ସେଲିବ୍ରିଟିଙ୍କ ବ୍ୟବସାୟ: ଯୁବରାଜ ସିଂହ, ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ, ମହେନ୍ଦ୍ର ସିଂହ ଧୋନି

ସିନେମା ଓ କ୍ରି‌କେଟ୍‌ ଜଗତରେ ସକ୍ରିୟ ଥିବା‌ ପ୍ରସିଦ୍ଧ ବ୍ୟକ୍ତିଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି। ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ଚାହୁଥିବା ସଂସ୍ଥାଗୁଡ଼ିକ ନିଜ ଉତ୍ପାଦ ଓ ସେବାର ପ୍ରଚାର କରିବା ଲାଗି ଏହି ସେଲିବ୍ରିଟିମାନଙ୍କୁ ବ୍ୟବହାର କରିଥାନ୍ତି। ବିଜ୍ଞାପନ ଜରିଆରେ ସେଲିବ୍ରିଟିମା‌ନେ ବେଶ ମୋଟା ଅଙ୍କର ଆୟ ମଧ୍ୟ କରିଥାନ୍ତି। ଦେଶରେ ଏଭଳି ‌ଅନେକ ସେଲିବ୍ରିଟି ରହିଛନ୍ତି ଯେଉଁମାନେ ଉପାର୍ଜିତ ଅର୍ଥକୁ ଭିନ୍ନ ଭିନ୍ନ ବ୍ୟାବସାୟିକ ସଂସ୍ଥାରେ ନିବେଶ କରିଛନ୍ତି। ବ୍ୟବସାୟ ଜଗତରେ ଅନେକ ସେଲିବ୍ରିଟି ସଫଳ ହୋଇଥିବା ‌ବେଳେ ଅନ୍ୟମାନେ ସଫଳତା ପାଇବାକୁ ସଂଘର୍ଷ ମଧ୍ୟ କରିଛନ୍ତି। ସମସ୍ତଙ୍କୁ ନିଜ ପ୍ରସିଦ୍ଧି ଅନୁସାରେ ବ୍ୟବସାୟରେ ସଫଳତା ମିଳିନାହିଁ। ଅନେକ ବଡ଼ ସେଲିବ୍ରିଟି ବ୍ୟବସା‌ୟରେ ବିଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ କମ୍ ପ୍ରସିଦ୍ଧି ଲାଭ କରିଥିବା ସେଲିବ୍ରିଟିମାନେ ବ୍ୟବସାୟରେ ଆଗରେ ରହିଛନ୍ତି। ‌କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଖେଳରେ ଅନେକ ରେକର୍ଡ କରିଛନ୍ତି। କିନ୍ତୁ ବ୍ୟବସାୟ କ୍ଷେତ୍ରରେ ସେଭଳି ଅଭୁଲା ରେକର୍ଡ କରିବାରେ ସେ ଏତେଟା ସଫଳ ହୋଇନାହାନ୍ତି। ସେହିପରି ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏକ ସମୟରେ ବ୍ୟବସାୟରେ ବିଫଳ ହୋଇ ଦେବାଳିଆ ହୋଇପଡ଼ିଥିଲେ। ଭାରତୀୟ ସେଲିବ୍ରିଟି ବିଶେଷ କରି କ୍ରିକେଟ୍‌ ତାରକାଙ୍କ ବ୍ୟବସାୟ ସମ୍ପର୍କରେ ଆମର ଏହି ଉପସ୍ଥାପନା:

