କେନ୍ଦ୍ର ଆଉ ୫୦ ହଜାର କୋଟି ଋଣ କରିବ

ବିଗିଡ଼ିବ ଆର୍ଥିକ ଗଣିତ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର୍ରେ ୩.୭୨ ଲକ୍ଷ କୋଟି ଟଙ୍କାର ଋଣ କରିସାରିଥିବା କେନ୍ଦ୍ର ସରକାର ୨୦୧୮ ଜାନୁଆରିରୁ ମାର୍ଚ ଭିତରେ ଆଉ ୫୦ ହଜାର କୋଟି ଟଙ୍କାର ଋଣ କରିବେ। ନିଜର ଆର୍ଥିକ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ସରକାର ଏହି ଋଣ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ଆଲୋଚନା କରିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ଯେତିକି ପରିମାଣର ଟିକସ ଆଦାୟ ହେବ ବୋଲି ଆଶା କରାଯାଉଥିଲା ତାହା ହୋଇପରୁନାହିଁ। ଫଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ ପରିମାଣ ବଢ଼ାଇବା ପାଇଁ ଅର୍ଥର ଅଭାବ ଦେଖାଦେଇଛି। ସେହି ଅଭାବକୁ ସରକାର ଋଣ ଜରିଆରେ ପୂରଣ କରିବେ। ତେବେ ସରକାରଙ୍କ ଏହି ଅତିରିକ୍ତ ଋଣ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ପ୍ରତି ବିପଦ ସୃଷ୍ଟି କରିବ। ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୨ ପ୍ରତିଶତରେ ସୀମିତ ରଖିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅତିରିକ୍ତ ଋଣ ସରକାରଙ୍କ ଆର୍ଥିକ ଗଣିତକୁ ବିଗାଡ଼ିଦେବ। ଆଗାମୀ ତିନି ମାସରେ ସରକାର ବିଭିନ୍ନ ପର୍ଯ୍ୟାୟରେ ୫୦ ହଜାର କୋଟି ଟଙ୍କାର ଋଣ କରିବେ। ଡେଟେଡ୍‌ ସରକାରୀ ସିକ୍ୟୁରିଟିଜ୍‌ ଜାରି କରି ଋଣ ହାସଲ କରାଯିବ। ଡେଟେଡ୍‌ ସରକାରୀ ସିକ୍ୟୁରିିଜ୍‌ ହେଉଛି ଏକ ପ୍ରକାର ଆର୍ଥିକ ଉତ୍ପାଦ ଯାହାର ଅବଧି ପାଞ୍ଚ ବର୍ଷରୁ ଅଧିକ ରହିଥାଏ। ଜାନୁଆରି ମାସରେ ପ୍ରଥମ ପର୍ଯ୍ୟାୟରେ ୧୮ ହଜାର କୋଟି ଟଙ୍କାର ଋଣ କରିବାକୁ ଯୋଜନା ରଖାଯାଇଛି।

ଚଳିତ ଆର୍ଥିକ ବର୍ଷରେ ୫ ଲକ୍ଷ ୮୦ ହଜାର କୋଟି ଟଙ୍କାର ଋଣ କରିବାକୁ ସରକାର ବଜେଟ୍‌ ଘୋଷଣା କରିଥିଲେ। ସେଥି ମଧ୍ୟରୁ ୩ ଲକ୍ଷ ୪୮ ହଜାର କୋଟି ଟଙ୍କା ଡେଟେଡ୍‌ ସରକାରୀ ସିକ୍ୟୁରିଟିଜ୍‌ ଓ ଟି-ବିଲ୍‌ ଜରିଆରେ ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଜିଏସ୍‌ଟି ଆଦାୟ ପରିମାଣ ହ୍ରାସ ପାଇବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଜୁଲାଇ ମାସ ପାଇଁ ୯୫ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ନଭେମ୍ବର ମାସ ପାଇଁ ଜିଏସ୍‌ଟି ଆଦାୟ ୮୦ ହଜାର କୋଟି ଟଙ୍କାକୁ ଖସିଯାଇଛି। କ୍ରମାଗତ ଦ୍ୱିତୀୟ ମାସରେ ଜିଏସ୍‌ଟି ଆଦାୟ କମ୍‌ ହୋଇଛି। ବିଭିନ୍ନ ସାମଗ୍ରୀ ଉପରୁ ଟିକସ ହ୍ରାସ କରାଯିବା ପରଠାରୁ ଜିଏସ୍‌ଟି ଆଦାୟରେ ହ୍ରାସ ଦେଖାଦେଇଛି। ରାଜସ୍ୱ ଆଦାୟ ଆଶାନୁରୂପ ହେଉନଥିବାରୁ ଅର୍ଥର ଯେଉଁ ଅଭାବ ରହିଛି ତାହାକୁ ଋଣ ଜରିଆରେ ସରକାର ପୂରଣ କରିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର