ଘର କରିବାକୁ ଯୋଜନା କରୁଛନ୍ତି କି? କୋଇଲା ଦର ବୃଦ୍ଧି ହେତୁ ବଢିପାରେ ଏହି ସାମଗ୍ରୀର ମୂଲ୍ୟ

ନୂଆଦିଲ୍ଲୀ: ଆପଣ ଆସନ୍ତା ମାସ ବେଳକୁ ଘର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କୁ ଘର ନିର୍ମାଣ ପାଇଁ କିଛି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | କାରଣ ଦିନକୁ ଦିନ ଦର ବୃଦ୍ଧି ହେଉଥିବାବେଳେ ବର୍ତ୍ତମାନ ଘର ନିର୍ମାଣ ପାଇଁ ନିହାତି ଆବଶ୍ୟକ ସିମେଣ୍ଟର ମୂଲ୍ୟ ବଢିବାକୁ ଯାଉଛି | ସିମେଣ୍ଟ କମ୍ପାନିଙ୍କ ଏହି ନିଷ୍ପତ୍ତି ଯୋଗୁଁ ଏବେ ସାଧାରଣ ଲୋକଙ୍କ ସହ କନଷ୍ଟ୍ରକ୍ସନ କମ୍ପାନିଙ୍କୁ ମଧ୍ୟ କ୍ଷତି ସହିବାକୁ ପଡିବ |

ବାସ୍ତବରେ ଅଗ୍ରଣୀ ସିମେଣ୍ଟ ପ୍ରସ୍ତୁତକାରୀ ଇଣ୍ଡିଆ ସିମେଣ୍ଟ ଲିମିଟେଡ଼ କ୍ଷତି ଭରଣା ପାଇଁ ସିମେଣ୍ଟର ମୂଲ୍ୟ ୫୫ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ କୋଇଲା ଦର ବୃଦ୍ଧି ଯୋଗୁଁ କମ୍ପାନିକୁ ଏହି ନିଷ୍ପତ୍ତି ନେବାକୁ ପଡୁଛି । ବିଶେଷ କରି ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ବ୍ୟବହାର ବଢିଥିବାବେଳେ କୋଇଲା ମୂଲ୍ୟ ମଧ୍ୟ ବଢିଛି | ଆଉ ସିମେଣ୍ଟ ପ୍ରସ୍ତୁତି ସହ ଏହାକୁ ପଠାଇବାରେ କମ୍ପାନି କ୍ଷତି ସହୁଛି |

ତେବେ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ଯେ ଜୁନରୁ ଜୁଲାଇ ମଧ୍ୟରେ ସିମେଣ୍ଟର ମୂଲ୍ୟ ବୃଦ୍ଧି ପାଇବ | ତିନୋଟି ପର୍ଯ୍ୟାୟରେ ସିମେଣ୍ଟ ବସ୍ତା ପିଛା ମୂଲ୍ୟ ବୃଦ୍ଧି ହେବ | ଅର୍ଥାତ୍ ଜୁନ୍ ୧ରେ, ବସ୍ତା ପିଛା ସିମେଣ୍ଟ ମୂଲ୍ୟ ୨୦ ଟଙ୍କା, ଜୁନ୍ ୧୫ରେ ୧୫ଟଙ୍କା ଏବଂ ଜୁଲାଇ ୧ରେ ୨୦ ଟଙ୍କା ବୃଦ୍ଧି କରାଯିବ। ସେହି ଅନୁଯାୟୀ, ସିମେଣ୍ଟର ମୂଲ୍ୟ ବସ୍ତା ପିଛା ୫୫ ଟଙ୍କା ବୃଦ୍ଧି ପାଇବ। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଏନ ଶ୍ରୀନିବାସନ୍ କହିଛନ୍ତି ଯେ ସିମେଣ୍ଟ ମୂଲ୍ୟ ବଢାଇବା ଦ୍ୱାରା ଋଣ ସୁଝାଯିବା ସହ ବ୍ୟୟ ଖର୍ଚ୍ଚକୁ ଭରଣା କରାଯାଇପାରିବ |

ସମ୍ବନ୍ଧିତ ଖବର