ଗ୍ରାହକଙ୍କୁ ଟ୍ରାଇର ଝଟ୍‌କା : ବର୍ଷେ ପର୍ଯ୍ୟନ୍ତ କଲ୍ ଶସ୍ତା ହେବନି

ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ମୋବାଇଲ୍ କଲ୍ ଦର ଶସ୍ତା ହେବନାହିଁ। ଗ୍ରାହକମାନଙ୍କୁ ଏହି ଝଟ୍‌କା ଦେଇଛି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)। ଅନ୍ୟ କଂପାନିର ନମ୍ବରରେ କଲ୍ କରିବା ବେଳେ ଲାଗୁଥିବା ୬ ପଇସାର ଚାର୍ଜକୁ ଶୂନ ସ୍ତରକୁ ଖସାଇବା ଲାଗି ଯେଉଁ ସମୟ ସୀମା ରହିଥିଲା ତାହାକୁ ଟ୍ରାଇ ଆଉ ଏକ ବର୍ଷ ବଢ଼ାଇ ଦେଇଛି। ୨୦୨୦ ଜାନୁଆରିରେ ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି)କୁ ଉଚ୍ଛେଦ କରିବ ବୋଲି ଟ୍ରାଇ ବହୁ ପୂର୍ବରୁ ଘୋଷଣା କରିଥିଲା। କିନ୍ତୁ କିଛି ମାସ ପୂର୍ବେ ସେହି ନିଷ୍ପତ୍ତିର ପୁନର୍ବିଚାର କରି ଟ୍ରାଇ ଜଣାଇଥିଲା ଯେ, ନିର୍ଧାରିତ ସମୟ ଭିତରେ ଏହି ଶୁଳ୍କ ଉଚ୍ଛେଦ ହେବ ନାହିଁ। ଏହା ଜଣାପଡ଼ିବା ପରେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମୋବାଇଲ୍ କଲ୍ କରିବାର ସୁବିଧା ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ଠାରୁ ଅନ୍ୟ ନମ୍ବରକୁ କଲ୍ କରିବା ବେଳେ ସେହି ଛଅ ପଇସାର ଶୁଳ୍କ ଆଦାୟ କରୁଛି। ଟ୍ରାଇ ଏବେ ଆଇସିୟୁକୁ ଶୂନ କରିବାର ସମୟ ସୀମାକୁ ୨୦୨୧ ଜାନୁଆରି ୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ସେହିଦିନରୁ ଏହି ଶୁଳ୍କ ସମ୍ପୂର୍ଣ୍ଣ ଶୂନ ହୋଇଯିବ ବୋଲି ଟ୍ରାଇ ଜଣାଇଛି।

India Today

ଏକ ପ୍ରେସ୍ ବିବୃତି ଜାରି କରି ଟ୍ରାଇ ଜଣାଇଛି ଯେ, ଟେଲିକମ୍ କ୍ଷେତ୍ରର ଅଂଶୀଦାରମାନଙ୍କ ସହ ହୋଇଥିବା ଆଲୋଚନା ଏବଂ ନିଜସ୍ବ ଅନୁଶୀଳନକୁ ବିଚାରକୁ ନେବା ପରେ ଆଇୟୁସିକୁ ଶୂନ କରିବାର ସମୟ ସୀମାକୁ ୨୦୨୧ ଜାନୁଆରି ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଆଇୟୁସି ଶୁଳ୍କ ଲାଗୁ କରିବାର ସମୟ ସୀମା ଆହୁରି ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଦାବି କରୁଥିଲେ। ତେଣୁ ଟ୍ରାଇର ଏହି ନିଷ୍ପତ୍ତି ଦ୍ବାରା ଏହି ଦୁଇ କଂପାନି ଉପକୃତ ହେବେ ବୋଲି କୁହାଯାଉଛି। ଏହି ଦୁଇ କଂପାନିର ରାଜସ୍ବର ଏକ ସିଂହ ଭାଗ ଆଇୟୁସି ଶୁଳ୍କ ଭାବେ ଆସୁଛି। ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍‌ର ନମ୍ବରଗୁଡ଼ିକରେ ଆଉଟଗୋଇଙ୍ଗ୍‌ କଲ୍ ତୁଳନାରେ ଇନ୍‌କମିଂ କଲ୍‌ର ମାତ୍ରା ଅଧିକ। ମାତ୍ର ରିଲାଏନ୍ସ ଜିଓ ଚାହୁଛି ଯେତେ ଶୀଘ୍ର ସମ୍ଭବ ଆଇୟୁସିକୁ ଶୂନ କରାଯାଉ। ଏହି ପ୍ରସଙ୍ଗରେ ଜିଓ ଓ ପୁରୁଣା ଟେଲିକମ୍ କଂପାନିଗୁଡ଼ିକ ଭିତରେ ମତଭେଦ ରହିଛି। ଯେହେତୁ ଗ୍ରାହକମାନେ ଜିଓ ନମ୍ବରରୁ ଅଧିକ ଆଉଟ୍‌ଗୋଇଙ୍ଗ୍‌ କଲ୍ କରୁଛନ୍ତି ତେଣୁ ଏହାକୁ ଆଇୟୁସି ଶୁଳ୍କ ବାବଦରେ ଅଧିକ ଟଙ୍କା ଗଣିବାକୁ ପଡ଼ୁଥିଲା। ନିଜ ହିସାବ ଖାତା ଉପରେ ଚାପ ପଡ଼ିବା ପରେ ଜିଓ ଏହାର ଗ୍ରାହକଙ୍କ ଠାରୁ ସେହି ଶୁଳ୍କ ଆଦାୟ କରୁଛି। ଏହା ବ୍ୟତୀତ ଦେଶର ତିନି ପ୍ରମୁଖ ଟେଲିକମ୍ କଂପାନି ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ନିଜର ମୋବାଇଲ୍ ଟାରିଫ୍‌କୁ ମଧ୍ୟ ବଢ଼ାଇ ଦେଇଛନ୍ତି। ତିନି ମାସିଆ ପ୍ୟାକ୍‌ଗୁଡ଼ିକର ଦାମ୍ ପ୍ରାୟ ୨୦୦ ଟଙ୍କା ବଢ଼ିଯାଇଛି।

ସମ୍ବନ୍ଧିତ ଖବର