ଯୁବରାଜ ସିଂହ
ଛକା ବୃଷ୍ଟି ପାଇଁ ପ୍ରସିଦ୍ଧି ଲାଭ କରିଥିବା ୨୦୧୧ କ୍ରିକେଟ୍ ବିଶ୍ବକପ୍ ବିଜୟର ଅନ୍ୟତମ ହିରୋ ହେଉଛନ୍ତି ଯୁବରାଜ ସିଂହ। ସେ ମଧ୍ୟ ବ୍ୟବସାୟ ଜଗତରେ ସକ୍ରିୟ ଅଛନ୍ତି। ସେ ସ୍ବାସ୍ଥ୍ୟ ସେବା, ଟ୍ରାଭେଲ୍, ଆତିଥେୟତା, ରିଅଲ ଇଷ୍ଟେଟ୍‌ ଏବଂ ଗଣମାଧ୍ୟମ କ୍ଷେତ୍ରରେ ନିବେଶ କରିଛନ୍ତି। ସେ ଭା‌ୟୋମୋ ନାମକ ଏକ ସଂସ୍ଥାରେ ନିବେଶ କରିଥିଲେ ଯାହାକୁ ପରବର୍ତୀ ସମୟରେ ନାଚୁରାଲସ୍‌ ଅଧିଗ୍ରହଣ କରିଥିଲା। ‘ୟୁୱିକ୍ୟାନ୍’ ଜରିଆରେ ସେ ନିବେଶ କରୁଛନ୍ତି। ହେଲ୍‌ଥିଆନ୍, କାର୍ଟିସାନ୍, ବଡି, ଜେଟ୍‌ସେଟ୍‌ଗୋ ଭଳି ସଂସ୍ଥାରେ ଯୁବରାଜ ସିଂହ ନିବେଶ କରିଛନ୍ତି।

ଅମିତାଭ ବଚ୍ଚନ
ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ବ୍ୟବସାୟ ଯାତ୍ରା ଏତେ ସୁଗମ ନଥିଲା। ୧୯୯୫ରେ ସେ ଅମିତାଭ ବଚ୍ଚନ କର୍ପୋରେସନ ନାମରେ ଏକ ସଂସ୍ଥା ଖୋଲିଥିଲେ। ସେଥିରେ ସେ ଏତେ କ୍ଷତି ସହିଥିଲେ ଯେ ଦେବାଳିଆ ହୋଇପଡ଼ିଥିଲେ। ଏହି ସଂସ୍ଥା ମୃତ୍ୟୁଦାତା ନାମରେ ଏକ ସିନେମା ନିର୍ମାଣ କରିଥିଲା ଯାହାକୁ ବକ୍ସ ଅଫିସ ସଫଳତା ମିଳିନଥିଲା। ମିସ୍‌ ୱାର୍ଲଡ୍‌ ପ୍ରତିଯୋଗିତା ଆୟୋଜନ କରିବା କଂପାନିର ସବୁଠୁ ବଡ଼ ଭୁଲ ନିଷ୍ପତ୍ତି ଥିଲା। ଏକ ସମୟରେ ଅମିତାଭଙ୍କ ଏହି କଂପାନିର କ୍ଷତି ୯୦ କୋଟି ଟଙ୍କା ଥିଲା। ଋଣ ଶୁଝିବାକୁ ସେ ନିଜର ଜୁହୁ ଘର ‘ପ୍ରତୀକ୍ଷା’କୁ ବିକ୍ରି ଲାଗି ବିଚାର କରିଥିଲେ। ୨୦୧୪ରେ ସେ ପୁଅ ଅଭିଷେଷଙ୍କ ସହ ମିଶି ସିଙ୍ଗାପୁରର କଂପାନି ଜିଦୁରେ ପୁଞ୍ଜିନିବେଶ କରିଥିଲେ।

ମହେନ୍ଦ୍ର ସିଂହ ଧୋନି
କ୍ରିକେଟ ଜଗତର ଅନ୍ୟତମ ପ୍ରସିଦ୍ଧ ଖେଳାଳି ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ ମଧ୍ୟ ଅନେକ ବ୍ୟବସାୟ କରୁଛନ୍ତି। ଧୋନୀଙ୍କ ବ୍ୟବସାୟ ମଧ୍ୟରେ ରହିଛି ସ୍ପୋର୍ଟସ ଫିଟ୍‌ ପ୍ରାଇଭେଟ ଲିମିଟେଡ, ଚେନ୍ନାଇୟିନ ଏଫସି, ରାଞ୍ଚି ରେଜ୍‌, ସେଭେନ, ରିତି ସ୍ପୋର୍ଟ ଭଳି ସଂସ୍ଥା। ସ୍ପୋର୍ଟସ ଫିଟ୍ ହେଉଛି ଫିଟନେସ୍ ସାମଗ୍ରୀ ବିକ୍ରି କରୁଥିବା ଏକ କମ୍ପାନି। ଏଥିରେ ଧୋନୀଙ୍କର ଅଂଶଧନ ରହିଛି। ଚେନ୍ନାଇୟିନ୍ ଏଫ୍‌ସିର ମଧ୍ୟ ଧୋନିଙ୍କର ମାଲିକାନା ରହିଛି। ଅଭିଷେକ ବଚ୍ଚନ ମଧ୍ୟ ଏହି କମ୍ପାନିର ଅନ୍ୟତମ ମାଲିକ। ଫୁଟବଲ୍ ଭଳି ହକି ପ୍ରତି ଧୋନିଙ୍କ ଭଲପାଇବା ରହିଛି। ତେଣୁ ତାଙ୍କ ନିଜର ସହର ନାମରେ ସ୍ଥାପିତ ରାଞ୍ଚି ରେଜ୍ ନାମକ ହକି ଦଳର ମଧ୍ୟ ସେ ସହ-ମାଲିକ ରହିଛନ୍ତି। କେବଳ ଖେଳ ନୁହେଁ, ଲାଇଫଷ୍ଟାଇଲ କ୍ଷେତ୍ରରେ ମଧ୍ୟ ଧୋନୀଙ୍କ ବ୍ୟବସାୟ ରହିଛି। ସେଭେନ୍‌ ବ୍ରାଣ୍ଡ‌୍‌‌େର ସେ ମୋଟା ଅଙ୍କର ରାଶି ନିବେଶ କରିଛନ୍ତି।

ସଚିନ ତେନ୍ଦୁଲକର
ତେନ୍ଦୁଲକର ୧୯୯୫ ମସିହାରୁ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି। ପନ୍ନୀ ଅଞ୍ଜଳିଙ୍କ ସହ ମିଶି ସେ ସାମସନ ପ୍ରମୋସନ୍ସ ନାମରେ ଏକ କମ୍ପାନି ଆରମ୍ଭ କରିଥିଲେ। ଏହି କମ୍ପାନିର ବାର୍ଷିକ କାରବାର ମାତ୍ର ୨.୯ ଲକ୍ଷ ଟଙ୍କା ରହିଛି। ଏହାପରେ ୨୦୦୧ରେ ସେ ଫର୍ମୁଲା ୱାନ ପ୍ରମୋସନ୍ସ ଆଣ୍ଡ୍ ଏଣ୍ଟରଟେନମେଣ୍ଟ୍ କମ୍ପାନି ଆରମ୍ଭ କରିଥିଲେ। ସେଲିବ୍ରିଟିଙ୍କ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି କମ୍ପାନି ସ୍ଥାପନ ହୋଇଛି। କିନ୍ତୁ ଏହାର କାରବାର ୮୬୭ ଟଙ୍କା ରହିଛି। ତେନ୍ଦୁଲକର ମଧ୍ୟ ୨୦୧୩ରେ ଲିକ୍ବିଫାଏ ଇନୋଭେସନ୍ସ ନାମରେ ଏକ କମ୍ପାନି ଅନ୍ୟ ଜଣଙ୍କ ସହଯୋଗୀ ହୋଇ ଆରମ୍ଭ କରିଥିଲେ। ପାନୀୟ ଓ ପୁଷ୍ଟିକର ଖାଦ୍ୟ କ୍ଷେତ୍ରରେ ଏହି କମ୍ପାନି କାର୍ଯ୍ୟ କରୁଛି। କିନ୍ତୁ ଏହାର ବାର୍ଷିକ କାରବାର କିଛି ନଥିବା ଜଣାଯାଇଛି। ଏହାପରେ ୨୦୧୪ ମସିହାରେ ତେନ୍ଦୁଲକର ବିଦେଶରେ ଅପପୁଷ୍ଟି ଦୂର ପାଇଁ ଉଦ୍ଦିଷ୍ଟ ବ୍ୟବସାୟରେ ପ୍ରବେଶ କରିଥିଲେ। ସେହି କମ୍ପାନିର ନାମ ଥିଲା ଶ୍ରୀ ସ୍ବାମୀ ସମର୍ଥା ନ୍ୟୁଟ୍ରିସନ। କିନ୍ତୁ ଏହାର କାରବାର ଏବେ କିଛି ନଥିବା ଜଣାଯାଇଛି। ୨୦୧୫ରେ ତେନ୍ଦୁଲକର ସେପ୍ଟୋଜେନ୍ କର୍ପୋରେଟ୍ ସର୍ଭିସେସ୍ ନାମରେ ଏକ କମ୍ପାନି ସ୍ଥାପନ କରିଥିଲେ। ସ୍ବାତୀ ରେଡ୍ଡୀ ଗୁଣୁପତିଙ୍କ ସହଭାଗିତାରେ ଏହି କମ୍ପାନି ସ୍ଥାପନ ହୋଇଛି। ଏହାର ବାର୍ଷିକ କାରବାର ୨୦ ଲକ୍ଷ ଟଙ୍କା ରହିଛି। ତେବେ ତେନ୍ଦୁଲକରଙ୍କ ଏସଆରଟି ସ୍ପୋର୍ଟସ ମ୍ୟାନେଜମେଣ୍ଟ ବ୍ୟବସାୟରେ ସଫଳତା ହାସଲ କରିଛି । ୨୦୧୫ ମସିହାରେ ସ୍ଥାପନ ହୋଇଥିବା ଏହି କମ୍ପାନିର ବାର୍ଷିକ ବ୍ୟବସାୟ ୬.୧ କୋଟି ଟଙ୍କା ରହିଛି। ଏହାବ୍ୟତୀତ ତେନ୍ଦୁଲକରଙ୍କର ଏସଆରଟି ସ୍ପୋର୍ଟସ ହୋଲଡିଂ, ୧୦୦ ଏମବି ଡିଜିଟାଲ ଏବଂ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମି ନାମରେ ସଂସ୍ଥା ରହିଛି ଯାହାର ବାର୍ଷିକ କାରବାର ଯଥାକ୍ରମେ ୪୫୦୮ ଟଙ୍କା, ୧.୪୫ କୋଟି ଟଙ୍କା ଏବଂ ୧.୨ କୋଟି ଟଙ୍କା ରହିଛି। ୨୦୧୭-୧୮ରୁ ୨୦୧୯-୨୦ ବର୍ଷର କାରବାରକୁ ହିସାବକୁ ନିଆଯାଇ ଏହି ତଥ୍ୟ ଏକ ଜାତୀୟ ଗଣମାଧ୍ୟମରେ ପ୍ରକ‌ାଶ ପାଇଛି।

