏହା ପୂର୍ବରୁ ଅଗଷ୍ଟରେ ସେମାନେ ୩,୬୦,୭୦୦ ଗାଡ଼ି ଡିଲର୍‌ସିପ୍‌କୁ ପଠାଇଥିଲେ। ମାରୁତି ସୁଜୁକି, ହୁଣ୍ଡାଇ ଓ ଟୟୋଟା ଏହି ମାସରେ ରେକର୍ଡ ସଂଖ୍ୟକ ଗାଡ଼ି ଡିଲର୍‌ସିପ୍‌କୁ ପଠାଇଛନ୍ତି।

Advertisment

ମାରୁତି ସୁଜୁକିର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ କାର୍‌ ବଜାର ପାଇଁ ଏହା ହେଉଛି ଶ୍ରେଷ୍ଠ ସେପ୍ଟେମ୍ବର। ଗତ ମାସ‌ରେ ମଧ୍ୟ ପଶ୍ଚିମ ଓ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ କାର୍‌ର ଚାହିଦା ଅଧିକ ଥିଲା। ଚଳିତ ବର୍ଷର ପ୍ରଥମ ୯ ମାସରେ ଦେଶରେ ୩୦ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ତେଣୁ ବର୍ଷସାରାରେ ୪୦ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହେବାର ଆଶା ସଞ୍ଚାର ହୋଇଛି ବୋଲି ସେ କହିଛନ୍ତି। କାର୍‌ ଶିଳ୍ପରେ ପ୍ରଥମ ଥର ପାଇଁ ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ‌ହୋଇଛି।

ଚଳିତ ବର୍ଷ ସେପ୍ଟେମ୍ବରରେ ମାରୁତି ସୁଜୁକି ୧,୮୧,୩୪୩ ଗାଡ଼ି ପଠାଇଥିବା ବେଳେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୪୧,୨୬୭ ଏସ୍‌ୟୁଭି ବିକ୍ରି କରିଛି। ହୁଣ୍ଡାଇ ଏହାର ଡିଲରସିପ୍‌ଗୁଡ଼ିକୁ ୭୧,୬୪୧ ଗାଡ଼ି ପଠାଇଛି। ଟୟୋଟା କିର୍ଲୋସ୍କର ମଧ୍ୟ ୨୩,୫୯୦ ଗାଡ଼ି ପଠାଇଛି। ୨୦୨୩ ସେପ୍ଟେମ୍ବରରେ ଦେଶ ଭିତରେ ମାରୁତି ସୁଜୁକିର ବିକ୍ରି ୧,୫୦,୮୧୨ ହୋଇଥିବା ବେଳେ ହୁଣ୍ଡାଇ ୫୪,୨୪୧ ଗାଡ଼ି ବିକ୍ରି କରିଛି। ଟାଟା ମୋଟର୍ସ ଏହି ସମୟରେ ୮୨,୦୨୩ ଗାଡ଼ି ବିକ୍ରି କରିଛି। ଏମ୍‌ଜି ମୋଟର ଇଣ୍ଡିଆ ଏହି ମାସରେ ୫,୦୦୩ ଗାଡ଼ି ବିକ୍ରି କରିଛି।