ପ୍ରତିରକ୍ଷା କ୍ଷେତ୍ରରେ ଆମଦାନିକୁ ହ୍ରାସ କରି ଭାରତ କିଭଳି ଆତ୍ମନିର୍ଭର ହୋଇପାରିବ ତାହା ଉପରେ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ଭାରତୀୟ ନୌସେନାର ଆଧୁନିକୀକରଣ ପାଇଁ ୪୭,୫୯୦.୯୯ କୋଟି ଟଙ୍କା ଦିଆଯାଇଛି। ଭାରତୀୟ ବାୟୁ ସେନା ପାଇଁ ୫୬,୮୫୧.୫୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭାରତୀୟ ସ୍ଥଳ ସେନାର ବଜେଟ୍‌ ୧୨.୨ ପ୍ରତିଶତ ହ୍ରାସ ପାଇ ୩୨,୧୦୨ ‌କୋଟି ଟଙ୍କାକୁ ଖସିଆସିଛି। ମୋଟ ଉପରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏଥର ବଜେଟ୍‌ରେ ୫.୨୫ ଲକ୍ଷ କୋଟି ଟଙ୍କା ଦିଆଯାଇଛି ଯାହା ପୂର୍ବବର୍ଷ ତୁଳନାରେ ୯.୮୨ ପ୍ରତିଶତ ଅଧିକ। ପ୍ରତିରକ୍ଷା ପେନ୍‌ସନ୍ ପାଇଁ ୧.୧୯ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ଡିଆର୍‌ଡିଓକ ୧୧,୯୮୧.୮୧ କୋଟି ଟଙ୍କା ଦିଆଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ସଂସ୍ଥା, ଷ୍ଟାର୍ଟଅପ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗୁଡ଼ିକୁ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯିବ। ‌ମିଲିଟାରି ପ୍ଲାଟଫର୍ମ ଏବଂ ଉପକରଣ ବିକଶିତ କରିବା ଲାଗି ଘରୋଇ ଶିଳ୍ପ ସଂସ୍ଥାଗୁଡ଼ିକୁ ଉତ୍ସାହିତ କରାଯିବ। ସେମାନେ ଡିଆର୍‌ଡିଓ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହ ସ୍ପେସିଆଲ୍ ପରପସ୍ ଭେଇକିଲ୍ (ଏସ୍‌ପିଭି) ଗଠନ କରିପାରିବେ। ବିଭିନ୍ନ ପ୍ରକାର ପରୀକ୍ଷଣ ଓ ଟେଷ୍ଟିଂ ପାଇଁ ଏକ ସ୍ବାଧୀନ ନୋଡାଲ୍ ଏଜେନ୍ସି ଗଠନ କରାଯିବ। ସ୍ଥଳ ସେନା ପାଇଁ ଆମଦାନି ହ୍ରାସ କରାଯିବ। ସେମାନେ ବ୍ୟବହାର କରୁଥିବା ଅଧିକାଂଶ ସାମଗ୍ରୀ ଦେଶ ଭିତରେ ତିଆରି କରାଯିବ। ସଂଗ୍ରହ କରାଯାଉଥିବା ୬୮% ସାମଗ୍ରୀକୁ ଦେଶୀ କଂପାନି ଜରିଆରେ ପ୍ରସ୍ତୁତ କରି ଆତ୍ମନିର୍ଭର ଭାରତର ପ୍ରସାର କରାଯିବ।

Advertisment

publive-image

୧୬ ଲକ୍ଷ ୬୦ ହଜାର କୋଟି ଋଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୩୯ ଲକ୍ଷ ୪୪ ହଜାର ୧୫୭ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌ରେ ସରକାରଙ୍କୁ ଟିକସ ରାଜସ୍ବ ବାବଦରେ ମୋଟ ୨୭ ଲକ୍ଷ ୫୭ ହଜାର ୮୩୦ କୋଟି ଟଙ୍କା ମିଳିବ। କିନ୍ତୁ ରାଜ୍ୟଗୁଡ଼ିକୁ ସେମାନଙ୍କ ଭାଗ ଦେଇଦେବା ପରେ କେନ୍ଦ୍ରର ନିଟ୍ ଟିକସ ରାଜସ୍ବ ୧୯ ଲକ୍ଷ ୩୪ ହଜାର ୭୭୧ କୋଟି ଟଙ୍କା ରହିବ। ଏହା ବ୍ୟତୀତ ଅଣ ଟିକସ ରାଜସ୍ବ ବାବଦରେ ସରକାରଙ୍କୁ ୨ ଲକ୍ଷ ୬୯ ହଜାର ୬୫୧ କୋଟି ଟଙ୍କା ଉପଲବ୍ଧ ହେବ। ମୋଟ ଟିକସ ଏବଂ ଅଣ ଟିକସ ରାଜସ୍ବ ବାବଦରେ କେନ୍ଦ୍ର ସରକାର ୨୨ ଲକ୍ଷ ୪ ହଜାର ୪୨୨ କୋଟି ଟଙ୍କା ପାଇପାରିବେ ବୋଲି ବଜେଟରେ ଆକଳନ କରିଛନ୍ତି। ତେଣୁ ପ୍ରାୟ ୪୦ ଲକ୍ଷ କୋଟି ଟଙ୍କାର ବଜେଟ୍ ମଧ୍ୟରୁ ସରକାରଙ୍କୁ ୧୬ ଲକ୍ଷ ୬୦ ହଜାର ୪୪୪ କୋଟି ଟଙ୍କାର ଋଣ କରିବାକୁ ପଡ଼ିବ। ଅଥାତ୍ ମୋଟ ବଜେଟ ବ୍ୟୟ ପାଇଁ ସରକାରଙ୍କୁ ୪୨ ପ୍ରତିଶତରୁ ଅଧିକ ଋଣ କରିବାକୁ ହେବ।