ଭୁବନେଶ୍ବର : କ୍ୟାବିନେଟ୍ କମିଟିର ନିବେଶ ସମେତ ଅନ୍ୟାନ୍ୟ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ କମିଟି ନିବେଶ (ସିସିଆଇ) ପ୍ରକଳ୍ପ ଅନୁଧ୍ୟାନ ଗୋଷ୍ଠୀ (ପିଏମ୍ଜି) ପକ୍ଷରୁ ଓଡ଼ିଶାକୁ ପ୍ରଦର୍ଶନକାରୀ ରାଜ୍ୟଭାବେ ପ୍ରଶଂସା କରାଯାଇଛି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଉକ୍ତ କମିଟି ବୈଠକରେ ୮ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରହିଥିବା ପ୍ରାୟ ୪୨ଟି ସମସ୍ୟାର ସମାଧାନ ମଧ୍ୟ ହୋଇଛି। ସେଗୁଡ଼ିକ ମଧ୍ୟରେ ଜଙ୍ଗଲ ଅନୁମତି, କ୍ଷତିପୂରଣମୂଳକ ବନୀକରଣ, ଗଛ କାଟିବା, କ୍ଷତିପୂରଣ ପ୍ରଦାନ ଆଦି ସମସ୍ୟାର ସମାଧାନ ରହିଛି। କମିଟି ପକ୍ଷରୁ ସମୀକ୍ଷା କରାଯାଇଥିବା ଉକ୍ତ ୮ଟି ପ୍ରକଳ୍ପରେ ପ୍ରାୟ ୨୬,୬୨୦ କୋଟି ଟଙ୍କାର ନିବେଶ ଯୋଜନା ରହିଛି। ସେଥିରେ ୪ଟି ରେଳ, ୨ଟି ଜାତୀୟ ରାଜପଥ, ଗୋଟିଏ ଶକ୍ତି ଏବଂ ଗୋଟିଏ ତୈଳ ଓ ଗ୍ୟାସ ପ୍ରକଳ୍ପ ରହିଛି।ରେଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳଲାଇନ (୨୮୯ କିମି), ବୁଢ଼ାପଙ୍କ-ସାଲେଗାଓଁ(୧୭୦ କିମି) ମଧ୍ୟରେ ଚତୁର୍ଥ ଲାଇନ୍ ନିର୍ମାଣ, ବିଜୟନଗରମ-ସମ୍ବଲପୁର(ଟିଟିଲାଗଡ଼) ମଧ୍ୟରେ ତୃତୀୟ ଲାଇନ ଏବଂ ରାଉରକେଲା-ଝାରସୁଗୁଡ଼ା (୧୦୧ କିମି) ମଧ୍ୟରେ ତୃତୀୟ ଲାଇନ ନିର୍ମାଣର ସମୀକ୍ଷା ହୋଇଛି। ସମୀକ୍ଷା ହୋଇଥିବା ରାଜପଥ ପ୍ରକଳ୍ପ ମଧ୍ୟରେ ୬ ନମ୍ବର ଜାତୀୟ ରାଜପଥର ସିଙ୍ଗାରା-ବିଞ୍ଜବାହଲ ଓ ଅନୁଗୁଳ-ସମ୍ବଲପୁର ଟୋଲ୍ ରୋଡ୍ ପ୍ରକଳ୍ପ ରହିଥିଲା। ଏଥିସହିତ ଶକ୍ତି କ୍ଷେତ୍ରର ଦର୍ଲିପାଲି ଏସଟିପିପିର ପ୍ରଥମ ପର୍ଯ୍ୟାୟ (୨x୮୦୦ ମେଗାୱାଟ) ପ୍ରକଳ୍ପ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରର ପରାଦୀପ-ହାଇଦ୍ରାବାଦ ପାଇପଲାଇନ ପ୍ରକଳ୍ପର ମଧ୍ୟ ସମୀକ୍ଷା ଆଜି କମିଟି କରିଛି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ, ଏହି ମିଳିତ କାର୍ଯ୍ୟକ୍ରମ ଅତ୍ୟନ୍ତ ଫଳପ୍ରଦ ହୋଇଛି। ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି। ବୈଠକରେ ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସଂପର୍କରେ ଆଲୋଚନା ହୋଇ ମିଳିତ ଉଦ୍ୟମରେ ସମାଧାନ କରାଯାଇଥିଲା। ପ୍ରକଳ୍ପ ଗୁଡ଼ିକର ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟ ସମ୍ପାଦନ ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ କରାଯାଇଛି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ମୋନା ଶର୍ମା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/loka-seva-bhawan.jpg)