ଶାହରୁଖ ଖାନ୍‌
ରେଡ୍‌ ଚିଲିଜ୍ ଏଣ୍ଟର‌ଟେନମେଣ୍ଟ୍ ନାମରେ ଏକ ମୋସନ ପିକଚର ପ୍ରଡକ୍ସନ କମ୍ପାନି ଶାହରୁଖ ଖାନ୍ ଖୋଲିଛନ୍ତି। ଏହି କମ୍ପାନିର ମୂଲ୍ୟ ପ୍ରାୟ ୫୦୦ କୋଟି ଟଙ୍କାରୁ ଅଧିକ ହେବ। ଏଥିସହିତ‌ କୋଲକାତା ‌ନାଇଟ ରାଇଡର୍ସରେ ତାଙ୍କର ୫୫ ପ୍ରତିଶତ ମାଲିକାନା ରହିଛି। ଏଥିରୁ ସେ ବିପୁଳ ପରିମାଣର ଲାଭ ପାଆନ୍ତି। ଦୁବାଇ ଓ ଲଣ୍ଡନ ଆଦିରେ ତାଙ୍କର ରିଅଲ ଇଷ୍ଟେଟ ବ୍ୟବସାୟ ରହିଛି। କିଡ୍‌ଜାନିଆର ଏକାଧିକ କାର୍ଯ୍ୟକ୍ରମରେ ଶାହରୁଖଙ୍କୁ ଦେଖିବାକୁ ମିଳିଥାଏ। ଏଥିରେ ତାଙ୍କର ୨୬ ପ୍ରତିଶତ ଅଂଶଧନ ରହିଛି।

ବିରାଟ କୋହଲି
ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ଖେଳ ସହିତ ବ୍ୟବସାୟରେ ପ୍ରବେଶ କରି ସାରିଛନ୍ତି। ଏକାଧିକ ସଂସ୍ଥା ଆରମ୍ଭ କରି‌ ସେ ଜଣେ ଭଲ ଉଦ୍ୟୋଗୀର ପରିଚୟ ସୃଷ୍ଟି କରିଛନ୍ତି। ସେ ପ୍ରତିଷ୍ଠା କରିଥିବା ଉଦ୍ୟୋଗଗୁଡ଼ିକ ମଧ୍ୟ ଭଲ ଚାଲିଛି। ଖାଦ୍ୟ ଠାରୁ ଆରମ୍ଭ କରି ଫ୍ୟାସନ ପର୍ଯ୍ୟନ୍ତ ବ୍ୟବସାୟ ସେ କରୁଛନ୍ତି। ନୁଏଭା ନାମରେ ଏକ ମଲ୍ଟିକୁସିନ୍ ରେସ୍ତୋରାଁ ଏବଂ ରଙ୍ଗ୍‌ ନାମରେ ଫ୍ୟାସନ ବ୍ରାଣ୍ଡ୍‌ କୋହଲିଙ୍କର ରହିଛି। ଗୋଆ ଫୁଟବଲ କ୍ଲବରେ ମଧ୍ୟ ତାଙ୍କର ମାଲିକାନା ଅଛି। ଚିଜଲ୍‌ ଫିଟ୍‌ନେସ୍‌ରେ କୋହଲି ୯୦ କୋଟି ଟଙ୍କା ନିବେଶ କରିଛନ୍ତି। କ୍ରୀଡ଼ାପ୍ରେମୀଙ୍କ ଯୋଗାଯୋଗ ପାଇଁ ଉଦ୍ଦିଷ୍ଟ ଷ୍ଟାର୍ଟଅପ୍ କମ୍ପାନି ସ୍ପୋର୍ଟ କନଭୋରେ ମଧ୍ୟ ତାଙ୍କର ଅଂଶଧନ ରହିଛି।

କପିଲ୍ ଦେବ
ଭାରତର ପ୍ରଥମ କ୍ରିକେଟ୍ ବିଶ୍ବକପ୍ ବିଜୟର ନାୟକ କପିଲ ଦେବ ଅନେକ ପ୍ରକାର କାରବାର ସହିତ ନିଜକୁ ଜଡ଼ିତ ରଖିଛନ୍ତି। ସେ ୯ଟି କଂପାନିର ନିର୍ଦେଶକ ଥିବା ବେଳେ ଦୁଇଟି ଲିମିଟେଡ୍ ଲାଇବିଲିଟି ପାର୍ଟନର୍‌ସିପ୍ (ଏଲ୍‌ଏଲ୍‌ପି)ର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତାଙ୍କର ସବୁଠୁ ବଡ଼ କାରବାର ହେଉଛି ‘ଦେବ ମୁସ୍‌କୋ ଲାଇଟିଂ ପ୍ରାଇଭେଟ୍ ଲିମିଟେଡ୍‌’। ବିଶ୍ବକପ୍‌ ବିଜୟ ପରେ ତାଙ୍କ ପରିବାର ‘କପିଲ୍ ହୋଟେଲ୍‌’ ନାମରେ ଏକ ରେସ୍ତୋରାଁ ଚଣ୍ଡିଗଡ଼ରେ ଖୋଲିଥିଲେ। ଏହାର ନାମ ପରିବର୍ତ୍ତନ କରି ଏବେ କ୍ୟାପ୍‌ଟେନସ୍‌ ରିଟ୍ରିଟ୍ ରଖାଯାଇଛି। ହାର୍‌ମୋନାଇଜର୍‌ ନାମକ ଏକ ଷ୍ଟାର୍ଟଅପ୍ ସଂସ୍ଥାରେ ସେ ନିବେଶ କରିଥିବା ବେଳେ ଗ୍ରୋସରି ଷ୍ଟାର୍ଟଅପ୍ ପିପୁଲଇଜି ଡଟ୍‌ କମ୍, ମାସ୍‌କୋ ଭେଞ୍ଚର୍ସ, ପମ୍ପକାର୍ଟ, ୱିଜ୍ କାଉନ୍‌ସେଲ୍‌ ଏବଂ କ୍ୟାବ୍‌ ଏଗ୍ରିଗେଟର ସଂସ୍ଥା ଭାଓରେ ମଧ୍ୟ ‌ସେ ନିବେଶ କରିଛନ୍ତି।

 

ସମ୍ବନ୍ଧିତ ଖବର