୨୦୨୫-୨୬ ବଜେଟ୍‌ରେ ଅର୍ଥମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ଗତ ବଜେଟ୍‌ ତୁଳନାରେ ୯ ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ପୂର୍ବ ବଜେଟ୍‌ରେ ଏହି ମନ୍ତ୍ରାଳୟକୁ ୩୧୨୫.୯୬ କୋଟି ଟଙ୍କା ଦିଆଯାଇଥିଲା, ତାହା ଏଥର ୩୪୧୨.୮୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ଜୁଲାଇରେ ଆଗତ ପୂର୍ଣ୍ଣାଙ୍ଗ ବଜେଟ୍‌ରେ କିନ୍ତୁ ଏହି ମନ୍ତ୍ରାଳୟ ପାଇଁ ୩୩୩୦.୩୭ କୋଟି ଟଙ୍କା ଦିଆଯାଇଥିଲା। ତେବେ ଆଜି ସଂଶୋଧିତ ଅଟକଳରେ ଏହାକୁ ୩୧୨୫.୯୬ କୋଟି ଟଙ୍କାକୁ କମାଇ ଦିଆଯାଇଛି। 

Advertisment

୨୦୨୫-୨୬ ପାଇଁ ଦିଆଯାଇଥିବା ମୋଟ ରାଶି ମଧ୍ୟରୁ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା/ପ୍ରକଳ୍ପ ପାଇଁ ୧୦୬୦.୫୬ କୋଟି, ଅନ୍ୟ କେନ୍ଦ୍ରୀୟ କ୍ଷେତ୍ରର ବ୍ୟୟ ବାବଦରେ ୬୮୬.୫ କୋଟି; ପରିବେଶ, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ପାଇଁ ୭୨୦ କୋଟି ଟଙ୍କା ଦିଆଯାଇଛି। ନ୍ୟାସନାଲ ଗ୍ରିନ୍ ଇଣ୍ଡିଆ ମିସନ୍‌କୁ ୨୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହା ପୂର୍ବ ବଜେଟ୍‌ରେ ୧୬୦ କୋଟି ରହିଥିଲା। ପ୍ରାକୃତିକ ସଂପଦ ଏବଂ ପରିସଂସ୍ଥାନ ସଂରକ୍ଷଣ ପାଇଁ ୫୦ କୋଟି ଟଙ୍କା ଆବଣ୍ଟନ ହୋଇଛି। ପୂର୍ବ ବଜେଟ୍‌ରେ ଏହି ରାଶି ୩୦ କୋଟି ଟଙ୍କା ରହିଥିଲା।  ମଧୁର ଜଳ ଜୀବ ପରିସଂସ୍ଥାନ ସଂରକ୍ଷଣ ପାଇଁ ମଧ୍ୟ ୩୫ କୋଟି ଟଙ୍କା ଦିଆଯାଇଛି, ଯାହାକି ଗତ ବଜେଟ୍‌ ତୁଳନାରେ ୧୧.୫ କୋଟି ଟଙ୍କା ଅଧିକ। ପ୍ରୋଜେକ୍ଟ ଟାଇଗର୍ ଏବଂ ପ୍ରୋଜେକ୍ଟ ଏଲିଫାଣ୍ଟ୍ ପାଇଁ ବ୍ୟୟବରାଦ ଚଳିତ ବଜେଟ୍‌ରେ ୨୯୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବ ବଜେଟ୍‌ରେ ଏହା ୨୪୫ କୋଟି ଟଙ୍କା ରହିଥିଲା।

ବଜେଟ୍‌ରେ ୧୭,୫୦୦ ସାଧାରଣ କୋଚ୍, ୨୦୦ ବନ୍ଦେ ଭାରତ ଟ୍ରେନ୍, ୫୦ ନମୋ ଭାରତ ଓ ୧୦୦ ଅମୃତ ଭାରତ ଟ୍ରେନ୍ ମଞ୍ଜୁର କରାଯାଇଛି। ବଜେଟ୍‌ରେ ୪.୬ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ସାମିଲ କରାଯାଇଛି। ସେଗୁଡ଼ିକର କାର୍ଯ୍ୟ ଆସନ୍ତା ୪-୫ ବର୍ଷ ମଧ୍ୟରେ ଶେଷ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବନ୍ଦେ ଭାରତ ଟ୍ରେନ୍‌ର ଉଭୟ ଶୟନ ଓ ଚେୟାର୍ କାର୍ ଭାରିଆଣ୍ଟକୁ ଆସନ୍ତା ଦୁଇରୁ ତିନି ବର୍ଷ ଭିତରେ ନିର୍ମାଣ କରାଯିବ। ଅମୃତ ଭାରତ ଟ୍ରେନ୍ ଜରିଆରେ ଛୋଟ ଛୋଟ ସହରକୁ ରେଳ ସଂଯୋଗ ପ୍ରଦାନ କରାଯିବ। ଦେଶରେ ଆଉ ୧୦୦୦ ଫ୍ଲାଏ ଓଭର ନିର୍ମାଣ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ମାଲ ପରିବହନରେ ଭାରତୀୟ ରେଳ ଚୀନ୍‌ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦୦ ପ୍ରତିଶତ ବିଦ୍ୟୁତ୍‌କରଣ ଲକ୍ଷ୍ୟ ହାସଲ ହେବ ବୋଲି ସେ କହିଛନ୍ତି।